News18 Odia Digital
ଇସଲାମାବାଦ: ପାକିସ୍ତାନର (Pakistan) କରାଚିରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ (Terrorist attack) ଘଟଣା। ୩ ଆତଙ୍କୀଙ୍କ ସହିତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୪ ଜଣ ପୋଲିସ କର୍ମୀ ରହିଥିବା କୁହାଯାଉଛି।
ସେହିପରି ଘଟଣାରେ ୧୯ଜଣ ଆହତ ହୋଇଛନ୍ତି। ସମସ୍ତଙ୍କ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଯେଉଁଥିରେ କେତେ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ସେପଟେ ଏହି ଆକ୍ରମଣ ପାଇଁ ଟିଟିପି ଅର୍ଥାତ ତେହେରିକ୍-ଏ-ତାଲିବାନ ପାକିସ୍ତାନ ନିଜକୁ ଦାୟୀ କରିଛି। ଗତକାଲି ସନ୍ଧ୍ୟା ସମୟରେ କରାଚିରେ ହୋଇଥିଲା ଭୟଙ୍କର ଆତଙ୍କବାଦୀ ଆକ୍ରମଣ। ସାଧାରଣ ଲୋକଙ୍କୁ ନୁହେଁ, ସିଧା ପୋଲିସକୁ ଟାର୍ଗେଟ୍ କରିଥିଲେ ଆତଙ୍କବାଦୀ।
କରାଚି ଶରିଆ ଫୈଜଲ ଅଞ୍ଚଳରେ ଥିବା ପୋଲିସ ମୁଖ୍ୟଙ୍କ କାର୍ଯ୍ୟାଳୟରେ ହୋଇଥିଲା ଆକ୍ରମଣ। ୮ରୁ ୧୦ ଜଣ ଆତଙ୍କବାଦୀ ଏହି ଆକ୍ରମଣ କରିଥିବା କୁହାଯାଉଛି। ଅଫିସ ଭିତରେ ପ୍ରବେଶ କରିବା ମାତ୍ରେ ଆଖିବୁଜା ଗୁଳି ଚାଳନା କରିଥିଲେ ଆତଙ୍କବାଦୀ। ସଙ୍ଗେ ସଙ୍ଗେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ, ଆତଙ୍କବାଦୀଙ୍କୁ ସାମ୍ନା କରିଥିଲେ।
https://www.youtube.com/watch?v=6WXpBkYPraU
ଅନ୍ୟ ଥାନାରୁ ମଧ୍ୟ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ଅଣାଯାଇଥିଲା। ଆତଙ୍କବାଦୀମାନେ କରାଚି ପୋଲିସ ମୁଖ୍ୟାଳୟରେ ପ୍ରବେଶ କରିବା ମାତ୍ରେ ବିଦ୍ୟୁତ୍ କାଟି ଦିଆଯାଇଥିଲା। ଆତଙ୍କବାଦୀମାନେ ଅଟୋମେଟିକ୍ ଗନରୁ ଫାୟାରିଂ କରିବା ସହ ଗ୍ରେନେଡ୍ ମାଡ଼ କରିଥିଲେ।
ମୁକାବିଲା ପାଇଁ AIG ଅଫିସରେ ପାକିସ୍ତାନୀ ରେଞ୍ଜର୍ସ ମୁତୟନ ହୋଇଥିଲେ। ସନ୍ଧ୍ୟା ୭.୧୦ରୁ ଗୁଳି ବିନିମୟ ଚାଲିଥିଲା। ଯାହାକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା।
ଏବେ ବି ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ୫ ମହଲା ପୋଲିସ ମୁଖ୍ୟାଳୟରେ ଗ୍ରେନେଡ ମାଡ଼ ହୋଇଥିଲା। ଆକ୍ରମଣ ଘଟଣାରେ ୩ ଆତଙ୍କବାଦୀ ନିହତ ହେବା ସହ ଅନେକ ପୋଲିସ ଅଧିକାରୀ ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ପୋଲିସ ପୋଷାକରେ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ। ଏହାପରେ ଆଖିବୁଜା ଗୁଳିମାଡ଼ କରିଥିଲେ। ଏବେ ବି ପାକିସ୍ତାନ ପୋଲିସର ଏଲିଟ୍ ଫୋର୍ସ ରେଞ୍ଜର୍ସ ଯବାନମାନେ କରାଚି ପୋଲିସ ମୁଖ୍ୟାଳୟକୁ ଘେରି ରହିଛନ୍ତି। ସେପଟେ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଟିଟିପି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।