News18 Odia Digital
କାବୁଲ: ପଞ୍ଜଶିର କବଜା ହେବା ପରେ ସମଗ୍ର ଆଫଗାନିସ୍ତାନ ତାଲିବାନ ଦ୍ୱାରା ଶାସିତ ହୋଇଛି । ତାଲିବାନ ଆଫଗାନିସ୍ତାନରେ ଏକ ନୂଆ ସରକାର ଗଠନ କରିବାକୁ ଘୋଷଣା କରିସାରିଛି । ଏହା ସହ ତାଲିବାନ ଆମେରିକାରଠୁ ପ୍ରତିଶୋଧ ନେବା ପାଇଁ , ୯/୧୧ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ତଥା ଆଜି ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହର ଆୟୋଜନ କରିଥାଆନ୍ତି ।
ଯାହା ପାଇଁ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ତେବେ ବର୍ତ୍ତମାନ ତାଲିବାନ ସେମାନଙ୍କ ମତ ବଦଳାଇଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ ୯/୧୧ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀକୁ ଦୃଷ୍ଟିରେ ରଖି ତାଲିବାନ ଆଫଗାନିସ୍ତାନ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ ବାତିଲ କରିଦେଇଛି । ତାଲିବାନ ବର୍ତ୍ତମାନ ବିଶ୍ବ ସାମ୍ନାରେ ନିଜର ଭାବମୂର୍ତ୍ତି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି । ଏଭଳି ପରିସ୍ଥିତିରେ ସେ ଏପରି କୌଣସି କାମ କରିବାକୁ ଚାହାଁନ୍ତି ନାହିଁ ଯାହା ବିଶ୍ବ ସାମ୍ନାରେ ତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବ ।
ସହଯୋଗୀମାନଙ୍କ ଚାପ ପରେ ତାଲିବାନ ଆଫଗାନିସ୍ତାନରେ ନୂଆ ଭାବେ ଗଠିତ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ ବାତିଲ କରିଦେଇଛି । ଶପଥ ଗ୍ରହଣ ସମାରୋହ ବାତିଲ ସମ୍ପର୍କରେ ଆଫଗାନିସ୍ତାନ ସରକାରଙ୍କ ସାଂସ୍କୃତିକ ଆୟୋଗର ସଦସ୍ୟ ଇନାମୁଲ୍ଲା ସମଙ୍ଗାନି ସୂଚନା ଦେଇଛନ୍ତି । ପୂର୍ବରୁ ଖବର ଆସିଥିଲା ଯେ ତାଲିବାନର ମଧ୍ୟବର୍ତ୍ତୀକାଳୀନ ସରକାର ୯/୧୧ର ୨୦ତମ ବାର୍ଷିକୀରେ ଶପଥ ଗ୍ରହଣ କରିଥାଆନ୍ତା ।
ତାଲିବାନ କାବୁଲରେ ସରକାରୀ ଗଠନ ପାଇଁ ଏକ ବଡ଼ ସମାରୋହ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି । ତାଲିବାନ ଏହି ସମାରୋହରେ ଯୋଗ ଦେବା ପାଇଁ ଚୀନ୍ ଓ ପାକିସ୍ତାନ ସମେତ ଛଅଟି ଦେଶକୁ ନିମନ୍ତ୍ରଣ ପଠାଇଛି । ତାଲିବାନ ନିମନ୍ତ୍ରଣରେ ତୁର୍କୀ, କତାର, ଋଷ ଓ ଇରାନ ମଧ୍ୟ ଅନ୍ତର୍ଭୁକ୍ତ । ଏହି ସମସ୍ତ ଦେଶ ତାଲିବାନକୁ ନିରନ୍ତର ସମର୍ଥନ କରିଆସୁଛନ୍ତି । ଏଥି ମଧ୍ୟରୁ କତାର ବ୍ୟତୀତ ଅନ୍ୟ ସମସ୍ତ ଦେଶର ସମ୍ପର୍କ ଆମେରିକା ସହିତ ଭଲ ନୁହେଁ । ବର୍ତ୍ତମାନ ସରକାର ଗଠନ ହେଉଥିବାରୁ ତାଲିବାନ କତାରକୁ ମଧ୍ୟ ନିମନ୍ତ୍ରଣ ପଠାଇଛି ।
ତାଲିବାନ ସରକାର ଗଢ଼ିବା ପାଇଁ ଚୀନର ପାଇଛି ସହଯୋଗଆଫଗାନିସ୍ତାନରେ ତାଲିବାନ ସରକାର ଗଠନର ୨୪ ଘଣ୍ଟା ମଧ୍ୟରେ ଚୀନ୍ ନିଜର ରାଜକୋଷ ଖୋଲିଛି । ଚୀନ୍ ବୁଧବାର ତାଲିବାନକୁ ସରକାର ଚଳାଇବା ପାଇଁ ୩୧୦ ମିଲିୟନ୍ ଡଲାର୍ ସହାୟତା ଘୋଷଣା କରିଛି । ଏହା ସହିତ ଚୀନ୍ ଆଫଗାନିସ୍ତାନକୁ କରୋନା ଟିକା ମଧ୍ୟ ପଠାଉଛି । ବିଶୃଙ୍ଖଳାକୁ ଦୂର କରିବା ଓ ଶୃଙ୍ଖଳା ଫେରାଇବା ପାଇଁ ଏହି ସହାୟତା ଆବଶ୍ୟକ ବୋଲି ଚୀନ୍ କହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।