ମଧ୍ୟ ପ୍ରଦେଶର ଫ୍ଲୋର୍ ଟେଷ୍ଟ୍ ଉପରେ ସସପେନ୍ସ ଜାରି; ସୁପ୍ରିମ କୋର୍ଟ ଉପରେ ସମସ୍ତଙ୍କ ନଜର

ଆସ୍ଥା ଭୋଟ୍ ପାଇଁ ରାଜ୍ୟପାଳଙ୍କ ଆଦେଶ ସତ୍ତ୍ୱେ ସେ ବିଧାନ ବିଧାନ ସଭାରୁ ଗତ କାଲି ବାହାରି ଯିବା ପରେ ବାଚସ୍ପତି କରୋନା ଭାଇରସ୍ ଯୋଗୁଁ ଗୃହକୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଆଦେଶ ଦେଇଥିଲେ ।

ମଧ୍ୟ ପ୍ରଦେଶର ଫ୍ଲୋର୍ ଟେଷ୍ଟ୍ ଉପରେ ସସପେନ୍ସ ଜାରି; ସୁପ୍ରିମ କୋର୍ଟ ଉପରେ ସମସ୍ତଙ୍କ ନଜର
ବିଧାନ ସଭାରେ ସୋମବାର ଦିନ ମୁଖ୍ୟ ମନ୍ତ୍ରୀ କମଳ ନାଥ
  • News18 Odia
  • Last Updated: March 17, 2020, 9:28 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୋପାଳ: ମଧ୍ୟ ପ୍ରଦେଶରେ ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ମୁଖ୍ୟ ମନ୍ତ୍ରୀ କମଳ ନାଥଙ୍କୁ ଦ୍ୱିତୀୟ ଚିଠି ଲେଖି ଆଜି (ମାର୍ଚ୍ଚ ୧୭) ଆସ୍ଥା ଭୋଟ୍‌ କରେଇବା ପାଇଁ କହିବା ପରେ ସେଠାକାର କଂଗ୍ରେସ ସରକାର ପ୍ରତି ବିପଦ ଯେମିତି ଥିଲା ସେମିତି ଅଛି । ରାଜ୍ୟପାଳଙ୍କ ଆଦେଶ ଅନୁସାରେ ଆଜି ହେବାକୁ ଥିବା ଫ୍ଲୋର ଟେଷ୍ଟ ମାମଲାର ଶୁଣାଣି ମଧ୍ୟ ଆଜି ସୁପ୍ରିମ କୋର୍ଟରେ ହେବାର ଅଛି।

ରାଜ୍ୟପାଳଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ କମଳ ନାଥଙ୍କ କଂଗ୍ରେସ ସରକାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗତ କାଲି ଆସ୍ଥା ଭୋଟ୍‌ କରି ନ ଥିବାରୁ ବିଜେପି ସୁପ୍ରିମ କୋର୍ଟକୁ ଯାଇଥିଲା । ଏହା ପୂର୍ବରୁ ସୋମବାର ଦିନ ବିଜେପି ନିଜର ୧୦୬ ଜଣ ବିଧାୟକଙ୍କୁ ରାଜ ଭବନରେ ପ୍ୟାରେଡ କରିଥିଲା ।

ସୋମବାର ସନ୍ଧ୍ୟାରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କୁ ଏକ ଅଲ୍ଟିମେଟମ୍ ଭରା ଚିଠି ଲେଖି କହିଥିଲେ ଯେ ତାଙ୍କ ମାର୍ଚ୍ଚ ୧୪ ଚିଠିର ସେ (କମଳ ନାଥ) ଦେଇଥିବା ଉତ୍ତରର ଭାଷା ଓ ଭାବନା ସଂସଦୀୟ ମର୍ଯ୍ୟାଦାର ଅନୁକୁଳ ନ ଥିଲା । ‘‘ମୁଁ ୧୬ ମାର୍ଚ୍ଚରେ ବିଧାନସ ଭାରେ ଆସ୍ଥା ଭୋଟ୍ ପାଇଁ ଅନୁରୋଧ କରିଥିଲି । ଅଧିବେଶନ ଆରମ୍ଭ ହୋଇଥିଲା, କିନ୍ତୁ ଆପଣ ଆସ୍ଥା ଭୋଟ୍ ପାଇବା ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ ବା ସେଥି ପାଇଁ କୌଣସି ଅର୍ଥପୂର୍ଣ୍ଣ ଉଦ୍ୟମ କରି ନ ଥିଲେ, ବରଂ ଗୃହକୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା,’’ ଲେଖିଥିଲେ ଟଣ୍ଡନ ।

ସେ ଏହି ଚିଠିରେ ଆହୁରି ଲେଖିଥିଲେ ଯେ କମଳ ନାଥ ନିଜ ଚିଠିରେ ଉଲ୍ଲେଖ କରିଥିବା ସୁପ୍ରିମ କୋର୍ଟଙ୍କ ପୂର୍ବ ନିଷ୍ପତ୍ତି ବର୍ତ୍ତମାନ ପରିସ୍ଥିତି ଓ ତଥ୍ୟ ଅନୁସାରେ ରାଜ୍ୟରେ ପ୍ରଯୁଜ୍ୟ ନୁହେଁ। ‘‘ଆସ୍ଥା ଭୋଟ୍ ପାଇବା ନିଷ୍ପତ୍ତି କେବଳ ଗୃହରେ ଫ୍ଲୋର୍ ଟେଷ୍ଟ ମାଧ୍ୟମରେ ଚୂଡାନ୍ତ ହୋଇପାରେ | ଦୁଃଖର ବିଷୟ ଯେ ଆପଣ ଏଥିରେ ଅକ୍ଷମତା ଓ ଅସାବଧାନତା ପ୍ରକାଶ କରିଛନ୍ତି, ଯାହାର ଔଚିତ୍ୟ ନାହିଁ । ଫ୍ଲୋର୍‌ ଟେଷ୍ଟ ନ କରିବା ପାଇଁ ଦିଆଯାଇଥିବା କାରଣଗୁଡ଼ିକ ମଧ୍ୟ ଭିତ୍ତିହୀନ ଓ ଅର୍ଥହୀନ ଥିଲା,’’ ଲେଖିଛନ୍ତି ଟଣ୍ଡନ ।

ସୋମବାର ସକାଳେ ରାଜ୍ୟପାଳଙ୍କ ଅଭିଭାଷଣ ସହିତ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା । ଏହି ସମୟରେ ବିଜେପିର ଡକ୍ଟର ନରୋତ୍ତମ ମିଶ୍ର କମଳ ନାଥ ସରକାରଙ୍କ ସଂଖ୍ୟାଲଘୁଙ୍କ ବିଷୟରେ ଆଲୋଚନା କରିଥିଲେ, କିନ୍ତୁ ରାଜ୍ୟପାଳ ଏହାକୁ ଅଣଦେଖା କରି ନିଜ ଅଭିଭାଷଣ ଶେଷ କରିଥିଲେ । ସମସ୍ତଙ୍କୁ ସେମାନଙ୍କର ଦାୟିତ୍ୱ ନିଷ୍ଠାର ସହ ପୂରଣ କରିବାକୁ ସେ ପରାମର୍ଶ ଦେଇଥିଲେ । ପରମ୍ପରା ଅନୁଯାୟୀ ସମ୍ବିଧାନର ନିର୍ଦ୍ଦେଶ ଓ ନିୟମ ଅନୁସରଣ କରିବାକୁ କହିଥିଲେ । ହେଲେ ସେ ଗୃହରୁ ବାହାରିଯିବା ମାତ୍ରେ ବାଚସ୍ପତି ଏନ.ପି. ପ୍ରଜାପତି ଆସି ଆସନ ଉପରେ ବସି କିଛି ମିନିଟ୍ ବସିଥିଲେ ଓ କରୋନା ଭାଇରସ୍‌ ଯୋଗୁଁ ଗୃହକୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଆଦେଶ ଦେଇଥିଲେ ।
First published: March 17, 2020, 9:28 AM IST