ସୁଶାନ୍ତ ସିଂ ରାଜପୁତ ଡିପ୍ରେସନର ଚିକିତ୍ସା ପାଇଁ ହିନ୍ଦୁଜା ହସପିଟାଲରେ ୭ ଦିନ ଭର୍ତ୍ତି ହୋଇଥିଲେ
ସୁଶାନ୍ତ ଡିପ୍ରେସନର ଦୁଇଟି ରୋଗ ପାରାନୋଇଆ ଓ ବାଇପୋଲାର୍ ଡିସଅର୍ଡ଼ରରେ ପୀଡ଼ିତ ଥିଲେ । ତାଙ୍କ ମା‘ ବି ଡିପ୍ରେସନରେ ପୀଡ଼ିତ ଥିଲେ । ସୁଶାନ୍ତଙ୍କୁ ମାତ୍ର ୧୬ ବର୍ଷ ହୋଇଥିବା ବେଳେ ତାଙ୍କ ମା’ ଦୁନିଆକୁ ବିଦାୟ ଦେଇଥିଲେ ।

ସୁଶାନ୍ତ ସିଂ ରାଜପୁତ
- News18 Odia
- Last Updated: July 14, 2020, 11:13 PM IST
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ଅକାଳ ମୃତ୍ୟୁକୁ ତାଙ୍କ ପ୍ରଶଂସକମାନେ ଏ ପର୍ଯ୍ୟନ୍ତ ଗ୍ରହଣ କରିପାରିନାହାଁନ୍ତି । ତାଙ୍କର ଅନେକ ପ୍ରଶଂସକ ତାଙ୍କ ଅନୁପସ୍ଥିତିକୁ ଗ୍ରହଣ କରିବାକୁ ଅକ୍ଷମ ଓ ତାଙ୍କୁ ଭୁଲିଯିବାକୁ ପ୍ରସ୍ତୁତ ନୁହଁନ୍ତି । ତାଙ୍କର ପ୍ରଶଂସକମାନେ ବିଶ୍ୱାସ କରନ୍ତି ଯେ ସେ ଆତ୍ମହତ୍ୟା କରିପାରିବେ ନାହିଁ । ଜଣେ ପୋଲିସ ଅଧିକାରୀଙ୍କ କଥନ ଅନୁସାରେ ଏକ ମିଡ଼ିଆ ହାଉସ ଖବର ପ୍ରସାରଣ କରିଛି ଯେ ସୁଶାନ୍ତ ସିଂ ରାଜପୁତ ଡିପ୍ରେସନର (depression) ଦୁଇଟି ରୋଗ ପାଇଁ ଚିକିତ୍ସିତ ହେଉଥିଲେ । ଲକଡାଉନ୍ ଆରମ୍ଭ ହେବାର ସପ୍ତାହକ ପୂର୍ବରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସପିଟାଲରେ (Hinduja Hospital) ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।
ବାନ୍ଦ୍ରା ପୋଲିସ ଜୁନ୍ ୧୪ ତାରିଖରେ ହୋଇଥିବା ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରଖିଛି । ଏହି ମାମଲାରେ ପୋଲିସ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୬ ଜଣ ଲୋକଙ୍କ ସହ ପଚରାଉଚରା କରିସାରିଛି । ଜୁନ୍ ୧୪ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଦେହ ମିଳିଥିଲା (Sushant Singh Rajput suicide), କିନ୍ତୁ ବଲିଉଡର ଅନେକ ଅଭିନେତା ତଥା ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କ ଆତ୍ମହତ୍ୟାରେ ଏକ ଷଡ଼ଯନ୍ତ୍ର ଅଛି ବୋଲି ଲଗାତର କହିଆସୁଛନ୍ତି ।
ଏ ନେଇ NBT ଏକ ଖବର ପ୍ରକାଶ କରିଛି । ଖବର ଅନୁଯାୟୀ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ପ୍ରକାରର ବୃତ୍ତିଗତ ଷଡ଼ଯନ୍ତ୍ରର କୌଣସି ପ୍ରମାଣ ମିଳି ନାହିଁ ।

ସୁଶାନ୍ତ ସିଂ ରାଜପୁତ ଓ କ୍ରିତି ସାନନ୍ ଏକାଠି ‘ରାବତା’ରେ କାମ କରିଥିଲେ।
‘‘ଏହି ମାମଲା ଏକ ଆତ୍ମହତ୍ୟା। ସୁଶାନ୍ତ କାହିଁକି ଆତ୍ମହତ୍ୟା କଲେ, ତାହା ବିଷୟରେ ଆମେ ପ୍ରାୟ ଏକ ନିଷ୍କର୍ଷରେ ପହଞ୍ଚି ସାରିଛୁ,’’ କହିଛନ୍ତି ଏହି ଅଧିକାରୀ । ସେ ଦାବି କରିଛନ୍ତି ଯେ ସୁଶାନ୍ତ ଡିପ୍ରେସନର ଦୁଇଟି ରୋଗ ପାରାନୋଇଆ (paranoia) ଓ ବାଇପୋଲାର୍ ଡିସଅର୍ଡ଼ରରେ (bipolar disorder) ପୀଡ଼ିତ ଥିଲେ ।
ସୁଶାନ୍ତଙ୍କ ମା’ ବି ଡିପ୍ରେସନରେ ପୀଡ଼ିତ ଥିଲେ
ଅନୁସନ୍ଧାନରୁ ଏହା ବି ଜଣାପଡ଼ିଛି ଯେ ସୁଶାନ୍ତଙ୍କ ମା‘ ବି ଡିପ୍ରେସନରେ ପୀଡ଼ିତ ଥିଲେ । ଯେତେବେଳେ ସୁଶାନ୍ତଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ମା’ ଦୁନିଆକୁ ବିଦାୟ ଦେଇଥିଲେ। ବଲିଉଡରେ ନିଜ କାମରେ ବ୍ୟସ୍ତ ଥିବା ସତ୍ତ୍ୱେ ସୁଶାନ୍ତ ଏକାକୀ ଅନୁଭବ କରୁଥିଲେ । ସାକ୍ଷୀମାନଙ୍କ ସହ ପୋଲିସର ପଚରାଉଚୁରାରୁ ଏହି ତଥ୍ୟ ସବୁ ସାମନାକୁ ଆସିଛି ।
ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ କରିୟର
ସୁଶାନ୍ତ ସିଂ ରାଜପୁତ ୨୦୧୩ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କାଇ ପୋ ଚେ’ରେ ବଡ଼ ପରଦାରେ ଡେବ୍ୟୁ କରିଥିଲେ । ଚଳିତ ବର୍ଷ ତାଙ୍କୁ ‘ଶୁଦ୍ଧ ଦେଶୀ ରୋମାନ୍ସ’ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଥିଲା । ୨୦୧୪ ମସିହାରେ ସୁଶାନ୍ତ ଆମୀର ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପି.କେ.’ରେ ଅନୁଷ୍କାଙ୍କ ପ୍ରେମିକ ଭାବରେ ଅଭିନୟ କରିଥିଲେ । ୨୦୧୫ରେ ସୁଶାନ୍ତଙ୍କ ଫିଲ୍ମ ‘ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି’ ମୁକ୍ତିଲାଭ କରିଥିଲା ।
୨୦୧୬ରେ ରିଲିଜ୍ ହୋଇଥିବା ବାୟୋପିକ୍ ‘ଏମ୍.ଏସ୍. ଧୋନି - ଦ ଅନଟୋଲ୍ଡ ଷ୍ଟୋରୀ’ରୁ ସୁଶାନ୍ତ ସିଂ ରାଜପୁତ ସର୍ବାଧିକ ଲୋକପ୍ରିୟତା ପାଇଥିଲେ । ଏହା ପରେ ସେ ‘ରାବତା’, ‘ୱେଲକମ୍ ଟୁ ନ୍ୟୁୟର୍କ’, ‘କେଦାରନାଥ’, ‘ସୋନ୍ ଚିରୈୟା’ ଓ ‘ଛିଛୋରେ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଜୁଲାଇ ୨୪ରେ ରିଲିଜ୍ ହେବ
ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ (Dil Bechara) ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । ଏହି ଫିଲ୍ମ ଜୁଲାଇ ୨୪ରେ ଡିଜନୀ ପ୍ଲସ୍ ହଟ୍ ଷ୍ଟାରରେ ରିଲିଜ୍ ହେବାକୁ ଯାଉଛି ।
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ଭାଙ୍ଗି ପଡ଼ି କଟକରେ ନବମ ଶ୍ରେଣୀର ଛାତ୍ରୀ ଜୀବନ ହାରିଲେ
ତାଙ୍କର ଅନେକ ପ୍ରଶଂସକ ଚାହୁଁଛନ୍ତି ଯେ ଏହି ଫିଲ୍ମ ଓଟିଟିରେ ରିତିଜ୍ ନ ହୋଇ ସିନେମା ହଲରେ ରିଲିଜ ହେଉ । କିନ୍ତୁ ଫିଲ୍ମଟିର ନିର୍ମାତାମାନେ ଏହାକୁ ଡିଜନୀ ହଟ୍ ଷ୍ଟାରରେ ରିଲିଜ୍ କରିବାର ନିଷ୍ପତ୍ତି ନେଇଛନ୍ତି ।
ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍ ଦୁଃଖ ଅନୁଭବ କରୁଛନ୍ତି ଓ ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।