News18 Odia Digital
ମୁମ୍ବାଇ / ପାଟନା / ନୂଆ ଦିଲ୍ଲୀ: ଆତ୍ମହତ୍ୟା କରି ଆର ପାରିକୁ ଚାଲିଯାଇଥିବା ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ବାପା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ (Rhea Chakraborty) ବିରୋଧରେ ଯେଉଁ ଏଫ୍.ଆଇ.ଆର୍. ଦେଇଛନ୍ତି ସେଥିରେ ସେ ଅଭିଯୋଗ କରିଛନ୍ତି ଯେ ରିୟା ସୁଶାନ୍ତଙ୍କ ବ୍ୟାଙ୍କ ଖାତାରୁ ୧୫ କୋଟି ଟଙ୍କା ହଡ଼ପ କରିଛନ୍ତି । ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି (Enforcement Directorate) ଏହି ମାମଲାର ତଦନ୍ତ କରୁଛି । ସୁଶାନ୍ତଙ୍କ ବ୍ୟାଙ୍କ ଖାତାକୁ ଦେଖିବା ପରେ ସାମ୍ନାକୁ ଆସିଛି ଚମକାଇଦେବା ଭଳି ତଥ୍ୟ । ଜଣାପଡ଼ିଛି କେବଳ ରିୟା ନୁହେଁ ତାଙ୍କ ଭାଇ ବି ସୁଶାନ୍ତଙ୍କ ଟଙ୍କା ମନ ଇଚ୍ଛା ଉଡ଼ାଉଥିଲେ ।
ରିୟାଙ୍କ ମେକ୍-ଅପ୍, ରିୟାଙ୍କ ସପିଙ୍ଗ୍, ରିୟାଙ୍କ ହୋଟେଲ୍ ବିଲ୍, ରିୟାଙ୍କ ବିମାନ ଟିକେଟ୍… ଏ ସବୁର ଖର୍ଚ୍ଚ ପାଇଁ ଲକ୍ଷ ଲକ୍ଷ ଟଙ୍କାର ବିଲ୍ ପେମେଣ୍ଟ୍ ହୋଇଥିଲା ସୁଶାନ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ । ସୁଶାନ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ତ ଏହା ହିଁ କହୁଛି । ଏବେ ଇଡିର ତଦନ୍ତ ବେଳେ ସାମ୍ନାକୁ ଆସିଥିବା ସୁଶାନ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟରୁ ମିଳିଛି ଚମକାଇଦେବା ଭଳି ତଥ୍ୟ । ଏ ବ୍ୟାଙ୍କ ଷ୍ଟେଟମେଣ୍ଟ କହୁଛି ଯେ ରିୟାଙ୍କ ପରିବାର ପାଇଁ ସୁଶାନ୍ତ ଏକ ଅସରନ୍ତି ଏଟିଏମ୍ ପାଲଟିଯାଇଥିଲେ ।
ସୁଶାନ୍ତଙ୍କ ରୋଜଗାର ରିୟା ଓ ତାଙ୍କ ପରିବାର ଉପରେ ଉଡ଼ା ଯାଉଥିଲା । ସୁଶାନ୍ତଙ୍କ ବ୍ୟାଙ୍କ ଖାତାର ଷ୍ଟେଟମେଣ୍ଟ ଅନୁସାରେ ମାତ୍ର ୯୦ ଦିନ ଭିତରେ ହିଁ ସୁଶାନ୍ତଙ୍କ ବ୍ୟାଙ୍କ ବାଲାନ୍ସ ୪.୬୪ କୋଟି ଟଙ୍କାରୁ ୧.୪ କୋଟି ଟଙ୍କାକୁ ଆସିଯାଇଥିଲା । ଏହି ଖାତାରୁ ମାତ୍ର ତିନି ମାସ ଭିତରେ ହିଁ ୩ କୋଟି ୨୪ ଲକ୍ଷ ଟଙ୍କା ରିୟାଙ୍କ ଉପରେ ଖର୍ଚ୍ଚ ହୋଇଥିଲା ।

ରିୟା ଚକ୍ରବର୍ତ୍ତୀ
୧୪ ଅକ୍ଟୋବର ୨୦୧୯ରେ ସୁଶାନ୍ତଙ୍କ ଖାତାରେ ୪ କୋଟି ୭୦ ଲକ୍ଷ ଟଙ୍କା ଜମା ଥିଲା । ସେହି ଦିନ ସେଥିରୁ ରିୟାଙ୍କ ଭାଇ ଶୌଭିକଙ୍କ ଫ୍ଲାଇଟ୍ ଟିକେଟ୍ ପାଇଁ ୮୧,୯୦୧ ଟଙ୍କା ଟ୍ରାନ୍ସଫର ହେଲା । ତା' ପରଦିନ ସୁଶାନ୍ତ ସିଂଙ୍କ ଆକାଉଣ୍ଟରୁ ରିୟାଙ୍କ ଭାଇର ହୋଟେଲ୍ ବିଲ୍ ପାଇଁ ୪ ଲକ୍ଷ ୭୦ ହଜାର ଟଙ୍କାର ପେମେଣ୍ଟ ହେଲା । ପୁଣି ସେହି ଦିନ ୪ ଲକ୍ଷ ୩୦ ହଜାରର ଟଙ୍କାର ପେମେଣ୍ଟ ଦିଲ୍ଲୀର ତାଜ୍ ହୋଟେଲ୍ରେ ରହିବା ପାଇଁ କରାଗଲା । ୧୬ ଅକ୍ଟୋବରରେ ପୁଣି ୭୬ ହଜାର ଟଙ୍କା ଉଠାଗଲା । ଆଉ ତାହା ରିୟା ଓ ଶୌଭିକଙ୍କ ଦିଲ୍ଲୀ ଫ୍ଲାଇଟ୍ ପାଇଁ ଖର୍ଚ୍ଚ ହେଲା ।
ଆଗାମୀ କିଛି ଦିନ ଯାଏଁ ଏମିତି ହିଁ ଲକ୍ଷ ଲକ୍ଷ ଟଙ୍କା ସୁଶାନ୍ତଙ୍କ ଆକାଉଣ୍ଟରୁ ଟ୍ରାନ୍ସଫର ହେଲା । ନଭେମ୍ବର ୧୪ରେ ବି ରିୟାଙ୍କ ନାଁରେ ୧ ଲକ୍ଷ ୫୦ ହଜାର ଟଙ୍କା ଟ୍ରାନ୍ସଫର ହେଲା । ୨୦ ଓ ୨୧ ନଭେମ୍ବରରେ ରିୟାଙ୍କର ସପିଙ୍ଗ୍ ଓ ମେକ୍-ଅପ୍ର ବିଲ୍ ରୂପେ ୭୫ ହଜାରର ଟଙ୍କା ଏହି ଆକାଉଣ୍ଟରୁ ଦିଆଗଲା । ୨୪ ନଭେମ୍ବରରେ ବି ରିୟାଙ୍କ ସପିଙ୍ଗ୍ ପାଇଁ ୨୨ ହଜାର ଟଙ୍କାର ବିଲ୍ ସୁଶାନ୍ତ ଦେଲେ ।
ଏହା ବି ପଢ଼ନ୍ତୁ: ରାମ ମନ୍ଦିର ନିର୍ମାଣ: ମୁସଲମାନ ଯୁବତୀ ନିଜ ହାତରେ ‘ଶ୍ରୀରାମ’ ନାମର ସ୍ଥାୟୀ ଟାଟୁ ବନେଇଲେଏହା ବି ପଢ଼ନ୍ତୁ: Rakhi Purnima: ବାରାଣସୀରେ ମୁସଲିମ୍ ମହିଳାମାନେ ମୋଦିଙ୍କ ପାଇଁ ତିଆରି କରୁଛନ୍ତି ସ୍ୱଦେଶୀ ରାକ୍ଷୀସୁଶାନ୍ତଙ୍କ ଖାତାରୁ ଏତେ ଟଙ୍କା ଉଠାଣର ଆଧାରରେ ହିଁ ସୁଶାନ୍ତଙ୍କ ବାପା ନିଜ ଏଫ୍.ଆଇ.ଆର୍.ରେ ରିୟା ସୁଶାନ୍ତଙ୍କର ୧୫ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି । ତା’ଛଡ଼ା ସୁଶାନ୍ତ, ରିୟା ଓ ରିୟାଙ୍କ ଭାଇ ସୌଭିକ୍ ମିଶି ଏକ କମ୍ପାନୀ ଆରମ୍ଭ କରିଥିଲେ । ଏହା ପରେ ସୁଶାନ୍ତଙ୍କ ଟଙ୍କାକୁ କେବଳ ରିୟା ନୁହେଁ, ବରଂ ତାଙ୍କ ଭାଇ ସୌଭିକ୍ ବି ଖୁବ୍ ଉଡ଼ାଉଥିଲେ । ଏବେ ପୂରା ମାମଲାର ତଦନ୍ତ କରୁଛି ଇଡି । ତଦନ୍ତରେ ସବୁକିଛି ସ୍ପଷ୍ଟ ହୋଇଯିବ ।
ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ବିଭିନ୍ନ ପୂଜାର୍ଚ୍ଚନା ନାଁରେ ସୁଶାନ୍ତଙ୍କ ଖାତାରୁ ଉଠାଯାଇଛି ଲକ୍ଷ ଲକ୍ଷ ଟଙ୍କା । ୨୦୧୯ ଜୁଲାଇ ଓ ଅଗଷ୍ଟ ମାସରେ ପୂଜାର୍ଚ୍ଚନା ନାଁରେ ୨ ଲକ୍ଷ ୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ସୁଶାନ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଅନୁସାରେ ୨୦୧୯ ମସିହା ଜୁଲାଇ ୧୪ ତାରିଖରେ ପୂଜା ସାମଗ୍ରୀ କିଣା ଯାଇଥିଲା । ଏଥି ପାଇଁ ୪୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ପୁଣି ଅଗଷ୍ଟ ୨ ତାରିଖରେ ପୂଜା ସାମଗ୍ରୀ ପୁଣି କିଣାଯାଇଥିଲା । ଆଉ ଏଥି ପାଇଁ ଖର୍ଚ୍ଚ ହୋଇଥିଲା ୮୬ ହଜାର ଟଙ୍କା । ଅଗଷ୍ଟ ୮ ତାରିଖରେ ବ୍ରାହ୍ମଣଙ୍କ ଫିସ୍ ବାବଦରେ ୧୧ ହଜାର ଟଙ୍କା ଖର୍ଚ୍ଚ ଦିଆଯାଇଥିଲା । ପୁଣି ଅଗଷ୍ଟ ୧୫ ତାରିଖରେ ପୂଜା ସାମଗ୍ରୀ କିଣାରେ ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଉଲ୍ଲେଖ ଅଛି ।
ଇଏ କେମିତି ପୂଜା ଯାହା ପାଇଁ ଏତେ ମୋଟା ରାଶିର ଟଙ୍କା ଖର୍ଚ୍ଚ ହୋଇଛି ତାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଆଶଙ୍କା କରାଯାଉଛି ଗର୍ଲଫ୍ରେଣ୍ଡ ରିୟା ଓ ତାଙ୍କ ମା’ ସୁଶାନ୍ତଙ୍କୁ ଗୁଣି ଗାରେଡ଼ି କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।