ସୁଶାନ୍ତଙ୍କ ଫିଲ୍ମ ‘ଦିଲ୍ ବେଚାରା’ ରିଲିଜ୍ ହେବାର ଦିନକ ଆଗରୁ ଆଉ ଜଣେ ଫ୍ୟାନ୍ ଆତ୍ମହତ୍ୟା କଲେ

ସପ୍ତମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀର ବାପା କହିଛନ୍ତି ଯେ ଝିଅଟି ସୁଶାନ୍ତ ସିଂ ରାଜପୁତଙ୍କର (Sushant Singh Rajput) ଜଣେ ବଡ଼ ପ୍ରଶଂସକ ଥିଲା ଓ ତାଙ୍କ ଫିଲ୍ମ ସବୁ ବାରମ୍ବାର ଦେଖୁଥିଲା ।

ସୁଶାନ୍ତ ସିଂ ରାଜପୁତ

ସୁଶାନ୍ତ ସିଂ ରାଜପୁତ

  • Share this:
News18 Odia Digital

ଦୁର୍ଗ: ଛତିଶଗଡ଼ର (Chhattisgarh) ଦୁର୍ଗ ଜିଲ୍ଲାରେ ଜଣେ ୧୩ ବର୍ଷୀୟା ଛାତ୍ରୀ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ୍ୟୁରେ ଦୁଃଖୀ ହୋଇ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଦୁର୍ଗ ଜିଲ୍ଲାର ପୋଲିସ ଅଧିକାରୀ କହିଛନ୍ତି ଯେ ଜିଲ୍ଲାର ଭିଲାଇ ନଗର (Bhilai Nagar) ପୋଲିସ ଷ୍ଟେସନ ଅନ୍ତର୍ଗତ ସେକ୍ଟର-୭ ରେ ଥିବା ନିଜ ଘରେ ସପ୍ତମ ଶ୍ରେଣୀ ଛାତ୍ରୀ ଜଣକ ଗୁରୁବାର ଦିନ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଦିନକ ପରେ, ଅର୍ଥାତ ଶୁକ୍ରବାର ଦିନ, ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା' ରିଲିଜ ହୋଇଥିଲା ।

ଭିଲାଇ ନଗର ପୋଲିସ ଷ୍ଟେସନର ଅଧିକାରୀ ତ୍ରିନାଥ ତ୍ରିପାଠୀ କହିଛନ୍ତି ଯେ ଝିଅଟିର କୋଠରୀରୁ ପୋଲିସ ଏକ ଚିଠି ଉଦ୍ଧାର କରିଛି ଯେଉଁଥିରେ ସେ ଲେଖିଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସେ ଦୁଃଖିତ ଥିଲା ଓ ସେଇଥି ପାଇଁ ଏହି ପଦକ୍ଷେପ ନେଇଥିଲା ।

ଛାତ୍ରୀଙ୍କ ବାପା କହିଛନ୍ତି ଯେ ତାଙ୍କ ଝିଅ ସୁଶାନ୍ତ ସିଂ ରାଜପୁତଙ୍କର ଜଣେ ପ୍ରଶଂସକ ଥିଲା ଏବଂ ସେ ତାଙ୍କ ଚଳଚ୍ଚିତ୍ର ବାରମ୍ବାର ଦେଖୁଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ ବୁଧବାର ସନ୍ଧ୍ୟାରେ ସେ ନିଜ ପତ୍ନୀ ଓ ଅନ୍ୟ ପିଲାମାନଙ୍କ ସହିତ ଘରୁ କୌଣସି ସ୍ଥାନକୁ ଯାଉଥିବାବେଳେ ତାଙ୍କ ଝିଅ ଟିଭି ରେ ସୁଶାନ୍ତଙ୍କ ଫିଲ୍ମ 'ଛିଛୋରେ' (Chhichore) ଦେଖୁଥିଲା ଓ ତାଙ୍କ ସହିତ ଯିବାକୁ ମନା କରିଦେଇଥିଲା ।

ପୋଲିସ ଅଧିକାରୀ କହିଛନ୍ତି ଯେ ଝିଅଟିର ବାପା ପରିବାର ସହିତ ଘରକୁ ଫେରିଲା ବେଳକୁ ଝିଅଟିକୁ ସିଲିଂ ଫ୍ୟାନରୁ ଝୁଲୁଥିବା ଦେଖିବାକୁ ପାଇଥିଲେ ​। ପୋଲିସ କହିଛି ଯେ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି ।

ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା' ଶୁକ୍ରବାର ଦିନ ରିଲିଜ ହୋଇଥିଲା ।


ପୂର୍ବରୁ ବିହାରର ରାଜଧାନୀ ପାଟନା ସମେତ ରାଜ୍ୟର ଦୁଇଟି ଜିଲ୍ଲାରୁ ପୃଥକ ପୃଥକ ଘଟଣାରେ ଜଣେ ଯୁବତୀ ଓ ଜଣେ ପୁରୁଷ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦୁଃଖରେ ଆତ୍ମହତ୍ୟା କରିଥିଲେ । ଓଡ଼ିଶାର କଟକରେ ବି ଜଣେ ସ୍କୁଲ୍‌ ଛାତ୍ରୀ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦୁଃଖରେ ନିଜ ଜୀବନ ନିଜ ହାତରେ ନେଇଥିଲା ।

ପାଟନାର କଦମକୁଆଁ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ରାଜେନ୍ଦ୍ର ନଗରରେ ଜଣେ ୧୭ ବର୍ଷର ଛାତ୍ରୀ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା । ପାଟନାରେ ଆତ୍ମହତ୍ୟା କରିଥିବା ଏହି ୧୭ ବର୍ଷୀୟା ଝିଅଟି ନିକଟରେ ପାଟନାସ୍ଥିତ ଏକ ସ୍କୁଲରୁ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ପରୀକ୍ଷାରେ ସେ ଭଲ କରି ନ ଥିବାର ଆଶଙ୍କା ଥିଲା । ସେହି କାରଣରୁ ବି ସେ ଡିପ୍ରେସନରେ ଥିଲା । ବିହାରରେ ଆତ୍ମହତ୍ୟାର ଦ୍ୱିତୀୟ ଘଟଣା ନାଳନ୍ଦା ଜିଲ୍ଲାରୁ ଆସିଥିଲା । ଗୌତମ ନାମକ ଜଣେ ଯୁବକଙ୍କର ମାମୁଁ କହିଥିଲେ ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପର ଠାରୁ ସେ ବହୁତ ଭାଙ୍ଗି ପଡିଥିଲେ ଓ ଶେଷରେ ଆତ୍ମହତ୍ୟା କଲେ ।

କଟକର ଜଣେ ନବମ ଶ୍ରେଣୀର ଛାତ୍ରୀ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା (Sushant Singh Rajput Suicide) ଘଟଣା ଜାଣିବା ପର ଠାରୁ ଲଗାତର ଦୁଃଖରେ ରହୁଥିଲା ଓ ସେ ବି ଆତ୍ମହତ୍ୟା କରିଥିଲା (Cuttack girl suicide) । ନିଜ ଘରେ ଗଳାରେ ଦଉଡ଼ି ଲଗେଇ ଜୀବନ ହାରିଥିବା ଏହି ଛାତ୍ରୀଙ୍କ ନାଁ ସୌମ୍ୟା ରାଜ୍‌ । ସେ ଯୋବ୍ରା ପାରେଶ୍ୱର ସାହିରେ ନିଜ ପରିବାର ସହ ରହୁଥିଲେ ଓ ସ୍ଥାନୀୟ ଶିଶୁ ମନ୍ଦିରରେ ନବମ ଶ୍ରେଣୀରେ ପଢ଼ୁଥିଲେ ।

ଏହା ବି ପଢ଼ନ୍ତୁ: ମଧ୍ୟ ପ୍ରଦେଶ CM ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ ହେଲେ, ନିଜକୁ କ୍ୱାରେଣ୍ଟାଇନ କଲେ

ଏହା ବି ପଢ଼ନ୍ତୁ: ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ

ସୌମ୍ୟା ରାଜ୍‌ ସୁଶାନ୍ତ ସିଂ ରାଜପୁତଙ୍କର ଜଣେ ବଡ଼ ଫ୍ୟାନ ଥିଲେ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣା ପଡ଼ିଛି । ସୁଶାନ୍ତଙ୍କ ମୃତ୍ୟୁ ହେବା ପର ଠାରୁ ସୌମ୍ୟା ମ୍ରିୟମାଣ ଅବସ୍ଥାରେ ରହୁଥିଲେ ବୋଲି କହିଛନ୍ତି ତାଙ୍କର ଜଣେ ସମ୍ପର୍କୀୟ ।

ଧ୍ୟାନ ଦିଅନ୍ତୁଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍‌ ଦୁଃଖ ଅନୁଭବ କରୁଛନ୍ତି ଓ  ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍‌ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।



ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ
Published by:Anand Shankar Thankur Das
First published: