News18 odia Digital
ମୁମ୍ବାଇ / ପାଟନା / ନୂଆ ଦିଲ୍ଲୀ: ବଲିଉଡ୍ (Bollywood) ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ପରିବାର ତାଙ୍କ ମୃତ୍ୟୁକୁ ନେଇ ବହୁ ସଙ୍ଗୀନ ପ୍ରଶ୍ନ ଉଠାଇଛନ୍ତି । ପରିବାର ପଚାରିଛି ଯେ ସୁଶାନ୍ତଙ୍କ ସନ୍ଦେହଜନକ ମୃତ୍ୟୁ ପରେ ତାଙ୍କ ଘର ସିଲ୍ କରାଗଲା ନାହିଁ କାହିଁକି । ଫ୍ୟାନ୍ରେ ଝୁଲୁଥିବା ସୁଶାନ୍ତଙ୍କ ଫଟୋ କାହିଁକି ଉଠାଗଲା ନାହିଁ ।
ସୁଶାନ୍ତଙ୍କ ପରିବାର ପକ୍ଷରୁ ଲଗାତାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଉଥିବା ବେଳେ ୟା ଭିତରେ ସାମ୍ନାକୁ ଆସିଛି ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ (Rhea Chakraborty) ବୟାନ । ଓକିଲଙ୍କ ମାଧ୍ୟମରେ ଷ୍ଟେଟ୍ମେଣ୍ଟ ଜାରି କରି ରିୟା ପୁଣି ସିବିଆଇ ତଦନ୍ତ ସପକ୍ଷରେ କହିଛନ୍ତି ।
ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ଦୃଢ଼ କଣ୍ଠରେ କହୁଛନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି । ପରିବାର ଗୋଟିଏ ପରେ ଗୋଟିଏ ସଙ୍ଗୀନ ପ୍ରଶ୍ନ ଉଠାଉଛି । ଏସବୁ ଏମିତି ପ୍ରଶ୍ନ ଯାହାର ଉତ୍ତର ଦେବା ମୁମ୍ବାଇ ପୋଲିସ (Mumbai Police) ପାଇଁ କଷ୍ଟକର ହେଉଛି ଆଉ ମାମଲାକୁ ଅଧିକ ଜଟିଳ ଓ ରହସ୍ୟମୟ କରୁଛି ।

ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ
ସୁଶାନ୍ତଙ୍କ ପରିବାର ଲୋକେ ପଚାରିଥିବା ପ୍ରଶ୍ନ ସବୁ ହେଉଛି:
* ମୃତଦେହକୁ ଓହ୍ଲାଇବାର ଭିଡିଓଗ୍ରାଫି କରାଗଲା ନାହିଁ କାହିଁକି?
* ପୋଷ୍ଟମର୍ଟମ ନିକଟସ୍ଥ ହସ୍ପିଟାଲ୍ରେ କରାଗଲା ନାହିଁ କାହିଁକି?
* ସୁଶାନ୍ତଙ୍କ କୋଠରୀକୁ କାହିଁକି ସିଲ୍ କଲା ନାହିଁ ମୁମ୍ବାଇ ପୋଲିସ୍?
* ସୁଶାନ୍ତଙ୍କ କୋଠରୀକୁ କାହିଁକି ରଙ୍ଗ କରାଗଲା?
* ସୁଶାନ୍ତଙ୍କ ଷ୍ଟାଫ୍ଙ୍କୁ ଏ ଯାଏଁ କାହିଁକି କରାଯାଇନାହିଁ ପଚରା ଉଚୁରା?
ସୁଶାନ୍ତଙ୍କ ପରିବାରର ଧୈର୍ଯ୍ୟ ଏବେ ଶେଷ ହେଉଥିବା ପରି ଲାଗୁଛି । ପରିବାର ଚାହୁଁଛି ଯେ ସିବିଆଇ ଶୀଘ୍ର ତଦନ୍ତ ନ କଲେ ପ୍ରମାଣ ନଷ୍ଟ କରାଯାଇପାରେ ଓ ସାକ୍ଷୀଙ୍କୁ ଧମକା ଯାଇପାରେ ।
ସିବିଆଇ ତଦନ୍ତ ପାଇଁ ପରିବାର ପକ୍ଷରୁ, ବଲିଉଡ୍ରୁ ଓ ସାରା ଦେଶରେ ଲଗାତାର ଦାବି ଏ ନେଇ ଦାବି ଉଠିବା ପରେ ଏକ ଷ୍ଟେଟ୍ମେଣ୍ଟ ଜାରି କରିଛନ୍ତି ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଓକିଲଙ୍କ ମାଧ୍ୟମରେ ଜାରି ମନ୍ତବ୍ୟରେ ରିୟା ଚକ୍ରବର୍ତ୍ତୀ କହିଛନ୍ତି ଯେ ସେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ସପକ୍ଷରେ ଅଛନ୍ତି । ସେ ହିଁ ପ୍ରଥମେ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ (Home Minister Amit Shah) ଟ୍ବିଟ୍ କରି ସିବିଆଇ ତଦନ୍ତ କରାଇବାକୁ ଦାବି କରିଥିଲେ । ଏହା ହେଲେ ସବୁ ସତ କଥା ସାମ୍ନାକୁ ଆସିବ ବୋଲି ରିୟା କହିଛନ୍ତି ।
ରିୟା ଜାରି କରିଥିବା ବୟାନରେ ସୁଶାନ୍ତ ମାମଲାରେ ସଫେଇ ବି ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ଉପରେ ଲଗାଯାଇଥିବା ସବୁ ଅଭିଯୋଗ ମିଛ । ଜୁଲାଇ ୨୭ ଯାଏଁ ସୁଶାନ୍ତଙ୍କ ପରିବାରର କୌଣସି ବି ସଦସ୍ୟଙ୍କ ପକ୍ଷରୁ କୌଣସି ଅଭିଯୋଗ କରାଯାଇ ନ ଥିଲା । କେବଳ ମୁମ୍ବାଇ ପୋଲିସ୍ ତାଙ୍କ ବୟାନ ରେକର୍ଡ କରିଥିଲା । ରିୟାଙ୍କ କହିବା ଅନୁସାରେ ସେ ମୁମ୍ବାଇ ପୋଲିସ୍ ଓ ଇଡିକୁ ନିଜର ଆର୍ଥକ କାରବାର ସମ୍ପର୍କିତ ସବୁ ଦସ୍ତାବିଜ୍ ଦେଇ ସାରିଛନ୍ତି । ଏହି ଦସ୍ତାବିଜ୍ରୁ ସ୍ପଷ୍ଟ ହେଉଛି ଯେ ସବୁ ଅଭିଯୋଗ ମିଛ ଓ ଭିତ୍ତିହୀନ ।

ଏହି ବିଲ୍ଡିଂରୁ ଖସି ଦିଶା ପ୍ରାଣ ହରେଇଥିଲେ (ଫଟୋ: ମୁମ୍ବାଇ ମିରର୍)
ରିୟା କହିଛନ୍ତି ଯେ ତାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଟିଏ ବି କୌଣସି ଠାରୁ ଟ୍ରାନ୍ସଫର ହୋଇନାହିଁ । ସେ କହିଛନ୍ତି ମୁମ୍ବାଇ ପୋଲିସ୍ ଓ ଇଡି ତାଙ୍କ ଆୟକର ରିଟର୍ଣ୍ଣର ବି ତଦନ୍ତ କରିସାରିଛନ୍ତି । ତଦନ୍ତରେ ତାଙ୍କ ବିରୋଧରେ କୌଣସି ଜାଲିଆତି ମିଳାନାହିଁ ।
ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଏବେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ସାମ୍ନାକୁ ଆସିଛି ସୁଶାନ୍ତ ଓ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ଙ୍କ ମଧ୍ୟରେ ହ୍ବାଟସ୍ଆପ୍ ବାର୍ତ୍ତା । ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ହିଁ ଦିଶା ସାଲିଆନଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଦିଶା ଏକ ବହୁତଳ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଇଥିଲେ ବି ସୁଶାନ୍ତଙ୍କ ଭଳି ତାଙ୍କ ମୃତ୍ୟୁକୁ ନେଇ ମଧ୍ୟ ରହିଛି ସନ୍ଦେହ ।
ଏହା ବି ପଢ଼ନ୍ତୁ | ବାଲେଶ୍ୱର: MBA ଛାତ୍ର ଠାରୁ ୧.୩ କିଲୋ ବ୍ରାଉନ ସୁଗାର ଜବତ ହେଲା; ବଜାର ଦାମ ୧ କୋଟି ଟଙ୍କା
ଏହା ବି ପଢ଼ନ୍ତୁ | ଡ୍ରିମ୍ -୧୧ ଆଇପିଏଲର ନୂତନ ଟାଇଟଲ୍ ସ୍ପୋନାସର୍ ହେଲା; ୨୨୨ କୋଟିରେ କିଣିଲା ଏହି ଅଧିକାର
ତଦନ୍ତ କରୁଥିବା ମୁମ୍ବାଇ ପୋଲିସ୍ କମିଶନର ପରମବୀର ସିଂ କହିଥିଲେ ସୁଶାନ୍ତ ସିଂ ଦିଶାଙ୍କୁ ଜାଣି ବି ନ ଥିଲେ । କିନ୍ତୁ ଏବେ ସାମ୍ନାକୁ ଆସିଥିବା ହ୍ବାଟସଆପ୍ ମେସେଜ୍ରୁ ଜଣାପଡ଼ିଛି ଯେ ସୁଶାନ୍ତ ଓ ଦିଶାଙ୍କ ମଧ୍ୟରେ ଅତି ନିକଟ ସମ୍ପର୍କ ଥିଲା ଓ ଉଭୟ ମଧ୍ୟରେ ସମ୍ପର୍କ ଖୁବ୍ ଭଲ ଥିଲା । ଏହି ହ୍ବାଟସଆପ୍ ଚାଟ୍ ହେଉଛି ଗତ ଏପ୍ରିଲ୍ ମାସର । ଏଥିରେ କେତେକ ବିଜ୍ଞାପନ ଡିଲ୍ ବାବଦରେ ସୁଶାନ୍ତ ଓ ଦିଶାଙ୍କ ମଧ୍ୟରେ ହୋଇଥିଲା ଆଲୋଚନା ।
ସୁଶାନ୍ତ ମୃତ୍ୟୁ ମାମଲାରେ ପ୍ରତି ଦିନ ନୂଆ ନୂଆ ଦିଗ ସାମ୍ନାକୁ ଆସୁଥିବା ବେଳେ ପ୍ରକୃତରେ ସୁଶାନ୍ତ, ଦିଶା ସାଲିଆନ୍ ଓ ରିୟାଙ୍କର କଣ କନେକ୍ସନ୍ ଅଛି ତାହା ଏବେ ବି ଅସ୍ପଷ୍ଟ ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।