News18 Odia Digital
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା (Sushant Singh Rajput suicide) ମାମଲାରେ ମୁମ୍ବାଇ ପୋଲିସର (Mumbai Police) ଏକ ବଡ଼ ଅବହେଳା ସାମ୍ନାକୁ ଆସିଛି । ଖବର ଅନୁସାରେ ମୁମ୍ବାଇ ପୋଲିସ ଅଜାଣତରେ ସୁଶାନ୍ତଙ୍କ ମୃତ୍ୟୁର ମାତ୍ର ପାଞ୍ଚ ଦିନ ତଳେ ହୋଇଥିବା ତାଙ୍କ ପୂର୍ବ ମ୍ୟାନେଜର୍ ଦିଶା ସାଲିଆନଙ୍କ (Disha Salian) ସନ୍ଦେହଜନକ ମୃତ୍ୟୁ ସହ ଜଡ଼ିତ ଫୋଲ୍ଡରକୁ କମ୍ପ୍ୟୁଟରରୁ ଡିଲିଟ୍ କରିଦିଆଯାଇଛି ।
ଏପରିକି ମୁମ୍ବାଇ ପୋଲିସ୍ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବାକୁ ମୁମ୍ବାଇ ପହଞ୍ଚିଥିବା ବିହାର ପୋଲିସ (Bihar Police) ଟିମକୁ ଦିଶାଙ୍କ କମ୍ପ୍ୟୁଟର / ଲାପଟପ୍ ଦେଉ ନ ଥିବା ଅଭିଯୋଗ ହୋଇଛି । ବିହାର ପୋଲିସ କହିଛି ଯେ ଯଦି ସେମାନଙ୍କୁ ଦିଶାଙ୍କ ଲାପଟପ୍ ଦିଆଯାଏ, ତେବେ ସେମାନେ ପୁଣି ସେହି ଫୋଲ୍ଡରଟିକୁ ଖୋଜି ପାଇପାରିବେ । ବିହାର ପୋଲିସ ସହିତ ଏହି ମାମଲାରେ ମୁମ୍ବାଇ ପୋଲିସ ପକ୍ଷରୁ ଯେଉଁ ପ୍ରକାରର ବିବୃତ୍ତି ରଖାଯାଇଛି ତାହା ଏବେ ମୁମ୍ବାଇ ପୋଲିସର କାର୍ଯ୍ୟକାରିତାକୁ ସନ୍ଦେହ ଘେରରେ ଆଣି ଠିଆକରିଛି ।
୨୮-ବର୍ଷୀୟା ସେଲିବ୍ରିଟି ମ୍ୟାନେଜର୍ ଦିଶା ମୁମ୍ବାଇର ମାଲାଡର ଜନକଲ୍ୟାଣ ନଗର ଅଞ୍ଚଳରେ ଥିବା ଏକ ବହୁତଳ କୋଠାର ୧୨ତମ ତମ ମହଲାରୁ ତଳକୁ ଖସିପଡିଥିଲେ । ‘ମୁମ୍ବାଇ ମିରର’ରେ ପ୍ରକାଶିତ ଖବର ଅନୁସାରେ ଦାଦରରେ ନିଜ ମାଆବାପାଙ୍କ ସହ ରହୁଥିବା ଦିଶା କେତେକ ସାଙ୍ଗଙ୍କ ସହ ମାଲାଡ଼ ଆସିଥିଲେ ।

ଏହି ବିଲ୍ଡିଂରୁ ଖସି ଦିଶା ପ୍ରାଣ ହରେଇଥିଲେ (ଫଟୋ: ମୁମ୍ବାଇ ମିରର୍)
ସୂଚନା ଅନୁଯାୟୀ ବିହାର ପୋଲିସର ଟିମ୍ ଶନିବାର ସନ୍ଧ୍ୟାରେ ଦିଶା ସଲାୟାନଙ୍କ ଆତ୍ମହତ୍ୟା (Disha Salian sudden death or suicide) ମାମଲା ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବା ପାଇଁ ମାଲଭାନୀ ପୋଲିସ ଷ୍ଟେସନରେ ପହଞ୍ଚିଥିଲା । ସୂଚନା ଅନୁସାରେ ଏହି ମାମଲାରେ ମୁମ୍ବାଇ ପୋଲିସର ଅନୁସନ୍ଧାନକାରୀ ଅଧିକାରୀ ମଧ୍ୟ ସମସ୍ତ ତଥ୍ୟ ମୌଖିକ ଭାବେ ବିହାର ପୋଲିସ୍ ଟିମକୁ ଦେଉଥିଲେ । ହେଲେ ଏତିକି ବେଳେ ମୁମ୍ବାଇ ପୋଲିସର ସେହି ଅଧିକାରୀଙ୍କୁ କୌଣସି ସ୍ଥାନରୁ ଏକ ଫୋନ୍ କଲ୍ ଆସିଲା, ଆଉ ତା’ ପରେ ସବୁ କିଛି ବଦଳିଗଲା ।
ଏହା ବି ପଢ଼ନ୍ତୁ: ନିଜ ପ୍ରେମକୁ ଲୁଚାଇବାକୁ ହତ୍ୟାକାରୀ ହେଲା ଭଉଣୀ, ପ୍ରେମିକ ସହ ମିଶି ସାନ ଭାଇକୁ ମାରିଦେଲାଏହା ବି ପଢ଼ନ୍ତୁ: ଭୁବନେଶ୍ୱରରେ ଛାତ୍ରୀର ମୃତ୍ୟୁ: ଝୁଲନ୍ତା ଶବର ହାତ-ଗୋଡ଼ ବନ୍ଧା ହୋଇଥିଲା; ତେଣୁ ଆତ୍ମହତ୍ୟା କେମିତି?ପୋଲିସର ସୂତ୍ରଙ୍କ ଅନୁସାରେ ସେହି ଘଟଣା ପରେ ପରେ ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ ଅଜାଣତରେ ଦିଶା ସାଲିୟାନଙ୍କ କଥିତ ଆତ୍ମହତ୍ୟା (Disha Salian suicide) ସହ ଜଡ଼ିତ ଫାଇଲର ଫୋଲ୍ଡରଟି ଡିଲିଟ୍ ହୋଇଯାଇଛି । ଏହା ପରେ ବିହାର ପୋଲିସକୁ ଦିଶାଙ୍କ କମ୍ପ୍ୟୁଟର / ଲାପଟପ୍ ମଧ୍ୟ ଦିଆଯାଇ ନ ଥିଲା।
ଏହା ପୂର୍ବରୁ NEWS18 ପାଖରେ ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ ସହ ଜଡ଼ିତ ଯାହା ସୂଚନା ଅଛି ତା’ ଅନୁସାରେ ଏହି ଘଟଣାରେ ତଦନ୍ତ ଅଧିକାରୀଙ୍କ ଦ୍ୱାରା ମିଳିଥିବା ପ୍ରାରମ୍ଭିକ ପ୍ରମାଣ ସେହି ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ । ତା’ ଛଡ଼ା ସେଦିନ ସୁଶାନ୍ତଙ୍କ ଘରୁ ଭିଡିଓଗ୍ରାଫର ରେକର୍ଡ କରିଥିବା ଭିଡିଓର ବର୍ଣ୍ଣନା ବି ଏହି ରିପୋର୍ଟରେ ଦିଆଯାଇ ନାହିଁ ।
ଏପରିକି ସୁଶାନ୍ତଙ୍କ ମୃତ ଶରୀରର ଉଚ୍ଚତା କିମ୍ବା କୌଣସି ପରିଚୟ ଚିହ୍ନ ବି ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ ବୋଲି ସୂଚନା ମିଳିଛି । ଏ ସବୁ ତଥ୍ୟ ଅନୁସାରେ ଏବେ ସନ୍ଦେହ କରାଯାଉଛି ଯେ ମୁମ୍ବାଇ ପୋଲିସ୍ ଦ୍ୱାରା ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ବହୁତ ଖାମଖିଆଲି ଢଙ୍ଗରେ କରାଯାଉଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।