ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା: ସୁପ୍ରିମ କୋର୍ଟରେ ଦୋଷୀ ଅକ୍ଷୟ ସିଂର ଆବେଦନ ଖାରିଜ; ମୃତ୍ୟୁ ଦଣ୍ଡ ମିଳିବ

ସଲିସିଟର ଜେନେରାଲ ତୁଷାର ମେହଟା ଖଣ୍ଡପୀଠକୁ କହିଥିଲେ ଯେ କେତେକ ଅପରାଧ ଏମିତି ଥାଏ ଯେଉଁଥିରେ ‘‘ମାନବତା କାନ୍ଦେ’’, ଆଉ ଅକ୍ଷୟ ସିଂ ଠାକୁରର ଅପରାଧ ସେହି ଶ୍ରେଣୀର ।

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା: ସୁପ୍ରିମ କୋର୍ଟରେ ଦୋଷୀ ଅକ୍ଷୟ ସିଂର ଆବେଦନ ଖାରିଜ; ମୃତ୍ୟୁ ଦଣ୍ଡ ମିଳିବ
ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚ଼ାରି ଜଣ ଦୋଷୀ
  • News18 Odia
  • Last Updated: December 18, 2019, 8:41 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶି ଦଣ୍ଡ ପାଇଥିବା ଅଭିଯୁକ୍ତ ଅକ୍ଷୟ କୁମାର ସିଂହ ଠାକୁରର ରିଭ୍ୟୁ ପିଟିସନ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି ।

ଜଷ୍ଟିସ ଭାନୁମତିଙ୍କ ଅଧ୍ୟକ୍ଷତାରେ ସୁପ୍ରିମ କୋର୍ଟର ତିନିଜଣିଆ ଖଣ୍ଡପୀଠ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ ସିଂର ପୁନର୍ବିଚାର ଆବେଦନ ଉପରେ ଶୁଣାଣି କରି କହିଥିଲା ଯେ ତା’ର ଅପରାଧ କ୍ଷମା ଯୋଗ୍ୟ ନୁହେଁ ।

ବୁଧବାର ସକାଳେ ପାଖାପାଖି ୪୫ ମିନିଟ ଧରି ଏହି ଆବେଦନ ଉପରେ ଶୁଣାଣି ଚ଼ାଲିଥିଲା । ସେହି ସମୟରେ ସଲିସିଟର ଜେନେରାଲ ତୁଷାର ମେହଟା ଖଣ୍ଡପୀଠକୁ କହିଥିଲେ ଯେ କେତେକ ଅପରାଧ ଏମିତି ଥାଏ ଯେଉଁଥିରେ ‘‘ମାନବତା କାନ୍ଦେ’’, ଆଉ ଅକ୍ଷୟ ସିଂ ଠାକୁରର ଅପରାଧ ସେହି ଶ୍ରେଣୀର ।

‘‘ଏ ଦୋଷି କୌଣସି ପ୍ରକାର ଦୟାର ଯୋଗ୍ୟ ନୁହେଁ । ଭଗବାନ ବି ଏମିତି ରାକ୍ଷସକୁ ମଣିଷ ରୂପରେ ବନେଇ ନିଜକୁ ଲଜ୍ଜିତ ମନେ କରୁଥିବେ,’’ କହିଥିଲେ ମେହଟା ।

ଶୁଣାଣି ବେଳେ ଅକ୍ଷୟର ଓକିଲ ଡଃ ଏ.ପି. ସିଂ କୋର୍ଟକୁ କହିଥିଲେ ଯେ ତାଙ୍କ ପାଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ବିଷୟରେ ନୂତନ ତଥ୍ୟ ଅଛି । ଅକ୍ଷୟକୁ ମିଡିଆ, ପବ୍ଲିକ ଓ ରାଜନୈତିକ ଚ଼଼ାପରେ ଦୋଷି ସାବ୍ୟସ୍ତ କରି ଦିଆଯାଇଥିଲା ବୋଲି ସେ କହିଥିଲେ ।

ଦେଶର ରାଜଧାନୀ ଦିଲ୍ଲୀରେ ୧୬ ଡିସେମ୍ବର ୨୦୧୨ ରେ ଏକ ଚ଼ଳନ୍ତା ବସ୍‌ରେ ୨୩ ବର୍ଷିୟା ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ବର୍ବରତାର ସବୁ ସୀମା ଟପିଯାଇଥିଲେ ଅପରାଧୀ ।

ଘଟଣାର ଦୁଇ ଦିନ ପରେ ଡ୍ରାଇଭର ରାମ ସିଂ ଓ ଅନ୍ୟ ୩ ଅଭିଯୁକ୍ତ ଗିରଫ ହୋଇଥିଲେ । ୨୧ ଓ ୨୨ ଡିସେମ୍ବରରେ ନାବାଳକ ସମେତ ପଞ୍ଚମ ଓ ଷଷ୍ଠ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ସିଙ୍ଗାପୁର ପଠାଯାଇଥିଲା । ସେଠାରେ ପହଞ୍ଚିବାର ଦିନକ ପରେ ୨୯ ଡିସେମ୍ବରରେ ସେ ଆଖି ବୁଜିଥିଲେ ।

ଏହି ଘଟଣା ଯୋଗୁଁ  ଲଜ୍ଜିତ, କ୍ରୋଧିତ ହୋଇଥିଲା ଦେଶ । ସୃଷ୍ଟି ହୋଇଥିଲା ଜନ ଆକ୍ରୋଶ ।  ବିଦେଶରେ ବି ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଏହି ଘଟଣା ।
First published: December 18, 2019, 8:41 AM IST
corona virus btn
corona virus btn
Loading