News18 Odia Digital
ନୂଆ ଦିଲ୍ଲୀ: ଦେଶର ସର୍ବୋଚ୍ଚ କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ କଥାର ଶୁଣାଣି କରିବା ପୂର୍ବରୁ ସାରା ଦେଶରେ ଲାଗୁ ହୋଇଯାଇଥିବା ନାଗରିକତା ସଂଶୋଧନ ଆଇନ (CAA) ଉପରେ କୌଣସି ରୋକ ଲଗେଇବାର ନିର୍ଦେଶ ଦିଆଯିବ ନାହିଁ ।
ନାଗରିକତା ସଂଶୋଧନ ଆଇନର ବୈଧତାକୁ ଚ଼୍ୟାଲେଞ୍ଜ କରି ଭାରତୀୟ ମୁସଲିମ ଲିଗ୍ (IUML), କଂଗ୍ରେସ ନେତା ଜୟରାମ ରମେଶ ଓ କିଛି ଅନ୍ୟଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚ଼ିକାଗୁଡ଼ିକର ଶୁଣାଣି କରି ସୁପ୍ରିମ କୋର୍ଟର ମୁଖ୍ୟ ବିଚ଼ାରପତି ଏସ୍.ଏ. ବୋବଡ଼େଙ୍କ ନେତୃତ୍ୱାଧୀନ ଏକ ଖଣ୍ଡପୀଠ ଏ କଥା କହିଛନ୍ତି ।
କେନ୍ଦ୍ର ସରକାରଙ୍କ ତରଫରୁ କୋର୍ଟରେ ଉପସ୍ଥିତ ରହି ଅଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଲ କହିଛନ୍ତି ଯେ ସରକାରଙ୍କୁ ଏ ପର୍ଯ୍ୟନ୍ତ ୧୪୪ଟି ଯାଚ଼ିକା ମଧ୍ୟରୁ ମାତ୍ର ୬୦ଟିର ପ୍ରତି ମିଳିଛି । ସବୁ ପିଟିସନ୍ଗୁଡ଼ିକ ଉପରେ ଯଥାବିଧି ପ୍ରତ୍ୟୁତ୍ତର ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ଆହୁର୍ ସମୟ ଦରକାର ବୋଲି ସେ କୋର୍ଟକୁ କହିଛନ୍ତି । କୋର୍ଟ ସରକାରଙ୍କୁ ଉତ୍ତର ରଖିବା ପାଇଁ ଚ଼ାରି ସପ୍ତାହ ଦେଇଛନ୍ତି ।
ଆସାମର ପୂର୍ବ ମୁଖ୍ୟ ମନ୍ତ୍ରୀ ତରୁଣ ଗୋଗୋଇ କହିଛନ୍ତି ଯେ ସାରା ଦେଶ ଏ ପର୍ଯ୍ୟନ୍ତ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଗରମ ହୋଇ ରହିଛି, ହେଲେ ଏହି ଆଇନର ‘‘ଆଦୌ ଆବଶ୍ୟକତା ନାହିଁ’’ ।
‘‘ସିଏଏ ବିରୋଧରେ ୧୪୪ଟି ପିଟିସନ୍ ଦାୟର ହୋଇ ସାରିଛି, ବିରୋଧ ଏ ପର୍ଯ୍ୟନ୍ତ ହୋଇଚାଲିଛି, ସମଗ୍ର ସ୍ଥିତି ଭାରି ଗମ୍ଭୀର, ମାତ୍ର ଦେଶର ଗୃହ ମନ୍ତ୍ରୀ କହୁଛନ୍ତି ଯେ ଏ ଆଇନକୁ ସବୁ ମୂଲ୍ୟ ଦେଇ ଲାଗୁ କରାଯିବ । ସମାଜର ସବୁ ବର୍ଗ ଏହି ଆଇନକୁ ବିରୋଧ କରୁଛନ୍ତି… ଆମର ଆଶା ଓ ବିଶ୍ୱାସ ସୁପ୍ରିମ କୋର୍ଟଙ୍କ ଉପରେ ରହିଛି,’’ କହିଛନ୍ତି ଗୋଗୋଇ ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।