ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମଧ୍ୟ ପ୍ରଦେଶ ସଙ୍କଟ ଲମ୍ବିଲା; ସୁପ୍ରିମ କୋର୍ଟରେ ଆସ୍ଥା ଭୋଟ୍ ମାମଲାର ଶୁଣାଣି କାଲି ହେବ

ମଧ୍ୟ ପ୍ରଦେଶ ସଙ୍କଟ ଲମ୍ବିଲା; ସୁପ୍ରିମ କୋର୍ଟରେ ଆସ୍ଥା ଭୋଟ୍ ମାମଲାର ଶୁଣାଣି କାଲି ହେବ

ଶିବରାଜ ସିଂ ଚୌହାନଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ହାଜର ହୋଇ ବରିଷ୍ଠ ଓକିଲ ମୁକୁଲ ରୋହତାଗୀ କହିଥିଲେ ଏହି ମାମଲାରେ ଗଣତନ୍ତ୍ରର ସମ୍ପୂର୍ଣ୍ଣ ଦୁରୁପଯୋଗ ହେଉଛି ଓ କଂଗ୍ରେସ ନେତାମାନେ ପୂର୍ବ ସୂଚନା ଥାଇ ମଧ୍ୟ ଶୁଣାଣି ପାଇଁ ଆଜି କୋର୍ଟରେ ଜାଣିଶୁଣି ହାଜର ହୋଇନାହାନ୍ତି ।

ମଧ୍ୟ ପ୍ରଦେଶ ସଙ୍କଟ ଲମ୍ବିଲା; ସୁପ୍ରିମ କୋର୍ଟରେ ଆସ୍ଥା ଭୋଟ୍ ମାମଲାର ଶୁଣାଣି କାଲି ହେବ
ଗତ କାଲି (ମାର୍ଚ୍ଚ ୧୬) ମଧ୍ୟ ପ୍ରଦେଶ ବିଧାନ ସଭାର ଏକ ଦୃଶ୍ୟ
  • News18 Odia
  • Last Updated: March 17, 2020, 2:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୋପାଳ: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂ ଚୌହାନଙ୍କ ବିଧାନ ସଭାରେ ତୁରନ୍ତ ଶକ୍ତି ପରୀକ୍ଷା ହେଉ ବୋଲି ନିର୍ଦ୍ଦେଶ ଦାବି କରି ଦାୟର ଯାଚ଼ିକା ଉପରେ ସୁପ୍ରିମ କୋର୍ଟ ଆସନ୍ତା କାଲି ସକାଳ ୧୦:୩୦ରେ ଶୁଣାଣି କରିବେ । ଏହି ଯାଚ଼ିକା ଉପରେ ନ୍ୟାୟମୂର୍ତ୍ତି ଡି.ୱାଇ. ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଗଠିତ ସର୍ବୋଚ୍ଚ କୋର୍ଟର ଏକ ଖଣ୍ଡପୀଠ କମଳ ନାଥ ସରକାର ଓ କିଛି ଅନ୍ୟଙ୍କଠାରୁ ଜବାବ ମାଗିଛନ୍ତି ।

ଗତ କାଲି ବାଚସ୍ପତି ଏନ୍‌.ପି. ପ୍ରଜାପତି କରୋନା ଭାଇରସ୍ ଉପରେ ଚ଼ିନ୍ତାକୁ ଦର୍ଶାଇ ଫ୍ଲୋର ପରୀକ୍ଷା ନ କରି ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଗୃହକୁ ସ୍ଥଗିତ ରଖିଥିଲେ । ଏହି ପଦକ୍ଷେପକୁ ଅନେକ ବିଜେପି ନେତା ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିର୍ଦ୍ଦେଶର ଅବମାନନା ଭାବେ ଗ୍ରହଣ କରିଛନ୍ତି। ବାଚ଼ସ୍ପତିଙ୍କ ନିଷ୍ପତ୍ତିର କୋଇ ଘଣ୍ଟା ପରେ ଚୌହାନ ଓ ରାଜ୍ୟ ବିରୋଧୀ ଦଳର ନେତାଙ୍କ ସମେତ ମୋଟ ଦଣ ଜଣ ବିଜେପି ନେତା ଏହି ମାମଲାରେ ଗତ କାଲି ସୁପ୍ରିମ କୋର୍ଟରେ ଯାଚ଼ିକା ଦାୟର କରିଥିଲେ ।

ଚୌହାନଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ ମୁକୁଲ ରୋହତାଗୀ ଯୁକ୍ତି କରିଥିଲେ ଯେ ଏହି ମାମଲାରେ ଗଣତନ୍ତ୍ରର ସମ୍ପୂର୍ଣ୍ଣ ଦୁରୁପଯୋଗ ହେଉଛି । ଅପର ପକ୍ଷ (କଂଗ୍ରେସ ସରକାର) ପୂର୍ବ ସୂଚନା ଥାଇ ମଧ୍ୟ ଆଜି ଶୁଣାଣି ପାଇଁ କୋର୍ଟରେ ଜାଣିଶୁଣି ହାଜର ହୋଇନାହିଁ ।

ରୋହତାଗୀ ଯୁକ୍ତି ବାଢ଼ିଥିଲେ ଯେ ଅନ୍ୟ ପକ୍ଷ (କଂଗ୍ରେସ ସରକାର) ଏହି ମାମଲାରେ ବିଳମ୍ବ କରିବାକୁ ଓ ସମୟ ଅଧିକ ପାଇବାକୁ ଚାହୁଁଛନ୍ତି। ତେବେ କୋର୍ଟ କହିଥିଲେ ଯେ ଏହି ମାମଲାରେ ଏକ ନୋଟିସ୍‌ ଜାରି କରି ସବୁ ପକ୍ଷଙ୍କ ଠାରୁ ପ୍ରତିକ୍ରିୟା ଲୋଡ଼ାଯିବ । ଯେଉଁ ୧୬ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଇସ୍ତଫା ବାଚ଼ସ୍ପତି ଏ ପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି ସେମାନଙ୍କ ତରଫରୁ ବରିଷ୍ଠ ଓକିଲ ମନିନ୍ଦର ସିଂ କୋର୍ଟରେ ପକ୍ଷ ରଖିଥିଲେ ।

ଗତ କାଲି (ମାର୍ଚ୍ଚ ୧୬) ବିଧାନ ସଭାରେ କମଳ ନାଥ


ନିକଟରେ ବିଜେପିରେ ମିଶିଥିବା ପୂର୍ବ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅନୁଗତ ୨୨ ଜଣ କଂଗ୍ରେସ ବିଧାୟକ ଏହି ମାସ ଆରମ୍ଭରେ କମଳ ନାଥଙ୍କ ସରକାର ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଥିବା କହି ଅସନ୍ତୋଷ ଯୋଗୁଁ ଇସ୍ତଫା ଦେଇଥିଲେ ।

ବାଚସ୍ପତି ବିରୋଧୀ ଦଳ କଂଗ୍ରେସର ଛଅ ଜଣ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି, କିନ୍ତୁ ଅବଶିଷ୍ଟ ୧୬ ଜଣ ବିଧାୟକଙ୍କ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି । କରୋନା ଭାଇରସର ଭୟକୁ ଦୃଷ୍ଟିରେ ରଖି ବାଚସ୍ପତି ଗତ କାଲି ବିଧାନ ସଭା ଅଧିବେଶନକୁ ମାର୍ଚ୍ଚ ୨୬କୁ ସ୍ଥଗିତ ରଖିବା ପରେ ଚୌହାନ ସୋମବାର ସୁପ୍ରିମ କୋର୍ଟଙ୍କ ନିକଟକୁ ଯାଇଥିଲେ ।

ରାଜ୍ୟପାଳଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ କମଳ ନାଥଙ୍କ କଂଗ୍ରେସ ସରକାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗତ କାଲି ଆସ୍ଥା ଭୋଟ୍‌ କରି ନ ଥିବାରୁ ବିଜେପି ଅସନ୍ତୋଷ ପ୍ରକାଶ କରିଥିଲା । ଏହା ପୂର୍ବରୁ ସୋମବାର ଦିନ ବିଜେପି ନିଜର ୧୦୬ ଜଣ ବିଧାୟକଙ୍କୁ ରାଜ ଭବନରେ ପ୍ୟାରେଡ କରିଥିଲା ।

ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡାଙ୍କ ଉପସ୍ଥିତିରେରେ ଦଳରେ ଯୋଗ ଦେଉଛନ୍ତି । (ଫାଇଲ୍‌ ଫଟୋ)


ସୋମବାର ସନ୍ଧ୍ୟାରେ ରାଜ୍ୟପାଳ ମୁଖ୍ୟ ମନ୍ତ୍ରୀ କମଳ ନାଥଙ୍କୁ ଏକ ଅଲ୍ଟିମେଟମ୍ ଭରା ଚିଠି ଲେଖି କହିଥିଲେ ଯେ ତାଙ୍କ ମାର୍ଚ୍ଚ ୧୪ ଚିଠିର ସେ (କମଳ ନାଥ) ଦେଇଥିବା ଉତ୍ତରର ଭାଷା ଓ ଭାବନା ସଂସଦୀୟ ମର୍ଯ୍ୟାଦାର ଅନୁକୁଳ ନ ଥିଲା । ‘‘ମୁଁ ୧୬ ମାର୍ଚ୍ଚରେ ବିଧାନସ ଭାରେ ଆସ୍ଥା ଭୋଟ୍ ପାଇଁ ଅନୁରୋଧ କରିଥିଲି । ଅଧିବେଶନ ଆରମ୍ଭ ହୋଇଥିଲା, କିନ୍ତୁ ଆପଣ ଆସ୍ଥା ଭୋଟ୍ ପାଇବା ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ ବା ସେଥି ପାଇଁ କୌଣସି ଅର୍ଥପୂର୍ଣ୍ଣ ଉଦ୍ୟମ କରି ନ ଥିଲେ, ବରଂ ଗୃହକୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା,’’ ଲେଖିଥିଲେ ଟଣ୍ଡନ ।

ସେ ଏହି ଚିଠିରେ ଆହୁରି ଲେଖିଥିଲେ ଯେ କମଳ ନାଥ ନିଜ ଚିଠିରେ ଉଲ୍ଲେଖ କରିଥିବା ସୁପ୍ରିମ କୋର୍ଟଙ୍କ ପୂର୍ବ ନିଷ୍ପତ୍ତି ବର୍ତ୍ତମାନ ପରିସ୍ଥିତି ଓ ତଥ୍ୟ ଅନୁସାରେ ରାଜ୍ୟରେ ପ୍ରଯୁଜ୍ୟ ନୁହେଁ। ‘‘ଆସ୍ଥା ଭୋଟ୍ ପାଇବା ନିଷ୍ପତ୍ତି କେବଳ ଗୃହରେ ଫ୍ଲୋର୍ ଟେଷ୍ଟ ମାଧ୍ୟମରେ ଚୂଡାନ୍ତ ହୋଇପାରେ | ଦୁଃଖର ବିଷୟ ଯେ ଆପଣ ଏଥିରେ ଅକ୍ଷମତା ଓ ଅସାବଧାନତା ପ୍ରକାଶ କରିଛନ୍ତି, ଯାହାର ଔଚିତ୍ୟ ନାହିଁ । ଫ୍ଲୋର୍‌ ଟେଷ୍ଟ ନ କରିବା ପାଇଁ ଦିଆଯାଇଥିବା କାରଣଗୁଡ଼ିକ ମଧ୍ୟ ଭିତ୍ତିହୀନ ଓ ଅର୍ଥହୀନ ଥିଲା,’’ ଲେଖିଛନ୍ତି ଟଣ୍ଡନ ।

ସୋମବାର ସକାଳେ ରାଜ୍ୟପାଳଙ୍କ ଅଭିଭାଷଣ ସହିତ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା । ଏହି ସମୟରେ ବିଜେପିର ଡକ୍ଟର ନରୋତ୍ତମ ମିଶ୍ର କମଳ ନାଥ ସରକାରଙ୍କ ସଂଖ୍ୟାଲଘୁଙ୍କ ବିଷୟରେ ଆଲୋଚନା କରିଥିଲେ, କିନ୍ତୁ ରାଜ୍ୟପାଳ ଏହାକୁ ଅଣଦେଖା କରି ନିଜ ଅଭିଭାଷଣ ଶେଷ କରିଥିଲେ । ସମସ୍ତଙ୍କୁ ସେମାନଙ୍କର ଦାୟିତ୍ୱ ନିଷ୍ଠାର ସହ ପୂରଣ କରିବାକୁ ସେ ପରାମର୍ଶ ଦେଇଥିଲେ । ପରମ୍ପରା ଅନୁଯାୟୀ ସମ୍ବିଧାନର ନିର୍ଦ୍ଦେଶ ଓ ନିୟମ ଅନୁସରଣ କରିବାକୁ କହିଥିଲେ । ହେଲେ ସେ ଗୃହରୁ ବାହାରିଯିବା ମାତ୍ରେ ବାଚସ୍ପତି ଏନ.ପି. ପ୍ରଜାପତି ଆସି ଆସନ ଉପରେ ବସି କିଛି ମିନିଟ୍ ବସିଥିଲେ ଓ କରୋନା ଭାଇରସ୍‌ ଯୋଗୁଁ ଗୃହକୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଆଦେଶ ଦେଇଥିଲେ ।
First published: March 17, 2020, 2:00 PM IST