News18 Odia Digital
ନୂଆ ଦିଲ୍ଲୀ: ଦେଶର ବଡ଼ ତଦନ୍ତକାରୀ ସଂସ୍ଥାମାନେ ପ୍ରଶ୍ନ ଘେରକୁ ଆସିଛନ୍ତି । ସେମାନଙ୍କ କର୍ତ୍ତବ୍ୟନିଷ୍ଠା ଓ ସତ୍ୟ ପ୍ରତି ଆଗ୍ରହ ଉପରେ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ଦେଶର ସର୍ବୋଚ୍ଚ କୋର୍ଟ । ଝାଡ଼ଖଣ୍ଡର ଧାନବାଦରେ ଜଣେ ଜଜଙ୍କୁ ରାସ୍ତା ଉପରେ ଜାଣିଶୁଣି ଅଟୋରିକ୍ସାରେ ଧକ୍କା ମାରି ହତ୍ୟା ମାମଲାର ଶୁଣାଣି କରି ଉଭୟ ସିବିଆଇ ଓ ଆଇବି ଉପରେ ଖପ୍ପା ହୋଇଛନ୍ତି ସୁପ୍ରିମ କୋର୍ଟ । ଉଭୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ପ୍ରଧାନ ବିଚାରପତି ଏନ୍.ଭି. ରମଣା ।
‘‘ଦୁଃଖ ଲାଗୁଛି ଯେ ଅଭିଯୋଗ କରିବା ପରେ ବି ଦେଶର ତଦନ୍ତକାରୀ ସଂସ୍ଥାମାନେ ନ୍ୟାୟପାଳିକାକୁ ସହଯୋଗ କରୁନାହାନ୍ତି । ବଡ଼ ବଡ଼ ମାମଲାରେ ବିଚାର କରୁଥିବା ବିଚାରପତିମାନଙ୍କୁ ବିଭିନ୍ନ ସମୟରେ ଅନେକ ଧମକ ଚମକ ମିଳୁଛି । ଏ ବିଷୟରେ ପୋଲିସ, ଆଇବି କିମ୍ବା ସିବିଆଇକୁ ଅବଗତ କଲେ ମଧ୍ୟ ସେମାନେ ପଦକ୍ଷେପ ନେଉନାହାନ୍ତି,’’ କହିଛି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମଣା ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଦୁଇ-ଜଣିଆ ଖଣ୍ଡପୀଠ ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ PMAY ଯୋଜନା: ‘ଯାହା ଘରେ କାନ୍ଥ ନାହିଁ ତାକୁ ଘର ମିଳିନି, ୨ ତାଲା ଘର ଥିବା ଲୋକଙ୍କୁ ମିଳୁଛି’
ଧାନବାଦର ଅତିରିକ୍ତ ବିଚାରପତି (ଏ.ଡି.ଜେ.) ଉତ୍ତମ ଆନନ୍ଦଙ୍କ ହତ୍ୟା ପରେ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିବେ ବେଳେ ସୁପ୍ରିମ କୋର୍ଟ ସିବିଆଇକୁ ନୋଟିସ୍ ଜାରି କରିବା ସହ ଉଭୟ ଆଇବି ଓ ସିବିଆଇ ଉପରେ ବର୍ଷିଛନ୍ତି । ଜଷ୍ଟିସ୍ ରମଣା ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଦୁଇ-ଜଣିଆ ଖଣ୍ଡପୀଠ ବିଚାରପତିମାନଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କିତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୧୭ ତାରିଖ ସୁଦ୍ଧା ସବୁ ରାଜ୍ୟକୁ ଏହି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ସୁପ୍ରିମ୍ କୋର୍ଟ ।

ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମଣା
ଏହି ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ବଡ଼ ବଡ଼ ମାମଲା ଉପରେ ବିଚାର କରୁଥିବା ବିଚାରପତିଙ୍କୁ ଅନେକ ସମୟରେ ଧମକ ଚମକ ମିଳୁଛି ଓ ବିଚାରପତିମାନେ ଅଭିଯୋଗ କଲେ ମଧ୍ୟ ସିବିଆଇ, ଆଇବି ଓ ପୋଲିସ ପଦକ୍ଷେପ ନେଉନାହାନ୍ତି । ଏପରିକି ବିଚାରପତିମାନେ ତଦନ୍ତ ପାଇଁ ସୁପାରିସ କରିବା ପରେ ବି ଜବାବ ମିଳୁନି ଓ ଅନେକ ମାମଲାରେ ଗ୍ୟାଙ୍ଗଷ୍ଟର୍ ଓ ହାଇ-ପ୍ରୋଫାଇଲ ଅଭିଯୁକ୍ତମାନେ ଜଡ଼ିତ ଥିବା ଦେଖାଯାଉଛି ବୋଲି କହିଛି ଖଣ୍ଡପୀଠ । ଆଉ ଏକ ବଡ଼ ବିବୃତିରେ ଖଣ୍ଡପୀଠ କହିଛି ଯେ ଯଦି ଲୋକଙ୍କୁ ସୁହାଇଲା ଭଳି ନ୍ୟାୟ ନ ମିଳୁଛି, ତା'ହେଲେ ବିଚାରପତିଙ୍କୁ ବଦନାମ କରିବା ପାଇଁ ଏକ ନୂଆ ଧାରା ବି ସୃଷ୍ଟି ହୋଇଛି ଓ ଏଥି ପାଇଁ ସୋସିଆଲ୍ ମିଡି଼ଆ ପ୍ଲାଟଫର୍ମକୁ ବ୍ୟବହାର କରାଯାଉଛି ।
ଏହା ବି ପଢ଼ନ୍ତୁ | ‘‘ତୁମ ସ୍ବାଗତ ପାଇଁ ଅପେକ୍ଷା କରିଛୁ’’: Olympics ବିଜୟୀ ହକି ଦଳକୁ ଓଡ଼ିଶାକୁ ନିମନ୍ତ୍ରଣ କଲେ ନବୀନ
ଏଇଠି ଦେଖନ୍ତୁ ଧାନବାଦ ଜଜଙ୍କ ମୃତ୍ୟୁର ସିସିଟିଭି ଭିଡିଓ:
ଏହା ବି ପଢ଼ନ୍ତୁ | ଖଲ୍ଲିକୋଟ MLA ସୂର୍ଯ୍ୟମଣି ବୈଦ୍ୟଙ୍କ ଘରେ ଆକ୍ରମଣ କଲେ ଦୁର୍ବୃତ୍ତ, ବୋମା ଫିଙ୍ଗିଲେ, ହାତ ହାଣିଲେ
ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ମଧ୍ୟ ସୁପ୍ରିମ୍ କୋର୍ଟଙ୍କ ଖପ୍ପା ହେବାକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପାଖରେ ବିଭିନ୍ନ ବିଚାରପତିମାନଙ୍କ ଉପରେ ହୋଇଥିବା ଆକ୍ରମଣର ସବୁ ତଥ୍ୟ ରହିଛି । ସେମାନଙ୍କୁ ସୁରକ୍ଷା ମିଳିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି ।

ଧାନବାଦ ଏଡିଜେ ଉତ୍ତମ ଆନନ୍ଦ
ଏହା ବି ପଢ଼ନ୍ତୁ | ବନ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ: ବିଦ୍ୟାଙ୍କୁ ୫ ଘଣ୍ଟା ଜେରାରୁ ମିଳିଲାନି ବିଶେଷ କିଛି; ମୋବାଇଲରେ ଫଟୋର ରହସ୍ୟ କ’ଣ?
ଧାନବାଦ ଏଡିଜେ ଉତ୍ତମ ଆନନ୍ଦ ହତ୍ୟା ମାମଲାରେ ସୁପ୍ରିମ୍ କୋର୍ଟ ଆସନ୍ତା ସୋମବାର (ଅଗଷ୍ଟ ୯) ପରବର୍ତ୍ତୀ ଶୁଣାଣି କରିବେ । ପୂର୍ବରୁ କୋର୍ଟ ଝାଡ଼ଖଣ୍ଡ ସରକାରଙ୍କୁ ରିପୋର୍ଟ ତଲବ କରିଥିଲେ । ସପ୍ତାହକ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଝାଡ଼ଖଣ୍ଡର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।
ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ପ୍ରଥମେ ସିସିଟିଭି ଫୁଟେଜରୁ ଏକ ଦୁର୍ଘଟଣା ବୋଲି ଅନୁମାନ କରାଯାଉଥିଲା । ପରେ ତାଙ୍କ ପରିବାର ଏହାକୁ ଏକ ସୁପରିକଳ୍ପିତ ହତ୍ୟା ବୋଲି କହିଥିଲେ ଓ କୋର୍ଟ ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିଲେ । ସବୁ ରାଜ୍ୟକୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ମହଲତ ଦେଇଛନ୍ତି ସୁପ୍ରିମ କୋର୍ଟ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।