ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ ଏସର ସଫଳ ପ୍ରକ୍ଷେପଣ; ଅଭିନନ୍ଦନ ଜଣାଇଲେ ପିଏମ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗୁଁ ଭାରତକୁ ଭାରତୀୟ ବିଜ୍ଞାନ, ପ୍ରଯୁକ୍ତି, ନବୋନ୍ମେଷ ସାମର୍ଥ୍ୟରେ ସାର୍ବଜନୀନ ସ୍ୱୀକୃତି ମିଳିଥିବାବେଳେ ଆମ ଷ୍ଟାର୍ଟଅପମାନଙ୍କ ଚାହିଦା ଯଥେଷ୍ଟ ବୃଦ୍ଧି ପାଉଥିବା ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ।

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ ଏସର ସଫଳ ପ୍ରକ୍ଷେପଣ; ଅଭିନନ୍ଦନ ଜଣାଇଲେ ପିଏମ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ ଏସର ସଫଳ ପ୍ରକ୍ଷେପଣ; ଅଭିନନ୍ଦନ ଜଣାଇଲେ ପିଏମ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କାଏରୁଟ ଏରୋସ୍ପେସ ଦ୍ୱାରା ବିକଶିତ ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ- ସବଓର୍ବିଟାଲର ସଫଳ ପ୍ରକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଓ ଇନ-ସ୍ପେସକୁ ଅଭିନନ୍ଦନ ଜଣାଇଛନ୍ତି ।



ଏକାଧିକ ଟୁଇଟ୍‌ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତ ପାଇଁ ଏକ ଐତିହାସିକ କ୍ଷଣ, ସ୍କାଏରୁଟ ଏରୋସ୍ପେସ ଦ୍ୱାରା ବିକଶିତ ରକେଟ ବିକ୍ରମ-ଏସ ଆଜି ଶ୍ରୀହରିକୋଟାରୁ ଉତକ୍ଷେପିତ ହୋଇଛି ! ଭାରତର ଘରୋଇ ମହାକାଶ ଶିଳ୍ପ ପାଇଁ ଏହି ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି ସଫଳତା ହାସଲ କରିଥିବାରୁ isro ଓ INSPACeIND କୁ ଅଭିନନ୍ଦନ ।”

“ଏହି ସଫଳତା ଆମ ଯୁବପିଢିଙ୍କ ଅସୀମ ପ୍ରତିଭାର ପ୍ରମାଣ ଦେଉଛି, ଯେଉଁମାନେ ଜୁନ ୨୦୨୦ରେ ଯୁଗାନ୍ତକାରୀ ମହାକାଶ କ୍ଷେତ୍ର ସଂସ୍କାର କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଲାଭ ଉଠାଇଥିଲେ ।”

ଭାରତର ପ୍ରଥମ ଘରୋଇ ରକେଟର ସଫଳ ଉତ୍‌କ୍ଷେପଣ ପରେ ସେଠାରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, “ଅଭିନନ୍ଦନ ଭାରତ ! ଭାରତୀୟ ମହାକାଶ ଯାତ୍ରାରେ ଏକ ନୂତନ ଆରମ୍ଭ ! ମହାକାଶ କ୍ଷେତ୍ରକୁ ସରକାରୀ-ଘରୋଇ ଭାଗିଦାରୀ ନିମନ୍ତେ ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଆପଣଙ୍କୁ ଅଶେଷ ଧନ୍ୟବାଦ । ଭାରତୀୟ ଷ୍ଟାର୍ଟ-ଅପ୍ ଆନ୍ଦୋଳନର ଏକ ନୂଆ ମୋଡ ଇସ୍ରୋର ନଭଶ୍ଚୁମ୍ଭୀ ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି ।

ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ ଯେ ସ୍ୱାଧୀନ ଭାରତର ୭୫ବର୍ଷ ଇତିହାସରେ ଇସ୍ରୋ ଏହାର ଗୌରବମୟ , ମହାକାଶ ଯାତ୍ରାରେ ଆଉ ଏକ ସଫଳତାର ମାଇଲଖୁଣ୍ଟ ସ୍ପର୍ଶ କରିଛି । ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ଉତ୍‌କ୍ଷେପଣ ଯୋଗୁଁ ଭାରତ ବିଶ୍ୱରେ ଅଗ୍ରଣୀ ମହାକାଶ ଶକ୍ତିର ଅଧିକାରୀ ହୋଇପାରିଛି । ଅନେକ ଦେଶ ଭାରତୀୟ ବିଶେଷଜ୍ଞତାରୁ କିଛି ଶିଖିବା ପାଇଁ ଇଚ୍ଛା କରିବେ । ଦୁଇବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାକାଶ କ୍ଷେତ୍ରକୁ ଭାରତରେ ଘରୋଇ ଭାଗିଦାରିତା ପାଇଁ ଖୋଲିଦେବା ଏକ ଅନନ୍ୟ ପ୍ରଚେଷ୍ଟା ବୋଲି ସେ କହିଛନ୍ତି ।

ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ ଯେ ବିକ୍ରମ-ଏସ୍ ଗୋଟିଏ ଏକକ ପର୍ଯ୍ୟାୟଭୁକ୍ତ ଇନ୍ଧନ ରକେଟ । ଏହା ଆସନ୍ତା ବର୍ଷ ଛଡା ହେବାକୁ ଥିବା ବିକ୍ରମ-୧ ପୂର୍ବରୁ ସ୍କାଏରୁଟ ଏରୋସ୍ପେସ ପ୍ରକଳ୍ପର ସବୁ ପଦ୍ଧତି ଓ ପ୍ରକ୍ରିୟାକୁ ପରୀକ୍ଷା କରିବ । ଏହି ରକେଟ ସମୁଦ୍ରପତନ ଠାରୁ ସର୍ବାଧିକ ୮୧.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଗତି କରି ସମୁଦ୍ରରେ ପଡିବ । ଏହାର ମୋଟ ଉତ୍‌କ୍ଷେପଣ ସମୟ ମାତ୍ର ୩୦୦ସେକେଣ୍ଡ ।

ସ୍କାଏରୁଟ ହେଉଛି ପ୍ରଥମ ଷ୍ଟାର୍ଟଅପ ଯାହାକି ଇସ୍ରୋ ସହ ଏହାର ରକେଟ ଉତ୍‌କ୍ଷେପଣ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ବୋଲି ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି । ଦେଶର ପ୍ରଥମ ଘରୋଇ ଉତ୍‌କ୍ଷେପଣ ସହ ସ୍କାଏରୁଟ୍ ଏରୋସ୍ପେସର ପ୍ରଥମ ଅଭିଯାନର ନାମ “ପ୍ରାରମ୍ଭ” ରଖାଯାଇଛି ବୋଲି ସେ କହିଛନ୍ତି ।

ଏକ ବିବୃତ୍ତିରେ ଇସ୍ରୋ କହିଛି ଯେ ପ୍ରାରମ୍ଭ ଅଭିଯାନ ସଫଳତାର ସହ ସମ୍ପନ୍ନ ହୋଇଛି । ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍ ଆକାଶ ଛୁଇଁଥିବା ସ୍କାଇରୁଟ୍ ଏରୋସ୍ପେସ ପକ୍ଷରୁ କୁହାଯାଇଛି । ଏହା ମହାକାଶକୁ ମୋଟ ତିନି ପେଲୋଡ ବହନ କରିଥିବାବେଳେ ଏଥିରୁ ଗୋଟିଏ ବିଦେଶୀ ଗ୍ରାହକଙ୍କର ରହିଛି ।

ଡକ୍ଟର ଜିତେନ୍ଦ୍ର ସିଂ ସ୍ମୃତିଚାରଣ କରି କହିଥିଲେ ଯେ ଡକ୍ଟର ବିକ୍ରମ ସାରାଭାଇ ସବୁବେଳେ ଇସ୍ରୋ ଜାତୀୟସ୍ତରରେ ଏକ ଅର୍ଥପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପ୍ରସଙ୍ଗ ଉତ୍‌ଥାପନ କରୁଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ ଆଠବର୍ଷ ମଧ୍ୟରେ ଏହା ପ୍ରମାଣ କରିଛି । ଭାରତର ଯୁବ ମେଧା ଶକ୍ତି ସୁଯୋଗ ପାଇବା ପରେ ସେମାନଙ୍କ ସାମର୍ଥ୍ୟ ପ୍ରଚଣ୍ଡ ଉତ୍ସାହର ସହ ପ୍ରଦର୍ଶନ କରିଛନ୍ତି । ଭାରତର ବିଶାଳ ଜ୍ଞାନଯୁକ୍ତ ଯୁବଶକ୍ତିର ବିରାଟ ସ୍ୱପ୍ନ ଥିବାବେଳେ ମୋଦିଜୀ ସେମାନଙ୍କୁ ଏକ ଉପଯୁକ୍ତ ରାସ୍ତା ଦେଖାଇପାରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗୁଁ ଭାରତକୁ ଭାରତୀୟ ବିଜ୍ଞାନ, ପ୍ରଯୁକ୍ତି, ନବୋନ୍ମେଷ ସାମର୍ଥ୍ୟରେ ସାର୍ବଜନୀନ ସ୍ୱୀକୃତି ମିଳିଥିବାବେଳେ ଆମ ଷ୍ଟାର୍ଟଅପମାନଙ୍କ ଚାହିଦା ଯଥେଷ୍ଟ ବୃଦ୍ଧି ପାଉଥିବା ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି । ସମଗ୍ର ବିଶ୍ୱ ଭାରତରୁ ଉତ୍ସାହ ପାଇବା ଅପେକ୍ଷାରେ ରହିଛି ଓ ଅନେକ ଦେଶ ଉପଗ୍ରହ ଓ ନାନୋ ଉପଗ୍ରହ ନିର୍ମାଣରେ ଭାରତଠାରୁ ସାହାଯ୍ୟ ପାଉଛନ୍ତି ।
Published by:Soubhagya Mishra
First published: