ଶ୍ରୀଲଙ୍କା ସଙ୍କଟ (ପ୍ରତୀକାତ୍ମକ ଛବି)
News18 Odia Digital
ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ମଧ୍ୟରେ ନୂତନ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଜୁଲାଇ ୧୮ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀଲଙ୍କା ଗଣମାଧ୍ୟମରୁ ସୁଚନା ମିଳିଛି। ଏହା ପରେ ଜୁଲାଇ ୨୦ରେ ଏହି ପଦବୀ ପାଇଁ ଭୋଟ୍ ଅନୁଷ୍ଠିତ ହେବ। କିଛି ଦିନ ପୂର୍ବରୁ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବାସଭବନକୁ ଦଖଲ କରିଥିଲେ। ଏହା ପରେ ରାଷ୍ଟ୍ରପତି ୧୩ ଜୁଲାଇରେ ତାଙ୍କ ପଦରୁ ଇସ୍ତଫା ଘୋଷଣା କରିଥିଲେ।
ବାଚସ୍ପତି ମହିନ୍ଦା ୟାପ ଅଭୟବର୍ଦ୍ଧନେ ବିସିସିଆଇକୁ କହିଛନ୍ତି ଯେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶ ଛାଡିଛନ୍ତି। ସେ ପଡୋଶୀ ଦେଶରେ ଅଛନ୍ତି। ବୁଧବାର ସୁଦ୍ଧା ସେ ଦେଶକୁ ଫେରିବେ।
ସେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ଜୁଲାଇ ୧୫ ରେ ସମସ୍ତ ଦଳର ନେତା ସଂସଦ ଡକାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ସାଂସଦମାନେ ଆଜି ସଂସଦର ଅର୍ଥନୈତିକ କମିଟିରେ ମଧ୍ୟବର୍ତ୍ତୀକାଳୀନ ସର୍ବଦଳୀୟ ସରକାର ପାଇଁ ଏକ ଯୋଜନା ଉପସ୍ଥାପନ କରିଛନ୍ତି ଯାହା ଜୁଲାଇ ୮ ରେ ହୋଇଥିବା ଆଲୋଚନା ଉପରେ ଆଧାରିତ ଥିଲା।
ଅନ୍ୟପଟେ ବିରୋଧୀ ଦଳର ସାଂସଦ ସାଜିଥ ପ୍ରେମାଦାସ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଓ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମମସିଂହଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସରକାର ସେମାନଙ୍କର ବୈଧତା ହରାଇଛନ୍ତି। ଗତ ଅଢେ଼ଇ ବର୍ଷ ମଧ୍ୟରେ ସେମାନେ ଆମ ଦେଶକୁ ଧ୍ୱଂସ କରିଛନ୍ତି। ଆମେ ଏକ ନୂତନ ରାଷ୍ଟ୍ରପତି ଓ ନୂତନ ପ୍ରଧାନମନ୍ତ୍ରୀଙ୍କ ସହ ଏକ ନୂତନ ସରକାର ଗଠନ କରିବୁ। ସେ କହିଛନ୍ତି ଯେ ଯଦି କେହି ଏହି ପ୍ରକ୍ରିୟାକୁ ବିରୋଧ କରନ୍ତି ତେବେ ପରବର୍ତ୍ତୀ ବିଶୃଙ୍ଖଳା ପାଇଁ ସେ ଦାୟୀ ରହିବେ।
ବାଚସ୍ପତିଙ୍କ ଘରେ ଜୁମରେ ଅନୁଷ୍ଠିତ ବୈଠକ ପରେ ସାଂସଦ ହର୍ଷ ଦେ ସିଲଭା ଟ୍ୱିଟ୍ କରି କହିଛନ୍ତି ଯେ ଏହି ସଭା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଛାଡିବାକୁ ଦାବି କରିଛି। ଏହା ବ୍ୟତୀତ ଜଣେ କାର୍ଯ୍ୟକାରୀ ରାଷ୍ଟ୍ରପତି ନିଯୁକ୍ତ କରିବାକୁ ସହମତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ କାର୍ଯ୍ୟକାରୀ ରାଷ୍ଟ୍ରପତି କିଛି ସପ୍ତାହ ପାଇଁ ନିର୍ବାଚିତ ହେବେ। ଆଗାମୀ କିଛି ଦିନ ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ଦଳ ଗଠନ ହେବ ଏବଂ ଖୁବ ଶୀଘ୍ର ନିର୍ବାଚନ ଅନୁଷ୍ଠିତ ହେବ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।