କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ପ୍ରଜ୍ଞାନ ଓଝା, ଧୋନୀଙ୍କୁ ଧନ୍ୟବାଦ ଦେଲେ

୨୦୧୩ରେ ମୁମ୍ବାଇରେ ୱେଷ୍ଟ ଇଣ୍ଡିଜ୍ ବିରୁଦ୍ଧରେ ହୋଇଥିବା ଟେଷ୍ଟ ମ୍ୟାଚ଼ରେ ବାମହାତି ସ୍ପିନର୍ ପ୍ରଜ୍ଞାନ ଓଝା ୧୦ ୱିକେଟ ନେଇଥିଲେ, ହେଲେ ତା’ ପର ଠାରୁ ଆଉ ଭାରତ ଟିମରେ ଖେଳିବାର ସୁଯୋଗ ତାଙ୍କୁ ମିଳି ନ ଥିଲା । ସେହି ମ୍ୟାଚ଼ ସଚ଼ିନ୍ ତେନ୍ଦୁଲକରଙ୍କ ଶେଷ ମ୍ୟାଚ଼ ଥିଲା ।

ପ୍ରସିଦ୍ଧ ବାମହାତି ସ୍ପିନର୍ ପ୍ରଜ୍ଞାନ ଓଝା

ପ୍ରସିଦ୍ଧ ବାମହାତି ସ୍ପିନର୍ ପ୍ରଜ୍ଞାନ ଓଝା

  • Share this:
News18 Odia Digital

ନୂଆ ଦିଲ୍ଲୀ: ପ୍ରସିଦ୍ଧ ବାମହାତି ସ୍ପିନର୍‌ ପ୍ରଜ୍ଞାନ ଓଝା କ୍ରିକେଟର ଘରୋଇ ତଥା ଅନ୍ତରାଷ୍ଟ୍ରୀୟ ସବୁ ଫର୍ମାଟରୁ ଆଜି ଅବସର ଘୋଷଣା କରିଛନ୍ତି । ସେ ନିଜ ଅନ୍ତରାଷ୍ଟ୍ରୀୟ ମ୍ୟାଚ଼ ୨୦୧୩ରେ ମୁମ୍ବାଇରେ ୱେଷ୍ଟ ଇଣ୍ଡିଜ୍‌ ବିରୁଦ୍ଧରେ ଖେଳିଥିଲେ ଓ ସେହି ଟେଷ୍ଟ୍‌ ମ୍ୟାଚ଼ରେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ଼ ହୋଇଥିଲେ । ସେହି ମ୍ୟାଚ଼ର ପ୍ରଥମ ଇନିଂସରେ ସେ ପାଞ୍ଚ ୱିକେଟ୍‌ ଓ ଦ୍ୱିତୀୟ ଇନିଂସରେ ଆଉ ପାଞ୍ଚ ୱିକେଟ୍‌ ନେଇଥିଲେ । ସେହି ମ୍ୟାଚ଼ଟି ସଚ଼ିନ୍‌ ତେନ୍ଦୁଲକରଙ୍କ କ୍ରିକେଟ୍‌ କରିଅରର ଶେଷ ମ୍ୟାଚ଼ ଥିଲା ।

ଓଝା ନିଜ କରିଅରରେ ମୋ’ଟ ୨୪ଟି ଟେଷ୍ଟ ଖେଳି ୧୧୩ଟି ୱିକେଟ୍‌ ନେଇଛନ୍ତି । ସେହିପରି ୧୮ଟି ଦିନିକିଆରୁ ୨୧ଟି ୱିକେଟ ନେଇଥିବା ବେଳେ ଛଅଟି T-୨୦ ଖେଳି ୧୦ ୱିକେଟ ହାସଲ କରିଛନ୍ତି ସେ । ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲେ ଓଝା । ମୁମ୍ବାଇ ଇଣ୍ଡିଆନ୍ସ ଓ ଡେକାନ ଚ଼ାର୍ଜର୍ସ ପକ୍ଷରୁ ସେ IPL ବି ଖେଳିଛନ୍ତି । IPLରେ ମୋ’ଟ ୯୨ଟି ମ୍ୟାଚ୍‌ ଖେଳି ୮୯ଟି ୱିକେଟ୍‌ ନେଇଛନ୍ତି ଓଝା ।

ଟ୍ୱିଟରରେ ସେ ନିଜ ଅବସର ନେବା ବିଷୟରେ ଘୋଷଣା କରିଛନ୍ତି । ସେ ଲେଖିଛନ୍ତି ଯେ ଭାରତ ପାଇଁ ଖେଳିବା ତାଙ୍କ ପିଲା ଦିନକ ସ୍ୱପ୍ନ ଥିଲା ଓ ସେ ଭାରି ଖୁସି ଯେ ସେ ଏହା କରି ପାରିଲେ ଓ ଦେଶର କୋଟି କୋଟି କ୍ରିକେଟ ଫ୍ୟାନମାନଙ୍କର ଭଲପାଇବାର ପାତ୍ର ହୋଇ ପାରିଲେ । ଭାରତୀୟ ଦଳର ଅଂଶ ହୋଇପାରିବାର ଶ୍ରେୟ ଓଝା ତତ୍କାଳୀନ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଇଛନ୍ତି ।

‘‘ମୋତେ ଭାରତୀୟ ଟିମରେ ଖେଳିବାର ସୁଯୋଗ ଦେଇଥିବା ପାଇଁ ମୁଁ ମହେନ୍ଦ୍ର ସିଂ ଧୋନୀଙ୍କୁ ଧନ୍ୟବାଦ ଦେଉଛି,’’ କହିଛନ୍ତି ଓଝା ।

ମୁମ୍ବାଇରେ ୨୦୧୩ ନଭେମ୍ବରର ସେହି ଚ଼ିତ୍ତାକର୍ଷକ ଟେଷ୍ଟ୍‌ ମ୍ୟାଚ଼ ଖେଳି ୧୦ ୱିକେଟ ନେବା ପରେ ଓଝା ଆଉ ଭାରତୀୟ ଦଳରେ ଖେଳିବାର ସୁଯୋଗ ପାଇ ନ ଥିଲେ । ସେ ୨୦୦୮ରେ କରାଚ଼ିରେ ବାଂଲାଦେଶ ବିରୁଦ୍ଧରେ ନିଜ କ୍ରିକେଟ କରିଅର୍‌ ଆରମ୍ଭ କରିଥିଲେ । ୨୦୦୯ରେ ସେ ଶ୍ରୀଲଙ୍କା ବିରୁଦ୍ଧରେ ନିଜ ଟେଷ୍ଟ୍‌ କରିଅର୍‌ ଆରମ୍ଭ କରିଥିଲେ । ଓଝା ନିଜ ଆଇ.ପି.ଏଲ୍‌. କରିଅରରେ ତିନିଟି ରେକର୍ଡ଼ ଜିତିଛନ୍ତି ।
First published: