ସାଂସଦ, ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତି ବାଚ଼ସ୍ପତି ନ ନିଅନ୍ତୁ: ସୁପ୍ରିମ କୋର୍ଟ

ବିଚାରପତି ରୋହିନଟନ ନରିମାନଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ କୋର୍ଟଙ୍କ ଏକ ତିନିଜଣିଆ ଖଣ୍ଡପୀଠ ମତ ଦେଇଛନ୍ତି ଯେ ବାଚ଼ସ୍ପତିଙ୍କ ସ୍ଥାନରେ ଏକ ନିରପେକ୍ଷ ଓ ସ୍ଥାୟୀ ସମିତି ଏହି ନିଷ୍ପତ୍ତି ନେବା ଉଚ଼ିତ ।

ସୁପ୍ରିମ କୋର୍ଟ

ସୁପ୍ରିମ କୋର୍ଟ

  • Share this:
News18 Odia Digital

ନୂଆ ଦିଲ୍ଲୀ: ସାଂସଦ ଓ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ସମ୍ପର୍କରେ ବାଚ଼ସ୍ପତି ନିଷ୍ପତ୍ତି ନ ନେଇ ତାଙ୍କ ସ୍ଥାନରେ ଏକ ନିରପେକ୍ଷ ଓ ସ୍ଥାୟୀ ସମିତି ଏ ନିଷ୍ପତ୍ତି ନେବା ଉଚ଼ିତ ହେବ ବୋଲି ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ । କେବଳ ସେତିକି ନୁହେଁ, ଏହି ପ୍ରସ୍ତାବ ସଂପର୍କରେ ବିଚ଼ାର କରିବା ନେଇ କୋର୍ଟ ସଂସଦକୁ ଅନୁରୋଧ ମଧ୍ୟ କରିଛନ୍ତି ।

ବିଚାରପତି ରୋହିନଟନ ନରିମାନଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ କୋର୍ଟଙ୍କ ଏକ ତିନିଜଣିଆ ଖଣ୍ଡପୀଠ ଏ ସଂପର୍କରେ ମତ ରଖି କହିଛନ୍ତି ଯେ ସାଂସଦ ବା ବିଧାୟକଙ୍କ ଅଯୋଗ୍ୟତା ସଂପର୍କରେ ନିଷ୍ପତ୍ତି ନେବା ନେଇ ବାଚସ୍ପତିଙ୍କ ଏକାଧିକାର ଉପରେ ନିଷ୍ପତ୍ତି ନେବା ସମୟ ଆସିଯାଇଛି ।

ବାଚସ୍ପତି ନିଜେ ଗୋଟିଏ ରାଜନୈତିକ ଦଳର ସଦସ୍ୟ ହୋଇଥିବାରୁ ସେ ଅନ୍ୟ ସଦସ୍ୟମାନଙ୍କ ଅଯୋଗ୍ୟତା ନେଇ କିଭଳି ନିରପେକ୍ଷ ନିଷ୍ପତ୍ତି ନେଇପାରିବେ? ନିକଟରେ ସୁପ୍ରିମ କୋର୍ଟକୁ ଆସିଥିବା କେତେକ ମାମଲାର ଉଦାହରଣ ଦେଇ କୋର୍ଟ କହିଛନ୍ତି ଯେ ବାଚ଼ସ୍ପତିଙ୍କ ନିରପେକ୍ଷତା ନେଇ ବାରମ୍ବାର ପ୍ରଶ୍ନ ଉଠୁଛି ।

ତା’ଛଡ଼ା, ଅଯୋଗ୍ୟ ଘୋଷିତ ହେବା ପରେ ସାଂସଦ ଓ ବିଧାୟକମାନେ ଗୋଟିଏ ଦିନ ବି ପଦରେ ରହିବା ଅନୁଚିତ୍‌ । ମଣିପୁରର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଟି. ଶ୍ୟାମକୁମାରଙ୍କୁ ଅଯୋଗ୍ୟ ଘୋଷଣା କରିବା ସମ୍ପର୍କିତ ଏକ ମାମଲାର ବିଚାର କରି କୋର୍ଟ ଏ ସବୁ କହିଛନ୍ତି ।

କଂଗ୍ରେସ ଟିକେଟରେ ଜିତି ବି ଶ୍ୟାମକୁମାର ବିଜେପି ସରକାରରେ ଯୋଗ ଦେଇଥିଲେ । ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି କଂଗ୍ରେସ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲା, କିନ୍ତୁ ବାଚସ୍ପତି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସମୟ ଗଡ଼ାଇ ଚାଲିଥିଲେ ।

ମଣିପୁର ମାମଲାରେ ସୁପ୍ରିମ କୋର୍ଟ ରାଜ୍ୟର ବାଚ଼ସ୍ପତିଙ୍କୁ ଦୁଇ ସପ୍ତାହ ମଧ୍ୟରେ ଅଯୋଗ୍ୟତା ସମ୍ପର୍କରେ ତାଙ୍କ ପାଖରେ ଲମ୍ବିତ ଥିବା ମାମଲା ଉପରେ ନିଷ୍ପତ୍ତି ନେବାକୁ କହିଛନ୍ତି ।

ସୁପ୍ରିମ କୋର୍ଟ ନିକଟରେ କର୍ଣ୍ଣାଟକର ବାଚ଼ସ୍ପତି ସେଠାକାର କଂଗ୍ରେସ ଓ ଜେଡିଏସ୍‌ ବିଧାୟକମାନଙ୍କ ଇସ୍ତଫା ଗ୍ରହଣ କରୁ ନ ଥିବା ସଂକ୍ରାନ୍ତୀୟ ଅଭିଯୋଗ ମଧ୍ୟ ଶୁଣାଣି କରିଥିଲେ । ସେହି ବିଧାୟକମାନେ ତା’ପରେ ନିଜକୁ ଅଯୋଗ୍ୟ ଘୋଷିତ କରାଯିବାକୁ ନେଇ ବାଚ଼ସ୍ପତିଙ୍କ ରାୟକୁ ସୁପ୍ରିମ କୋର୍ଟରେ ପିଟିସନ୍‌ ଦାୟର କରିଥିଲେ ।
Published by:Anand Shankar Thankur Das
First published: