ରବିବାର ଦିନ ପ୍ରଧାନ ମନ୍ତ୍ରୀ ମୋଦୀ ନିଜେ ସୌରଭ ଗାଙ୍ଗୁଲିଙ୍କ ସହ କଥା ହୋଇଥିଲେ
News18 Odia Digital
କୋଲକାତା: 'ସାମାନ୍ୟ' ହୃଦଘାତରେ ପୀଡିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିସିସିଆଇ (BCCI) ସଭାପତି ସୌରଭ ଗାଙ୍ଗୁଲିଙ୍କ (Sourav Ganguly) ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି କହିଛନ୍ତି । ଶନିବାର ଦିନ ଗାଙ୍ଗୁଲିଙ୍କ ହୃଦୟର ତିନୋଟି ଧମନୀରେ ଅବରୋଧ ଦେଖିବାକୁ ମିଳିଥିଲା । ଏହା ପରେ ଏକ ଷ୍ଟେଣ୍ଟ ଲଗାଯାଇଥିଲା । ଘରୋଇ ହସ୍ପିଟାଲରୁ ରବିବାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ ଗାଙ୍ଗୁଲିଙ୍କ କରୋନାରୀ ଆଙ୍ଗିଓଗ୍ରାଫି ଅପରାହ୍ନ ୩ ଟାରେ କରାଯାଇଥିଲା ଓ ସୋମବାର ଦିନ ତାଙ୍କର ଇକୋକାର୍ଡିଓଗ୍ରାଫି କରାଯିବ । କୁହାଯାଇଛି ଯେ ଗାଙ୍ଗୁଲିଙ୍କ ରକ୍ତଚାପ ୧୧୦/୮୦ ଓ ତାଙ୍କ ଶରୀରରେ ଅମ୍ଳଜାନ ସ୍ତର ୯୮ ପ୍ରତିଶତ ରହିଛି ।
ଡାକ୍ତରମାନେ କହିଛନ୍ତି ଯେ ଗାଙ୍ଗୁଲିଙ୍କ ଅବସ୍ଥା ଦେଖିବା ପରେ ଅନ୍ୟ ଏକ ଆଞ୍ଜିଓପ୍ଲାଷ୍ଟି କରିବାକୁ ନିଷ୍ପତ୍ତି ନିଆଯିବ । ଏକ ପ୍ରଶ୍ନର ଉତ୍ତରରେ ହସ୍ପିଟାଲ ମୁଖପାତ୍ର କହିଛନ୍ତି ଯେ ବାଇପାସ୍ ସର୍ଜରୀର ବିକଳ୍ପ ଉପରେ ମେଡିକାଲ ବୋର୍ଡ ବିଚାର କରୁନାହିଁ । ସେ କହିଛନ୍ତି ଯେ ଆମର ବିଶେଷଜ୍ଞ କମିଟି ସୋମବାର ଅଧିକ ଚିକିତ୍ସା ପାଇଁ ନିଷ୍ପତ୍ତି ନେବେ। ବୁଲେଟିନ୍ ଅନୁଯାୟୀ, ନଅ ସଦସ୍ୟ ବିଶିଷ୍ଟ ମେଡିକାଲ୍ ବୋର୍ଡ ସୋମବାର ବୈଠକ କରିବ ଏବଂ ଗାଙ୍ଗୁଲିଙ୍କ ପରିବାର ସଦସ୍ୟଙ୍କ ସହ ଅଧିକ ଚିକିତ୍ସା ଯୋଜନା ବିଷୟରେ ଆଲୋଚନା କରିବ। ଗାଙ୍ଗୁଲି ରାତି ଦଶଟା ରେ ଭୋଜନ କରିଥିଲେ ।
ଏହି ସମୟରେ ପୂର୍ବତନ କ୍ରିକେଟରଙ୍କ ପ୍ରଶଂସକମାନେ ହାତରେ ପୋଷ୍ଟର ନେଇ ଏକାଠି ହୋଇଥିଲେ । ସେହି ପୋଷ୍ଟରରେ ଲେଖାଥିଲା, 'ଦାଦା ଲୌଟ ଆଓ'। ହସ୍ପିଟାଲରେ ସୌରଭ ଗାଙ୍ଗୁଲିଙ୍କ କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । ଯାହାର ରିପୋର୍ଟ ନକାରାତ୍ମକ ଥିଲା । ରବିବାର ଦିନ ପ୍ରଧାନ ମନ୍ତ୍ରୀ ମୋଦୀ ନିଜେ ସୌରଭ ଗାଙ୍ଗୁଲିଙ୍କ ସହ କଥା ହୋଇଥିଲେ ଓ ତାଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରଧାନ ମନ୍ତ୍ରୀ ମୋଦୀ ଏହି ପୂର୍ବତନ କ୍ରିକେଟରଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କ ସହ ମଧ୍ୟ କଥା ହୋଇଥିଲେ । ମୋଦୀ ଗାଙ୍ଗୁଲିଙ୍କୁ ଶୀଘ୍ର ସୁସ୍ଥ ହେବାର କାମନା ମଧ୍ୟ କରିଥିଲେ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।