News18 Odia Digital
ନୂଆ ଦିଲ୍ଲୀ: ମଲ୍ଲିକାର୍ଜୁନ୍ ଖଡ଼ଗେ ଆଜି କଂଗ୍ରେସର ଜାତୀୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। କଂଗ୍ରେସର ଅନ୍ତରୀଣ ଅଧ୍ଯକ୍ଷା ସୋନିଆ ଗାନ୍ଧି ଉପସ୍ଥିତ ରହି ଖଡ଼ଗେଙ୍କୁ ଅଭିନ୍ଦନନ ଜଣାଇଛନ୍ତି।
ସୋନିଆ ଗାନ୍ଧି କହିଛନ୍ତି ଯେ ସବୁଠାରୁ ସନ୍ତୋଷଜନକ ବିଷୟ ହେଉଛି ଯେ ଯେଉଁମାନେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ସେମାନେ ଅଭିଜ୍ଞ ଅଟନ୍ତି। ଜଣେ ସରଳ କର୍ମୀ ଭାବରେ କାର୍ଯ୍ୟ କରି ସେ ନିଜର ପରିଶ୍ରମ ଓ ନିଷ୍ଠା ସହିତ ଏହି ଉଚ୍ଚତାରେ ପହଞ୍ଚିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଭାର ମୋ କାନ୍ଧରୁ ହଟି ଗଲା। ମୁଁ ଆରାମ ମନେ କରୁଛି।
ଏଥି ସହିତ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଆଜି ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ। ଆଜି ଜଣେ ସାଧାରଣ କର୍ମୀଙ୍କୁ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବରେ ମନୋନୀତ କରି ଏହି ସମ୍ମାନ ପ୍ରଦାନ କରିଥିବାରୁ ମୁଁ ସମସ୍ତଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି।
ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ନବ ନିର୍ବାଚିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କଂଗ୍ରେସର ନୂଆ ସଭାପତିଙ୍କ ପାଇଁ ଭୋଟ୍ ୧୭ଅକ୍ଟୋବରରେ ହୋଇଥିବାବେଳେ ୧୯ ଅକ୍ଟୋବରରେ ଭୋଟ୍ ଗଣନା କରାଯାଇଥିଲା ଯେଉଁଥିରେ ମଲ୍ଲିକାର୍ଜୁନ୍ ଖଡ଼ଗେ ଶଶି ଥରୁରଙ୍କୁ ପରାସ୍ତ କରି ନିର୍ବାଚନରେ ଜିତିଥିଲେ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟ, ସାଂସଦ, ରାଜ୍ୟ କଂଗ୍ରେସ କମିଟି ସଭାପତି, କଂଗ୍ରେସ ବିଧାନସଭା ଦଳର ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟ ସଭାପତି ଓ ଏଆଇସିସିର ଅନ୍ୟ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା।
କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ମୁଖ୍ୟ ମଧୁସୂଦନ ମିସ୍ତ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି। ଖଡ଼ଗେ 7,897 ଭୋଟ୍ ଓ ଥରୁର 1,072 ଭୋଟ୍ ପାଇଛନ୍ତି। ନିର୍ବାଚନରେ 9,385 ଭୋଟ୍ ଦିଆଯାଇଥିଲା ଓ ଏହି ୪୧୬ ଭୋଟ୍ ମଧ୍ୟରୁ ଅବୈଧ ଘୋଷଣା କରାଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କଂଗ୍ରେସ ସଭାପତି ଭାବରେ ମନୋନୀତ ହୋଇଥିବାରୁ ଅଭିନନ୍ଦନ ଜଣାଇଥିଲେ। ସେ ଟ୍ୱିଟ୍ କରି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପିଏମ ମୋଦି ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଜିଙ୍କୁ @INCIndia ର ସଭାପତି ଭାବରେ ନୂତନ ଦାୟିତ୍ୱ ଯୋଗୁଁ ମୋର ଶୁଭେଚ୍ଛା। ଆପଣଙ୍କ ଭବିଷ୍ୟତ କାର୍ଯ୍ୟକାଳ ଫଳପ୍ରଦ ହେଉ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।