ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପୁଣି ବଜ୍ରକାପ୍ତା ବା ପାଙ୍ଗୋଲିନ୍ ଚୋ଼ରା ଚାଲାଣକାରୀ ସକ୍ରିୟ ହୋଇଉଠିଛନ୍ତି I ଦେଉଳି ରେଞ୍ଜ୍ର କୁଳିଆଣା ଅଞ୍ଚଳରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ଚ଼ାରି ଜଣ ଚୋ଼ରା କାରବାର କରୁଥିବା ଶିକାରୀଙ୍କୁ ଗିରଫ୍ କରି ପଚ଼ରା ଉଚ଼ରା କରିବା ସହ ମାଷ୍ଟର୍ମାଇଣ୍ଡ୍କୁ ଖୋଜୁଛି ବନ ବିଭାଗ I
ପୂର୍ବତନ ଅବୈତନିକ ବନ୍ୟାପ୍ରାଣୀ ତତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି ଯେ ମୟୂରଭଞ୍ଜରୁ ପଶ୍ଚିମ ବଙ୍ଗ ଓ ସେଠାରୁ ନେପାଳ ଓ ଚୀନ୍କୁ କୋଟି କୋଟି ଟଙ୍କାରେ ବଜ୍ରକାପ୍ତା ପଠାଯାଉଥିବା ବେଳେ ଏ ଚୋରା ଚାଲାଣକୁ ଅଣଦେଖା କରୁଛନ୍ତି ଶିମିଳିପାଳ ବନ ବିଭାଗ କର୍ତ୍ତୁପକ୍ଷ । ଏବେଠୁ ସଜାଗ ନହେଲେ ଶିମିଳିପାଳରୁ ବଜ୍ରକାପ୍ତା ବିଲୁପ୍ତ ହେଇଯିବେ ବୋଲି ସେ କହିଛନ୍ତି I

ପାଙ୍ଗୋଲିନ୍ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଲୋକେ ।
ଅକ୍ଟୋବର ୨୯ ତାରିଖ ରାତି ୯ଟା ବେଳେ ଦେଉଳି ରେଞ୍ଜ୍ କୁଳିଆଣାର ଅଶୋନଯୋଡା଼ରେ ଏକ ଢାବା ନିକଟରେ ବଜ୍ରକାପ୍ତା ଚୋରାଚାଲାଣ ହେଉଥିବା ଖବର ପାଇବା ପରେ ବନ ବିଭାଗର ବାରିପଦା ରେଞ୍ଜ୍, ଦେଉଳି ରେଞ୍ଜ୍ ଓ ବାଙ୍ଗିରିପୋଷି ରେଞ୍ଜ୍ର ୧୭ ଜଣିଆ ଟିମ୍ ଅଚାନକ ଚଢାଉ କରିଥିଲେ I
ବନ ବିଭଗର ଅଚାନକ ଚଢାଉ ଫଳରେ ୨ଟି ଗାଡି଼ରେ ଆସିଥିବା ପାଖାପାଖି ୧୫ ଜଣ ଚୋରା ଚାଲାଣକାରୀଙ୍କ ମଧ୍ୟରୁ ୧୧ ଜଣ ଚମ୍ପଟ ମରିଥିବା ବେଳେ ବିଭାଗ ୪ ଜଣଙ୍କୁ ଗିରଫ କରିବା ସହିତ ଗୋଟିଏ ବୋଲୋରୋ ଏବଂ ଗୋଟିଏ କାର୍ ଜବତ କରିଛି I ବୋଲରୋରେ ଥିବା ଗୋଟିଏ ୧୭ କିଲୋ ଓଜନର ଜୀବନ୍ତ ପୁରୁଷ ବଜ୍ରକାପ୍ତାକୁ ମଧ୍ୟ ଉଦ୍ଧାର କରିବାରେ ସକ୍ଷମ ହୋଇଛି ବିଭାଗ I
ଖୋଳତାଡ଼ ପରେ ରାଇରଙ୍ଗପୁର ବନଖଣ୍ଡ ବାଦାମପାହାଡ଼ ଅଞ୍ଚଳର ଗୋରୁମହିଷାଣୀ ଥାନା ଗୋବିନ୍ଦପୁର ଗ୍ରାମର କୃଷ୍ଣଚନ୍ଦ୍ର ହାଂସ୍ଦା, ବାଦାମପାହାଡ଼ ଥାନା ଭଣ୍ଡନ ଗ୍ରାମର ପ୍ରଦୀପ ମାହାକୁଡ଼, ଡୋଭା ତାଡ଼ପଟି ଗ୍ରାମର ଶରତ କୁମାର ମହାନ୍ତ ଏବଂ ବାରିପଦା ବନଖଣ୍ଡ ଝରପୋଖରିଆ ଥାନା ବଜାରଗୋଡା଼ ଗ୍ରାମର ପ୍ରେମଖାଲା ମୁର୍ମୁକୁ ବନବିଭାଗ ଗିରଫ କରିବାରେ ସଫଳ ହୋଇଛି I

ପାଙ୍ଗୋଲିନ୍ଟି ବନ ବିଭାଗର ଅଫିସ୍ରେ ଚଲାବୁଲା କରୁଛି ।
ଚୋରା ଚାଲାଣକାରୀମାନଙ୍କର ବାଦାମପାହାଡ ଅଞ୍ଚଳରୁ ବଜ୍ରକାପ୍ତା ଆଣିବା ପରେ ବାରିପଦାରୁ ପଶ୍ଚିମବଙ୍ଗ ଯିବା ନେଇ କାର୍ଯ୍ୟକ୍ରମ ଥିଲା I ତେବେ କୋଟି କୋଟି ଟଙ୍କାର ଏଇ ଡିଲ୍ର ମାଷ୍ଟର୍ମାଇଣ୍ଡ୍ କିଏ ତାହା ଜାଣିବା ପାଇଁ ପଚରାଉଚରା କରୁଛି ବୋଲି କହିଛନ୍ତି ବନ ବିଭାଗର ବାରିପଦା ରେଞ୍ଜର୍ ଲକ୍ଷ୍ମୀଧର ବେହେରା I
ସେପଟେ ଅବୈତନିକ ବନ୍ୟାପ୍ରାଣୀ ତତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟଙ୍କ କହିବା ଅନୁସାରେ ଶିମିଳିପାଳରୁ ବହୁ ମାତ୍ରାରେ ଜୀବନ୍ତ ଓ ମୃତ ବଜ୍ରକପ୍ତା କରଞ୍ଜିଆ ବନଖଣ୍ଡ ଯଶିପୁର ଦେଇ ଝାଡ଼ଖଣ୍ଡ, ବିହାର ଓ ନେପାଳକୁ ଚୋରା ଚାଲାଣକାରୀମାନେ କୋଟିକୋଟି ଟଙ୍କାରେ ପ୍ରତିଦିନ ନେଇଯାଉଛନ୍ତି I ମୋଟା ଅଙ୍କର ଅର୍ଥ ଲାଳସାରେ ଦିନକୁ ଦିନ ଲୋକମାନେ ବଜ୍ରକାପ୍ତା ଚୋରା ଚାଲାଣ ପାଇଁ ମନ ବଳାଉଥିବାରୁ ବନ ବିଭାଗ ଏହାକୁ ରୋକିବାକୁ ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି ।
ଦିନକୁ ଦିନ ଶିମିଳିପାଳ ଅଭୟାରଣ୍ୟରୁ ବଜ୍ରକାପ୍ତାର ଚୋରା କାରବାର ବଢୁଥିବା ବେଳେ ଏବେଠୁ ବନ ବିଭାଗ ସଜାଗ ନ ହେଲେ ଆଗତ ଭବିଷ୍ୟତରେ ଶିମିଳିପାଳ ପାଇଁ ଏ ପ୍ରାଣୀ ସ୍ୱପ୍ନ ହୋଇଯିବ I
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।