News18 Odia Digital
ମେଲବୋର୍ଣ୍ଣ: ଭାରତର ଓପନିଂ ବ୍ୟାଟର୍ ସ୍ମୃତି ମନ୍ଧାନାଙ୍କ ୩୭ ବଲରେ ୬୬ ରନ୍ କରିବା ବୃଥା ସାବ୍ୟସ୍ତ ହେଲା । ଅଷ୍ଟ୍ରେଲିଆ ତ୍ରିରାଷ୍ଟ୍ର ମହିଳା ଟି୨୦ ସିରିଜ୍ ୧୧ ରନରେ ଜିତିଗଲା। ସ୍ପିନର୍ ଜେସ୍ ଜୋନାସେନଙ୍କ ଚାଞ୍ଚଲ୍ୟକର ବୋଲିଂରେ ପାଞ୍ଚଟି ୱିକେଟ୍ ଗଡ଼ିବା ଯୋଗୁଁ ଅଷ୍ଟ୍ରେଲିଆର ଏହି ବିଜୟ ସମ୍ଭବ ହେଲା ।
ଭାରତୀୟ ଦଳ ସାମନାରେ ୧୫୬ ରନର ଲକ୍ଷ ଥିଲା, ହେଲେ ୧୫ ଓଭରରେ ତିନି ୱିକେଟରେ ୧୧୫ ରନ କରିବା ପରେ ୧୪୪ ରନରେ ଅଲ ଆଉଟ ହୋଇଯାଇଥିଲା ଦଳ ।
ପ୍ରବୀଣା ବାମହସ୍ତ ସ୍ପିନର୍ ଜୋନାସେନ୍ ଏହି ମ୍ୟାଚ୍ର ଷ୍ଟାର୍ ବନିଯାଇଥିଲେ । ସେ ଚ଼ାରି ଓଭରରେ ମାତ୍ର ୧୨ ରନ ଦେଇ ପାଞ୍ଚଟି ୱିକେଟ ହାସଲ କରିଥିଲେ । ଏହି ବିଚକ୍ଷଣ ପ୍ରଦର୍ଶନ ପରେ ସେ ମହିଳାଙ୍କ ଟି-୨୦ ଫର୍ମାଟରେ ପାଞ୍ଚଟି ୱିକେଟ ନେଇଥିବା ତୃତୀୟ ଅଷ୍ଟ୍ରେଲିଆନ୍ ବୋଲର ହେଇଛନ୍ତି ।
‘‘ଏହା ବାସ୍ତବରେ ଖୁବ୍ ଭଲ ପ୍ରଦର୍ଶନ ଥିଲା । ମନ୍ଧାନାଙ୍କୁ ଆଉଟ୍ କରିବା ଗେମ ଚ଼େଞ୍ଜର୍ ଥିଲା । ସେ ଆମକୁ ପୂରା ପାର୍କ ସାରା ଘୂରାଉଥିଲେ,’’ କହିଛନ୍ତି ଅଷ୍ଟ୍ରେଲିୟାନ କ୍ୟାପ୍ଟେନ ମେଗ ଲାନିଙ୍ଗ ।
ପ୍ରଥମେ ବ୍ୟାଟିଂ କରିବା ନିର୍ଣ୍ଣୟ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ଛଅ ୱିକେଟରେ ୧୫୫ ରନ ବନାଇବାରେ ସଫଳ ହୋଇଥିଲା । ଏହି ଉତ୍ତେଜନାରେ ଭରା ଲକ୍ଷର ପିଛା କରିବାକୁ ପ୍ରସ୍ତୁତ ହୋଇ ମନ୍ଧାନା ୧୨ଟି ଚୌକା ମାରିଥିଲେ । ହେଲେ ୧୫ତମ ଓଭରରେ ମନ୍ଧାନା ନିକୋଲା କ୍ୟାରେଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହେଇଯିବା ପରେ ମ୍ୟାଚ୍ ଅଷ୍ଟ୍ରେଲିଆ ଆଡ଼କୁ ଢଳିଯାଇଥିଲା । ସେମାନେ ଭାରତର ରନ୍ ସ୍କୋର୍ କରିବା ଉପରେ ବ୍ରେକ ଲଗାଇ ଦେଇଥିଲେ ଓ ୱିକେଟ୍ ବି ନେଇ ଚାଲିଥିଲେ ।
୧୬ତମ ଓଭରରେ କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ଆଉଟ୍ ହେବା ପରେ ଭାରତର ବିଜୟ ଆଶା ଧରାଶାୟୀ ହୋଇଯାଇଥିଲା ।
‘‘ଶେଷ ତିନି ଓଭରରେ ଆମେ ଚ଼ାପରେ ଖେଳି ପାରିଲୁ ନାହିଁ ଓ ୱିକେଟ ହରାଇ ଚ଼ାଲିଲୁ,’’ ପରାଜୟ ବିଷୟରେ କହିଛନ୍ତି ହରମନପ୍ରୀତ ।
ଏହା ପୂର୍ବରୁ ଭାରତର ବୋଲର୍ ରାଜେଶ୍ବରୀ ଗାୟକୱାଡ଼ ଶେଷ ଓଭରରେ ୧୯ ରନ୍ ଦେଇ ଅଷ୍ଟ୍ରେଲିଆର ପକ୍ଷ ମଜବୁତ କରିଥିଲେ ଓ ତାକୁ ଏକ ବଡ଼ ସ୍କୋର୍ ଠିଆକରିବାରେ ସାହାଯ୍ୟ କରିଥିଲେ ।
ଏହି ସିରିଜରେ ୨୦୮ ରନ ସ୍କୋର୍ କରି ପ୍ଲେୟାର୍ ଅଫ୍ ଦ ସିରିଜ୍ ପଦ ପାଇଥିବା ଅଷ୍ଟ୍ରେଲିଆର ଓପନିଂ ଖେଳାଳୀ ବେଥ ମୁନୀ ନିଜ ଦଳରେ ସର୍ବୋଚ୍ଚ ରନ୍ କରିଥିଲେ । ଜଙ୍କଶନ ଓଭାଲ୍ ଷ୍ଟାଡିଅମରେ ସେ ନଅଟି ଚ଼ୌକା ମାରି ୫୪ ବଲରେ ୭୧ ରନ କରିଥିଲେ ।
ଭାରତର ଏପନିଂ ବୋଲର ଦିପ୍ତି ଚ଼ାରି ଓଭରରେ ୩୦ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ । ଗାୟକୱାଡ଼ ୩୨ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ । ଭାରତର ୧୬ ବର୍ଷିୟା ଖେଳାଳି ରିଚ଼ା ଘୋଷ ନିଜ ଡେବ୍ୟୁ କରି ୨୩ ବଲରେ ୧୭ ରନ କରିଥିଲେ । (ପି.ଟି.ଆଇ.)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।