News 18 Odia Digital
ନୂଆଦିଲ୍ଲୀ; କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦ୍ୱିପାକ୍ଷିକ ବୈଠକ ଆୟୋଜିତ କରିଥିଲେ ଏବଂ ପଶ୍ଚିମ ସିଡନୀ ବିଶ୍ୱବିଦ୍ୟାଳୟ (WSU) ରେ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ପରିଷଦ (AIEC)ର ୬ଷ୍ଠ ତମ ବୈଠକରେ ସହ-ଅଧ୍ୟକ୍ଷତା କରିଥିଲେ ।

ଦ୍ୱିପାକ୍ଷିକ ବୈଠକରେ ଦୁଇ ମନ୍ତ୍ରୀ ଶିକ୍ଷା, ଦକ୍ଷତା ବିକାଶ, ଅନୁସନ୍ଧାନ, ନବସୃଜନ ଏବଂ ଉଦ୍ୟୋଗ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା ଉପରେ ଫଳପ୍ରଦ ଆଲୋଚନା କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ପ୍ରତିଷ୍ଠାନ ଗୁଡ଼ିକୁ ଭାରତରେ ସେମାନଙ୍କ କ୍ୟାମ୍ପସ୍ ସ୍ଥାପନ କରିବା ଏବଂ ଭାରତୀୟ ଅନୁଷ୍ଠାନ ସହିତ ସହଯୋଗର କ୍ଷେତ୍ର ଅନୁସନ୍ଧାନ କରିବା ପାଇଁ ସ୍ୱାଗତ କରିଥିଲେ । ଚଳିତ ବର୍ଷ ଶେଷ ସୁଦ୍ଧା ସେ ଜେସନ କ୍ଲାରଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି । ଭାରତ-ଅଷ୍ଟ୍ରେଲିଆ ବିସ୍ତୃତ ରଣନୀତି ଅଧୀନରେ ଶିକ୍ଷାକୁ ଏକ ପ୍ରମୁଖ ସ୍ତମ୍ଭ କରିବା ଲକ୍ଷ୍ୟରେ ଶିକ୍ଷାଦାନ, ଦକ୍ଷତା ଏବଂ ଅନୁସନ୍ଧାନରେ ସହଯୋଗ ବିସ୍ତାର କରିବାକୁ ଦୁଇ ମନ୍ତ୍ରୀ ମଧ୍ୟ ସହମତ ହୋଇଥିଲେ ।
ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ପରିଷଦର ୬ଷ୍ଠ ତମ ଠକରେ ଯୋଗ ଦେଇ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଅନୁସନ୍ଧାନର ପ୍ରାଥମିକତା ମଧ୍ୟରେ ସମ୍ପର୍କକୁ ଆଗକୁ ବଢ଼ାଇବା ଏବଂ କାର୍ଯ୍ୟ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ AIEC ଏକ ପ୍ରଭାବଶାଳୀ ପ୍ଲାଟଫର୍ମ । ଆସନ୍ତା ବର୍ଷ ଭାରତରେ ସପ୍ତମ AIEC ବୈଠକ ଆୟୋଜନ କରିବାକୁ ସେ ଅଷ୍ଟ୍ରେଲିଆ ଦଳକୁ ଆମନ୍ତ୍ରଣ କରିଥିଲେ ।
ଆୟୁର୍ବେଦ, ଯୋଗ, କୃଷି ଇତ୍ୟାଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଗବେଷଣା ସହଯୋଗ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ । ଦକ୍ଷତା ପ୍ରମାଣପତ୍ର ଏବଂ ଖଣି, ଲଜିଷ୍ଟିକ୍ ପରିଚାଳନା ଭଳି କ୍ଷେତ୍ରରେ ସହଯୋଗ କରିବାକୁ ସେ ଆହ୍ବାନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଡିଜିଟାଲ ୟୁନିଭର୍ସିଟି ଏବଂ ଗତି ଶକ୍ତି ବିଶ୍ୱବିଦ୍ୟାଳୟ ଗଠନ କରିଛି ଯେଉଁଥିପାଇଁ ଉଭୟ ଦେଶ ପାଠ୍ୟକ୍ରମ ଏବଂ ଅନ୍ୟାନ୍ୟ ଯୋଜନାକୁ ବିକଶିତ କରିବା ପାଇଁ ମିଳିତ ଭାବରେ କାମ କରିପାରିବେ ।
ଅଷ୍ଟ୍ରେଲିଆ ଯାଉଥିବା ଭାରତୀୟ ଛାତ୍ରମାନଙ୍କ ପାଇଁ ବିଚାରାଧୀନ ଭିସା ମାମଲା ମଧ୍ୟ ଉଠାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅଷ୍ଟ୍ରେଲୀୟ ମନ୍ତ୍ରୀ ବିଚାରାଧୀନ ଭିସା ମାମଲାରେ ସହଯୋଗ ଓ ଏହାକୁ ତ୍ୱରାନ୍ୱିତ କରାଯିବ ବୋଲି ଆଶ୍ଵାସନା ଦେଇଛନ୍ତି । ପରେ, ମନ୍ତ୍ରୀମାନେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ, ଯେଉଁଥିରେ ସେମାନେ ଉଭୟ ଦେଶରେ ନିୟାମକ ସମନ୍ୱୟର ଏକ ସହଭାଗୀ ବୁଝାମଣା ତଥା ଅନୁଷ୍ଠାନଗୁଡ଼ିକର ଦ୍ୱିପାକ୍ଷିକ ଗତିଶୀଳତାର ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଆନ୍ତର୍ଜାତୀୟ ଶିକ୍ଷା ଉପରେ ଏକ ୱାର୍କିଂ ଗ୍ରୁପ୍ ଗଠନ କରିବାକୁ ଘୋଷଣା କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଦୋହରାଇଛନ୍ତି ଯେ ପାରସ୍ପରିକ ପ୍ରଗତି ଏବଂ ସମୃଦ୍ଧତା ପାଇଁ ଶିକ୍ଷା, ଦକ୍ଷତା ଏବଂ ଅନୁସନ୍ଧାନରେ ଭାରତ ଏକ ଜ୍ଞାନ ସେତୁ ନିର୍ମାଣ ତଥା ଅଷ୍ଟ୍ରେଲିଆ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରତିଶ୍ରୁତିବଦ୍ଧ ଅଟେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।