News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରେ ଏକ ଲମ୍ବା ଇନିଂସ ଖେଳିଛନ୍ତି। ସେ ଦେଶର ସର୍ବ ପୁରାତନ ଦଳର ଜଣେ ଉଚ୍ଚ ନେତା ଥିଲେ। ଏହା ଆଉ ଏକ କଥା ଯେ ୨୦୨୦ରେ ସେ ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହୋଇଥିଲେ।
ସେ ଏବେ ସମ୍ପୂର୍ଣ୍ଣ ରୂପେ ବିଜେପିର ରଙ୍ଗରେ ରଙ୍ଗିତ ହୋଇଛନ୍ତି। ଯାହାର ଝଲକ ଗୁରୁବାର ଲୋକସଭାରେ ଦେଖିବାକୁ ମିଳିଥିଲା। ସିନ୍ଧିଆ ଜଣେ ସାଂସଦ ଇଂରାଜୀରେ ପଚାରିଥିବା ପ୍ରଶ୍ନର ଉତ୍ତର ହିନ୍ଦୀରେ ଦେଉଥିବାରୁ ଥରୁର ଏହାକୁ ଅପମାନ ବୋଲି କହିଥିଲେ। ତାମିଲନାଡୁର ଜଣେ ସାଂସଦଙ୍କ ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତର ସିନ୍ଧିଆ ଦେଇଥିଲେ। ସେ ହିନ୍ଦୀରେ ଉତ୍ତର ଦେବା ପରେ ଶଶି ଥରୁର ଇଂରାଜୀରେ କହିବାକୁ ଦାବି କରିଥିଲେ।
ଶଶି ଥରୁର କହିଥିଲେ ଯେ ସାଂସଦ ପଚାରିଥିବା ଇଂରାଜୀ ପ୍ରଶ୍ନର ଉତ୍ତର ହିନ୍ଦୀରେ ଦେବା ଅପମାନ ଭଳି। ମନ୍ତ୍ରୀ ଇଂରାଜୀ କୁହନ୍ତି। ତାଙ୍କୁ ଇଂରାଜୀରେ ଉତ୍ତର ଦେବାକୁ କୁହାଯାଉ। ଦୟାକରି ଉତ୍ତର ହିନ୍ଦୀରେ ଦିଅନ୍ତୁ ନାହିଁ। ଏହା ସମସ୍ତଙ୍କ ପ୍ରତି ଅପମାନ।
ଏହାର ପ୍ରତି ବଦଳରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ, “ମୁଁ ହିନ୍ଦୀରେ କହିବାକୁ ନେଇ ସଦସ୍ୟ ଆପତ୍ତି ଉଠାଉଛନ୍ତି। ଏହାଠାରୁ ଆଶ୍ଚର୍ଯ୍ୟ ଆଉ କିଛି ହୋଇ ନପାରେ। ଗୃହରେ ହିନ୍ଦୀ ଓ ଇଂରାଜୀ ପାଇଁ ଅନୁବାଦକ ଅଛନ୍ତି।’’
ପ୍ରକାଶ ଥାଉକି ଦୁଇ ନେତା ପରସ୍ପରର କଥା କଟାକଟି ହେଉଥିବାର ଦେଖି ଲୋକସଭା ବାଚସ୍ପତି ଓମ୍ ବିର୍ଲା ହସ୍ତକ୍ଷେପ କରିଥିଲେ। ହିନ୍ଦୀରେ ଉତ୍ତର ଦେବା କୌଣସି ପ୍ରକାରର ଅପମାନ ନୁହେଁ ବୋଲି ସେ କହିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।