ଦେଶଦ୍ରୋହ ଅଭିଯୁକ୍ତ ଶର୍ଜିଲ ଇମାମ
News18 Odia Digital
ପାଟନା: ଦେଶ ବିରୋଧୀ ଭାଷଣ ଦେବା ଅଭିଯୋଗରେ ଜବାହର ଲାଲ ନେହେରୁ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ଶର୍ଜିଲ ଇମାମକୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ୨୮ ତାରିଖରେ ଶର୍ଜିଲକୁ ବିହାରର ଜାହାନାବାଦର କାକୋ ଥାନା କ୍ଷେତ୍ରରୁ ଗିରଫ କରିଛି । ଏହି ଅପରେଶନରେ ସ୍ଥାନୀୟ ପୋଲିସ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍କୁ ସହଯୋଗ କରିଥିଲା । ଶର୍ଜିଲ ଇମାମକୁ ଗିରଫ କରିବାକୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଡିସିପି ରାଜେଶ ଦେବଙ୍କ ନେତୃତ୍ବରେ ଏକ ଟିମ୍ ସେଠାକୁ ଯାଇଥିଲା । ଏହା ପୂର୍ବରୁ ୨୭ ତାରିଖରେ ପୋଲିସ ବିହାରର ଜାହାନାବାଦରେ ଶର୍ଜିଲର ପୈତୃକ ଘର ଉପରେ ଚଢ଼ାଉ କରି ତାର ଭାଇ ଏବଂ ଶାହୀନ ବାଗରେ ଜାରି ରହିଥିବା ବିରୋଧର ସଂଯୋଜକ ମୁଜମ୍ମିଲ ଇମାମଙ୍କୁ ଅଟକ ରଖିଥିଲା । ୨୭ ତାରିଖରେ ଦିଲ୍ଲୀ ପୋଲିସ ଶର୍ଜିଲକୁ ଖୋଜିବାକୁ ମୁମ୍ବାଇ, ପାଟନା ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ।
କିଛି ଦିନ ପୂର୍ବରୁ ନାଗରିକତା ସଂଶୋଧନ ଆଇନ ବିରୋଧରେ କହିବା ବେଳେ ଏହି ଦେଶ ବିରୋଧୀ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟର ମଞ୍ଚରେ ଏହି ଭାଷଣରେ ସେ ଉତ୍ତରପୂର୍ବ ରାଜ୍ୟ ଆସାମକୁ ଭାରତରୁ ବିଚ୍ଛିନ୍ନ କରିବା ପାଇଁ କହୁଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ରେଲଓ୍ବେ ଟ୍ରାକରେ ଏତେ ପରିମାଣର ଅଳିଆ ପକାଇଦେବା ଯେ, ଏହାକୁ ସଫ କରୁ କରୁ ଏକ ମାସ ଲାଗିଯିବ । ଏହି ଉତ୍ତେଜନାପୂର୍ଣ୍ଣ ଭାଷଣପରେ ପୋଲିସ ତା ଉପରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା ଏବଂ ତାକୁ ଖୋଜିବା ପାଇଁ ଅଲଗା ଅଲଗା ରାଜ୍ୟରେ ଲଗାତାର ଚଢ଼ାଉ କରୁଥିଲା ।
ଏହି ଘଟଣାରେ ଦିଲ୍ଲୀ ପୋଲିସ ୨୫ ଜାନୁଆରୀରେ ଏଫଆଇଆର ରୁଜୁ କରିଥିଲା । ପୋଲିସ ତା ବିରୋଧରେ ଦେଶଦ୍ରୋହ ଧାରା ୧୨୪ଏ ଏବଂ ୧୩୫ଏ ଅନୁସାରେ ମାମଲା ରୁଜୁ କରିଥିଲା । ଶର୍ଜିଲକୁ ୨୫ ଜାନୁଆରୀରେ ତାଙ୍କୁ ଫୁଲବାରୀ ଶରୀଫରେ ଦେଖାଯାଇଥିଲା । ଏଥିପାଇଁ ପୋଲିସ ୨୬ ଜାନୁଆରୀ ରେ ପାଟନା ପହଞ୍ଚିଥିଲା । ଗିରଫ ପରେ ତାକୁ ଦିଲ୍ଲୀ ଅଣାଯାଇଛି ଏବଂ ପୋଲିସ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡ ମାଗିଛି । ତେବେ ତାଙ୍କ ଓକିଲ ଶର୍ଜିଲ ଆତ୍ମସମର୍ପଣ କରିଥିବା କହିଥିବାବେଳେ ଦିଲ୍ଲୀ ପୋଲିସ ଏହାକୁ ଖଣ୍ଡନ କରିଛି ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।