ଆଇଜିଆଇ ବିମାନବନ୍ଦରକୁ ବୋମା ପକେଇ ଉଡ଼ାଇ ଦେବାର ମିଳିଲା ଧମକ; ବିମାନ ବନ୍ଦରରେ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ ବିମାନବନ୍ଦର)କୁ ବୋମା ପକେଇ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ବିମାନବନ୍ଦରରେ ସୁରକ୍ଷା ବୃଦ୍ଧି କରାଯାଇଛି ।

ଆଇଜି ବିମାନବନ୍ଦରକୁ ବୋମା ପକେଇ ଉଡ଼ାଇ ଦେବାକୁ ଧମକ ମିଳିଛି (ପ୍ରତୀକାତ୍ମକ ଛବି)

ଆଇଜି ବିମାନବନ୍ଦରକୁ ବୋମା ପକେଇ ଉଡ଼ାଇ ଦେବାକୁ ଧମକ ମିଳିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ ବିମାନବନ୍ଦର)କୁ ବୋମା ପକେଇ ଉଡ଼ାଇ ଦେବାକୁ ଅଲକାଏଦା ଧମକ ଦେଇଛି। ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଅଲକାଏଦା ନାମରେ ଏକ ଇମେଲ ପାଇଥିଲା, ଯେଉଁଥିରେ ଆସନ୍ତା କିଛି ଦିନ ମଧ୍ୟରେ ଆଇଜି ବିମାନ ବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଧମକ ମିଳିବା ମାତ୍ରେ ବିମାନବନ୍ଦରର ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି।

ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ଅନୁଯାୟୀ, ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଏକ ଇମେଲ ପାଇଛି ଯେଉଁଥିରେ କୁହାଯାଇଛି ଯେ କରଣବୀର ସୁରି ଓରଫ ମୋହମ୍ମଦ ଜଲାଲ ଓ ତାଙ୍କ ପତ୍ନୀ ଶୈଲି ଶାରା ଓରଫ୍‌ ହସିନା ରବିବାର ସିଙ୍ଗାପୁରରୁ ଭାରତ ଆସୁଛନ୍ତି। ଆସନ୍ତା ଏକରୁ ତିନି ଦିନ ମଧ୍ୟରେ ଉଭୟ ଆଇଜି ବିମାନ ବନ୍ଦରରେ ବୋମା ରଖିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଅଲକାଏଦାର ଏହି ଧମକ ପରେ ସିଏସଏଫ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ସତର୍କ ହୋଇ ବିମାନବନ୍ଦରର ସୁରକ୍ଷାକୁ କଡ଼ାକଡ଼ି କରିଛନ୍ତି।

ଅନୁସନ୍ଧାନ ବେଳେ ଡିଆଇଜି କହିଛନ୍ତି ଯେ ପୂର୍ବରୁ ମଧ୍ୟ ସମାନ ନାମ ଓ ସମାନ ବିବରଣୀ ସହିତ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା। ତାଙ୍କ କହିବାନୁସାରେ, ପୂର୍ବରୁ କରଣବୀର ଏବଂ ଶୈଲିଙ୍କୁ ଆଇଏସ୍‌ଆଇଏସ୍‌ର ଗ୍ୟାଙ୍ଗଷ୍ଟର କୁହାଯାଉଥିଲା। ଏଥିସହିତ ଲେଖାଥିଲା ଯେ ଉଭୟ ଆସୁଛନ୍ତି ଓ ତିନି ଦିନ ମଧ୍ୟରେ ବିମାନବନ୍ଦର ଉପରେ ବୋମା ପକାଇବାକୁ ଷଡ଼ଯନ୍ତ୍ର କରିବେ।

ପ୍ରକାଶଥାଉ ଯେ ଏହା ପୂର୍ବରୁ ୧୮ ଏପ୍ରିଲରେ ଦିଲ୍ଲୀ ବିମାନବନ୍ଦରରେ ଗୋଟିଏ ବିମାନକୁ ବୋମା ପକେଇ ଉଡ଼ାଇବାର ଧମକ ଆସିଥିଲା । ସେତେବେଳେ ବାଙ୍ଗାଲୋରରୁ ଦିଲ୍ଲୀ ଆସୁଥିବା ବିମାନରେ ଜଣେ ଯାତ୍ରୀଙ୍କୁ ସ୍ଲିପ ମିଳିଥିଲା। ସ୍ଲିପରେ ଲେଖାଯାଇଥିଲା ଯେ ବିମାନରେ ଏକ ବୋମା ଅଛି ଓ ଏହା ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ବିସ୍ଫୋରଣ ହେବ। ଫଳରେ ବିମାନଟି ଦିଲ୍ଲୀରେ ପହଞ୍ଚିବା ମାତ୍ରେ ବୋମା ନିଷ୍କାସନକାରୀ ଦଳ ଏହାକୁ ଘେରି ରହିଥିଲେ ଓ ଅନୁସନ୍ଧାନ ବେଳେ କିଛି ମିଳି ନ ଥିଲା।
Published by:Soumya Das
First published: