News18 Odia Digital
ନୂଆ ଦିଲ୍ଲୀ: ଉଜବେକିସ୍ତାନର ସମରକନ୍ଦରେ ଦୁଇ ଦିନିଆ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଗୁରୁବାର ଠାରୁ ଆରମ୍ଭ ହେବ। ଏଥର ସମ୍ମିଳନୀରେ ଅଧ୍ୟକ୍ଷତା କରିବ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଉପରେ ବିଶ୍ୱର ନଜର ରହିଛି।ଉଜବେକିସ୍ତାନ ଓ ରୁଷ ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି । ସୀମାପାର ଆତଙ୍କବାଦ, ବାଣିଜ୍ୟ ପ୍ରସଙ୍ଗ ସହ ଭାରତ ଆଫଗାନିସ୍ତାନ ପ୍ରସଙ୍ଗ ବି ଉଠାଇପାରେ ।
ବର୍ତ୍ତମାନ ସୁଦ୍ଧା ବୈଠକକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ଜୁନ୍ ୨୦୨୦ ରେ ପୂର୍ବ ଲଦାଖରେ ସୃଷ୍ଟି ହୋଇଥିବା ବିବାଦ ପରେ ଏହା ଦୁଇ ନେତାଙ୍କ ପ୍ରଥମ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଉଜବେକିସ୍ତାନ ଅଭିମୁଖେ ଯାତ୍ରା କରିବେ। ଚୀନ୍ ରାଷ୍ଟ୍ରପତି ବୁଧବାର ସେଠାରେ ପହଞ୍ଚିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ମୋଦି କମ୍ ସମୟ ପାଇଁ ସେଠାରେ ରହିବେ।
ଶିଖର ସମ୍ମିଳନୀରେ ମୋଦି ଋଷର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ବୋଲି ଋଷ ନିଶ୍ଚିତ କରିଛି। ପୁଟିନ ଚାହୁଁଛନ୍ତି ଯେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ହ୍ରାସ ହେଉ। ଏହା ମଧ୍ୟରେ ମଧ୍ୟ ଆଲୋଚନା ହୋଇଥିଲା ଯେ ଋଷ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିପାରିବ। ପୁଟିନଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ମୋଦି ସି ଜିନପିଙ୍ଗଙ୍କ ସହ ମଧ୍ୟ ବୈଠକ କରିପାରନ୍ତି, ଯାହା LAC ଉପରେ ଉତ୍ତେଜନା ହ୍ରାସ କରିବାର ରାସ୍ତା ଖୋଲିପାରେ।
ସୂଚନାନୁସାରେ ସ୍ୱାଭାବିକ ଭାବେ ଶିଖର ସମ୍ମିଳନୀରେ ସମସ୍ତ ନେତା ପରସ୍ପରକୁ ଭେଟିବେ। ଆନୁଷ୍ଠାନିକ ଅଭିବାଦନ ବ୍ୟତୀତ ଏକ ଗୋଷ୍ଠୀ ଫଟୋ ମଧ୍ୟ ଉଠାହେବ। କିନ୍ତୁ ଯଦି ଏହି ସମୟ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ କୌଣସି ବୈଠକ ହୁଏ, ତେବେ ଉଭୟ ଦେଶ କୌଣସି ଏଜେଣ୍ଡା ବିନା କୌଣସି ପ୍ରସଙ୍ଗ ଉପରେ ଆଲୋଚନା କରିପାରିବେ। ସାମ୍ପ୍ରତିକ ପରିସ୍ଥିତିରେ, ଏସସିଓରେ ଚୀନ୍ ସହିତ ଦ୍ୱିପାକ୍ଷିକ କଥାବାର୍ତ୍ତାର କୌଣସି ସମ୍ଭାବନା ନାହିଁ। ଏକ ସାଇଡଲାଇନ ବୈଠକର ସମ୍ଭାବନା ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।