Science News: ଏହି ଶତାବ୍ଦୀରେ ଘରଚଟିଆ ଓ କାଉ ଭଳି ୧୦ ଲକ୍ଷ ପ୍ରଜାତି ବିଲୁପ୍ତ ହୋଇଯିବେ

ଏକ ରିପୋର୍ଟ ଅନୁଯାୟୀ, ପୃଥିବୀରୁ ୯୦ ଲକ୍ଷ ପ୍ରଜାତିର ଜୀବ ବିଲୁପ୍ତ ହେବାକୁ ଯାଉଥିବା ବେଳେ ଏହି ଶତାବ୍ଦୀରେ ୧୦ ଲକ୍ଷ ପ୍ରଜାତି ବିଲୁପ୍ତ ହେବାର ବିପଦରେ ଅଛନ୍ତି।

ପ୍ରାୟ ୧୦ ଲକ୍ଷ ପ୍ରଜାତି ବିଲୁପ୍ତ ହୋଇଯିବେ (ପ୍ରତୀକାତ୍ମକ ଛବି)

ପ୍ରାୟ ୧୦ ଲକ୍ଷ ପ୍ରଜାତି ବିଲୁପ୍ତ ହୋଇଯିବେ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଦେଶ ଦୁନିଆରେ ଜୈବ ବିବିଧତା ଅତି କ୍ଷୀପ୍ର ଗତିରେ ଶେଷ ହେଉଛି। ଆମ ଚାରିପାଖରେ ଥିବା ଏପରି ଅନେକ ଜୀବକୁ ଆମେ ମନେ ପକେଇପାରିବା ଯେ ଯେଉଁମାନେ ପ୍ରଚୁର ପରିମାଣରେ ଥିଲେ କିନ୍ତୁ ଏବେ ଆଉ ଦେଖାଯାଉ ନାହାନ୍ତି। ଏଥିରୁ ଘରଚଟିଆ ଅନ୍ୟତମ। ଏହି ପକ୍ଷୀମାନେ କିଛି ଦଶନ୍ଧି ପୂର୍ବରୁ ଆମ ଘର ଅଗଣାରେ ବୋବୋଉଥିଲେ, କିନ୍ତୁ ବର୍ତ୍ତମାନ ସେମାନର ପ୍ରାୟ ଦେଖା ନାହିଁ। କାଉମାନଙ୍କ ଅବସ୍ଥା ମଧ୍ୟ ସମାନ ପ୍ରାୟ। ବର୍ତ୍ତମାନ ଏହି ପକ୍ଷୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଏହା କେବଳ ଆମ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ଘଟୁଛି। ଏକ ରିପୋର୍ଟ ଅନୁଯାୟୀ, ପୃଥିବୀରୁ ୯୦ ଲକ୍ଷ ପ୍ରଜାତିର ଜୀବ ବିଲୁପ୍ତ ହେବାକୁ ଯାଉଥିବା ବେଳେ ଏହି ଶତାବ୍ଦୀରେ ୧୦ ଲକ୍ଷ ପ୍ରଜାତି ବିଲୁପ୍ତ ହେବାର ବିପଦରେ ଅଛନ୍ତି।

ମିଳିତ ଜାତିସଂଘର ୧୫ ତମ ସମ୍ମିଳନୀରେ ଜୈବ ବିବିଧତା (COP15) ରେ ଏହି ବିଷୟ ଉପରେ ଚିନ୍ତା ବଢିଛି। ଏହି ସମ୍ମିଳନୀରେ ପାରିତ ହୋଇଥିବା ଜୈବ ବିବିଧତା ଉପରେ କୁନମିଙ୍ଗ ଘୋଷଣାନାମା ‘ଜୈବ ବିବିଧତାକୁ ଉନ୍ନତି ପଥରେ ଆଣିବା ଏହି ଦଶନ୍ଧିର ଏକ ବଡ଼ ଆହ୍ୱାନ' ନାମରେ ଆରମ୍ଭ ହୋଇଛି। ଏଠାରେ ପ୍ରଶ୍ନ ଉଠେ ଯେ ଯଦି ପୃଥିବୀରୁ ଏଭଳି ଜୀବମାନେ ବିଲୁପ୍ତ ହୋଇଯାଆନ୍ତି, ତେବେ ଏ ପୃଥିବୀ କ’ଣ ମଣିଷ ପାଇଁ ଯୋଗ୍ୟ ହୋଇ ରହିବ?

ଏହି ଅନ୍‌ଲାଇନ୍ ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ପ୍ରକୃତି ସହ ଜଡିତ ନୂତନ ଲକ୍ଷ୍ୟ ବିଷୟରେ ବିଶ୍ୱର ସରକାରମାନଙ୍କ ମଧ୍ୟରେ ସହମତି ସୃଷ୍ଟି କରିବା। ଏହି ଲକ୍ଷ୍ୟଗୁଡିକ ବିଫଳ ଆଇଚି ଲକ୍ଷ୍ୟର ସ୍ଥାନ ନେବ। ଏହି ଅନ୍‌ଲାଇନ୍ ଇଭେଣ୍ଟ ପରେ, ଜାନୁୟାରୀ ୨୦୨୨ରେ ଜେନେଭାରେ ଏକ ବୈଠକ ହେବ ଏବଂ ଏହି ଆଲୋଚନା ଏପ୍ରିଲ୍ ୨୦୨୨ରେ ଚାଇନାର କୁନ୍ମିଙ୍ଗରେ ଆନୁଷ୍ଠାନିକ ଭାବରେ ଶେଷ ହେବ, ଯେଉଁଥିରେ ବିଶ୍ୱ ଆଗାମୀ ଦଶକର ଲକ୍ଷ୍ୟ ସହିତ ୨୦୨୦ର ବୈଶ୍ୱିକ ଜୈବ ବିବିଧତା ମଡେଲ ଉପରେ ସହମତ ହେବ।ବିଶ୍ୱର ଅଧିକାଂଶ ଦେଶ ଜୈବ ବିବିଧତା ସମ୍ମିଳନୀକୁ ଅର୍ଥ ପ୍ରଦାନ କରିଛନ୍ତି। ପୃଥିବୀରେ ଜୀବନର ବିବିଧତାକୁ ରକ୍ଷା କରିବା ପାଇଁ ଏଗୁଡ଼ିକ ହେଉଛି ଚୁକ୍ତିନାମା। ବୈଜ୍ଞାନିକମାନେ କହିଛନ୍ତି ଯେ ଜୈବ ବିବିଧତା ଗୁରୁତର ଭାବରେ ହ୍ରାସ ପାଉଛି। ଏହି ପରିପ୍ରେକ୍ଷୀରେ, ୨୦୧୯ରେ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ପୃଥିବୀର ପ୍ରାୟ ୯୦ ଲକ୍ଷ ପ୍ରଜାତି ମଧ୍ୟରୁ ଏହି ଶତାବ୍ଦୀରେ ୧୦ ଲକ୍ଷ ପ୍ରଜାତି ଲୋପ ପାଇଯିବେ।

ବୈଶ୍ୱିକ ସଙ୍କଟଗୁଡ଼ିକ ପ୍ରାୟତଃ ପୃଥକ ଭାବରେ ଆଲୋଚନା କରାଯାଇଥାଏ। ବିଶ୍ୱ ଜୈବ ବିବିଧତା ସଙ୍କଟ, ଜଳବାୟୁ ସଙ୍କଟ ଓ ବାୟୁ ପ୍ରଦୂଷଣ ସଙ୍କଟ ଦେଇ ଗତି କରୁଛି। ବାସ୍ତବରେ ଏ ସବୁ ପରସ୍ପର ଜଡ଼ିତ। ଏଗୁଡିକୁ ପୃଥକ ଭାବରେ ଦେଖିବା ବିଭିନ୍ନ ପ୍ରଜାତି ଓ ଶେଷରେ ମାନବତା ଉପରେ ଏହାର ପ୍ରଭାବକୁ ଅଣଦେଖା କରେ।

୨୦୧୦ ସୁଦ୍ଧା ଜୈବ ବିବିଧତା ହ୍ରାସର ହାରକୁ ରୋକିବା ପାଇଁ ବିଶ୍ୱ ଲକ୍ଷ୍ୟକୁ ହାତଛଡ଼ା କରିଥିଲା ​​ଓ ତା’ପରେ ୨୦୨୦ ପାଇଁ ୨୦ଟି ଲକ୍ଷ୍ୟ ସ୍ଥିର କରିଥିଲା। ଯଦିଓ ଏ ଦିଗରେ କିଛି ଅଗ୍ରଗତି ହୋଇଛି, କିନ୍ତୁ ୨୦ଟି ଲକ୍ଷ୍ୟ ମଧ୍ୟରୁ ଅଧିକାଂଶ ପୂରଣ ହୋଇନାହିଁ। ଏହାର କାରଣ ହେଉଛି ଦେଶଗୁଡ଼ିକ ଜୈବ ବିବିଧତା କ୍ଷତିର ବାହକମାନଙ୍କ ସହିତ ମୁକାବିଲା କରିବାରେ ବିଫଳ ହୋଇଛନ୍ତି। ଏହି ବ୍ୟବସ୍ଥିତ ଚ୍ୟାଲେଞ୍ଜଗୁଡ଼ିକ ଅର୍ଥନୀତି, ନିୟାମକ ପ୍ରଣାଳୀ ଓ କିଛି ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆବଶ୍ୟକ କରେ।

ବିକାଶଶୀଳ ଦେଶମାନଙ୍କରେ ଜୈବ ବିବିଧତାକୁ ସୁରକ୍ଷା ସହ ଜଡିତ ପ୍ରକଳ୍ପଗୁଡିକ ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ୧.୫ ବିଲିୟନ ୟୁଆନ୍ ($ ୨୩.୩୩୩ନିୟୁତ)ର ନୂତନ କୁନ୍ମିଙ୍ଗ ଜୈବ ବିବିଧତା ପାଣ୍ଠି ଘୋଷଣା କରିଛନ୍ତି ଏବଂ ଜାପାନ ଏହାର ଜୈବ ବିବିଧତା ପାଣ୍ଠିକୁ ବୃଦ୍ଧି କରି ୧କୋଟି ୭୦ ଲକ୍ଷ ଡଲାର କରିଛି।ଗ୍ଲାସ୍ଗୋରେ ହେବାକୁ ଥିବା COP26 ଜଳବାୟୁ ଆଲୋଚନାରେ ଜୈବ ବିବିଧତା ରକ୍ଷା କରିବା ଉପରେ ମୁଖ୍ୟତଃ ଆଲୋଚନା ହେବ। ଏହା ଗୁରୁତ୍ୱପୂର୍ଣ୍ଣ ଯେ ଜଳବାୟୁ ପରିବର୍ତ୍ତନ ଏବଂ ଜୈବ ବିବିଧତାରେ ହ୍ରାସ ପରସ୍ପର ଜଡିତ ସମସ୍ୟା ଭାବରେ ଦେଖାଯାଉଛି। ଏନେଇ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ପଦକ୍ଷେପ ଜୈବ ବିବିଧତାକୁ କ୍ଷତି ପହଞ୍ଚାଇପାରେ। ଜୈବ ଫସଲ ଉତ୍ପାଦନ କିମ୍ବା ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାର ଏକମାତ୍ର ଉଦ୍ଦେଶ୍ୟ ପାଇଁ ଜଙ୍ଗଲ ପରିଚାଳନା କରିବା ଅର୍ଥ ଜୈବ ବିବିଧତା ସମ୍ଭନ୍ଧୀୟ ବାସସ୍ଥାନ ପରିବର୍ତ୍ତନ କରିବା। ଅପରପକ୍ଷେ, ବନ୍ୟା ପରିସ୍ଥିତିକୁ ହ୍ରାସ କରିବା ପାଇଁ ଉପକୂଳବର୍ତ୍ତୀ ବାସସ୍ଥାନକୁ ସୁରକ୍ଷା ଦେବା ଭଳି ପ୍ରକୃତିଭିତ୍ତିକ ସମାଧାନ ଜୈବ ବିବିଧତାର ପୁନରୁଦ୍ଧାରରେ ସହାୟକ ହୋଇପାରେ।
Published by:Soumya Das
First published: