ଧନୀ ମହିଳା ତାଲିକାରେ ସାବିତ୍ରୀ ଜିନ୍ଦଲ
News 18 Odia Digital
ନୂଆଦିଲ୍ଲୀ; ଜିନ୍ଦଲ୍ ଗ୍ରୁପ୍ ମୁଖ୍ୟ ଭାରତର ସାବିତ୍ରୀ ଜିନ୍ଦଲ ଏସିଆର ସବୁଠୁ ଧନୀ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି । ଚୀନ୍ର ୟାଙ୍ଗ୍ ହଇୟନ୍ଙ୍କୁ ପଛରେ ପକାଇ ସାବିତ୍ରୀ ଜିନ୍ଦଲ ଏହି ସଫଳତା ହାସଲ କରିଛନ୍ତି । ୟାଙ୍ଗ୍ ହୁଇୟନ୍ ଗତ ପାଞ୍ଚବର୍ଷ ଧରି ଏସିଆର ସବୁଠୁ ଧନୀ ମହିଳା ରହିଆସିଥିଲେ । ୟାଙ୍ଗ୍ ଚୀନ୍ର ସବୁଠୁ ବଡ଼ ରିୟଲ୍ ଇଷ୍ଟେଟ୍ ଡେଭେଲପର୍ କଣ୍ଟ୍ରି ଗାର୍ଡେନ ହୋଲ୍ଡିଙ୍ଗ୍ସର ପରିଚାଳକ ଅଛନ୍ତି । ତେବେ ରିୟଲ୍ ଇଷ୍ଟେଟ୍ କମ୍ପାନୀଗୁଡ଼ିକ ଉପରେ ଚୀନ୍ ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ୟାଙ୍ଗ୍ଙ୍କ ସମ୍ପତ୍ତି ହ୍ରାସ ପାଇଛି ।
ବ୍ଲମବର୍ଗ ରିପୋର୍ଟ ଅନୁସାରେ ସାବିତ୍ରୀଙ୍କ ପାଖରେ ୮୯.୪୯ ହଜାର କୋଟି ଟଙ୍କାର ସଂପତ୍ତି ରହିଛି । ଦ୍ୱିତୀୟ ସ୍ଥାନରେ ଚୀନ୍ର ଫେନ୍ ହଙ୍ଗୱେ ରହିଥିବାବେଳେ ତାଙ୍କ ସଂପତ୍ତିର ମୋଟ ପରିମାଣ ୧୧.୩ ଆରବ ଡଲାର ରହିଛି । ଫୋବର୍ସ ଅନୁସାରେ, ସାବିତ୍ରୀ ଜିନ୍ଦଲ ଗତ କିଛି ବର୍ଷ ଧରି ଭାରତର ସବୁଠୁ ଧନୀ ମହିଳା ରହି ଆସିଛନ୍ତି। ଭାରତର ସବୁଠୁ ଧନୀ ମହିଳା ତାଲିକାରେ ତାଙ୍କ ପରେ କିରଣ ମଜୁମଦାର ଏବଂ କୃଷ୍ଣା ଗୋଦରେଜ ରହିଛନ୍ତି।
ସୂଚନାଯୋଗ୍ୟ, ୨୦୦୫ରେ ସାବିତ୍ରୀ ଜିନ୍ଦଲଙ୍କ ସ୍ଵାମୀ ତଥା ଜିନ୍ଦଲ ଗ୍ରୁପର ସଂସ୍ଥାପକ ଓମ ପ୍ରକାଶ ଜିନ୍ଦଲଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ସାବିତ୍ରୀ ନିଜ ସ୍ଵାମୀଙ୍କ କାରବାର ସମ୍ଭାଳି ଆସୁଛନ୍ତି। ସାବିତ୍ରୀ ଜିନ୍ଦଲ ଜିନ୍ଦଲ ଗ୍ରୁପକୁ ଆଗକୁ ନେଇ ଚାଲିଛନ୍ତି ଏବଂ ସାଧାରଣ ଜନତାଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।