News18 Odia Digital
Russian Boy Claims: ବଲିଉଡର ବହୁ ଲୋକପ୍ରିୟ ଚଳଚ୍ଚିତ୍ର କୋଇ ମିଲ ଗୟା ଆପଣ ମାନେ ଥରେ ନା ଥରେ ଦେଖିଥିବେ । ସେଥିରେ ଜଣେ ଦୂର ଗ୍ରହରୁ ଆସି ଆମ ଗ୍ରହରେ ଚମତ୍କାରିତା ଦେଖାଇବା ପରେ ଅନ୍ଯ ଗ୍ରହରେ ଜୀବନ ସମ୍ଭବ ବୋଲି କେହି କେହି କହୁଥିଲେ । ପରେ ବୈଜ୍ଞାନିକ ମାନେ ମଧ୍ଯ ମଙ୍ଗଳ ଗ୍ରହରେ କିଛିମାତ୍ରାରେ ଏହା ସମ୍ଭବ ବୋଲି ପ୍ରମାଣ ମଧ୍ଯ କରିଥିଲେ । ଏହି କ୍ରମରେ ଏବେ ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ନାବାଳକ ନିଜକୁ ଅନ୍ଯ ଗ୍ରହର ବୋଲି କହୁଛି ।
ବ୍ରହ୍ମାଣ୍ଡ ଭିତରେ ଅଛନ୍ତି ଅଗଣିତ ଗ୍ରହ । ପୃଥିବୀ ବ୍ୟତିତ ଅନ୍ୟ କୌଣସି ଗ୍ରହରେ ଜୀବନ ଅଛି, ତା ଏପର୍ଯ୍ୟନ୍ତ ମାନବ ପାଇଁ ଏବେ ବଡ଼ ପ୍ରଶ୍ନ । ହଜାର ହଜାର ବର୍ଷ ଧରି ମାନବ ଖାଲି ଆଖିରେ ବିସ୍ତୀର୍ଣ୍ଣ, ସୀମାହୀନ ମହାକାଶରେ ଚମକୁଥିବା ତାରା ମାନଙ୍କୁ ଦେଖି ପଚାରି ଆସିଛି, ସେଇ ଗୋଟିଏ ପ୍ରଶ୍ନ । ଦୂରରେ ଚମକୁଥି୍ବା ତାରା ମଣ୍ଡଳରେ ଆଉ ଗୋଟିଏ ପୃଥିବୀ ଅଛି କି, ଅଛି କି ସେଠାରେ ଜୀବନ । କିନ୍ତୁ ଏପର୍ଯ୍ୟନ୍ତ ଏ ପ୍ରଶ୍ନର ଫେରନ୍ତା ଉତ୍ତର ହେଉଛି ନା । ଏସବୁ ଭିତରେ ବେଳେବେଳେ ଚମକାଇ ଦେବା ଭଳି ଖବର ସାମ୍ନାକୁ ଆସେ, କେତେବେଳେ ନାସା ଅନ୍ୟ ଗ୍ରହରେ ଜୀବନର ସମ୍ଭାବନା ଦାବି କରେ ତ, ଆଉ କେତେବେଳେ କୌଣସି ବଡ଼ ବୈଜ୍ଞାନିକ କୁହନ୍ତି ଏଲିଏନ ଆମକୁ ଖୋଜି ସାରିଲାଣି । ସେମାନେ କେବେ ମଧ୍ୟ ଆସି ପାରନ୍ତି । ଅନ୍ୟ ଗ୍ରହ ବାସିନ୍ଦା ପୃଥ୍ବିବୀକୁ ଆସୁଛନ୍ତି କିମ୍ବା ଆସିବେ । ଏଭଳି ଖବର ଭିତରେ ରୁଷରୁ ଆସିଛି ଚକିତ କଲାଭଳି ଖବର । ରୁଷିଆର ଜଣେ ବାଳକ ନିଜକୁ ମଙ୍ଗଳ ଗ୍ରହର ବାସିନ୍ଦା ବୋଲି ଦାବି କରିଛନ୍ତି ।
‘ଡେଲି ଷ୍ଟାର’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରୁଷିଆର ବୋଲଗୋଗ୍ରାଡ୍ବାସୀ ବୋରିସ କିପ୍ରିୟାନୋଭିକ୍ ନାମକ ଜଣେ ବାଳକ ନିଜକୁ ଭିନ୍ନ ଗ୍ରହର ମନୁଷ୍ୟ ବୋଲି ଦାବି କରିଛି । ଖାଲି ସେତିକି ନୁହେଁ, ଏ ପ୍ରକାର ବିଭୀଷିକାମୟ ସ୍ଥିତିରୁ ପୃଥିବୀକୁ ବଞ୍ଚାଇବା ଲାଗି ସେ ମଙ୍ଗଳ ଗ୍ରହରୁ ଏଠିକି ଆସିଛି ବୋଲି କହୁଛି । ଏପରିକି ଏହି ନାବାଳକ ଜଣକ ନିଜର ଅଗାଧ ଜ୍ୟୋତିଃଜ୍ଞାନ ତତ୍ତ୍ବ ବଖାଣି ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବୋରିସ୍ର ଯୁକ୍ତି ହେଲା, ସେ ମଙ୍ଗଳ ଗ୍ରହର ଅନ୍ୟ ବାସିନ୍ଦାଙ୍କ ସହ ନିଜର ପୂର୍ବଜନ୍ମ ବିତାଇ ସାରିଛି । ସେହି ମଙ୍ଗଳବାସୀଙ୍କର ଅନ୍ତଃଗ୍ରହୀୟ ଏପରିକି ଅନ୍ତଃନକ୍ଷତ୍ରୀୟ ଗମନାଗମନ ବ୍ୟବସ୍ଥା ରହିଥିଲା । ତେବେ ଏଠାରେ ମାନବ ସମାଜକୁ ଧ୍ବଂସ ହେବାରୁ ରକ୍ଷା କରିବା ପାଇଁ ତାକୁ ପୃଥିବୀକୁ ପଠାଯାଇଛି । ବିଗତ ବର୍ଷମାନଙ୍କରେ ସେ ଅନେକ ଥର ପୃଥିବୀ ପରିଭ୍ରମଣରେ ଆସିଥିଲା। ପେସାରେ ଜଣେ ଡାକ୍ତର ଥିବା ବୋରିସ୍ର ମାଆ ମଧ୍ୟ ତାହାର ଜନ୍ମବେଳର ଅଦ୍ଭୁତ ଅଭିଜ୍ଞତାକୁ ବର୍ଣ୍ଣନା କରି ବୋରିସ କଥାରେ କିଛି ସତ୍ୟତା ଥିବା କହିଛନ୍ତି । ରୁଷୀୟ ବିଜ୍ଞାନ ପ୍ରତିଷ୍ଠାନର କିଛି ବିଶେଷଜ୍ଞ ମଧ୍ୟ ବୋରିସର ଶରୀରରୁ ନିର୍ଗତ ଆଭାକୁ ବିଶ୍ଳେଷଣ କରି ତା’ ଦେହରୁ କିଛି ଅସ୍ବାଭାବିକ ତରଙ୍ଗ ବିକିରିତ ହେଉଥିବା କହିଛନ୍ତି ।
ଏସବୁ ବାଦରେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେଉଁଠି ଜଣେ ସାଧାରଣ ସୁସ୍ଥ ଶିଶୁ ୫ମାସରୁ ନିଜ ମୁଣ୍ଡ ସିଧା କରିପାରେ, ସେହି ସମୟରେ ବୋରିସ ୨ ସପ୍ତାହରୁ ନିଜ ମୁଣ୍ଡ ସଳଖ କରିପାରିଛି । ଜନ୍ମର କିଛି ସପ୍ତାହ ପରେ କଥା କହିବା ଆରମ୍ଭ କରିଥିଲା ବୋରିସ । ମାତ୍ର ୧୮ ମାସରେ ସେ ଭାଷା ପଢ଼ିବା ଆରମ୍ଭ କଲା ଓ ମାତ୍ର ୨ ବର୍ଷ ବେଳକୁ ସବୁ ଗ୍ରହ, ନକ୍ଷତ୍ର ସଂପର୍କରେ ଜଣା ଥିଲା । ଧିରେ ଧିରେ ଅନ୍ତରୀକ୍ଷକୁ ନେଇ ଅନେକ ତଥ୍ୟ କହିଚାଲିଥିବା ବେଳେ ମାତ୍ର ୭ ବର୍ଷରେ ସେ ଏମିତି କିଛି ତଥ୍ୟ ଦେଲେ, ଯାହାକୁ ନେଇ ପୁରା ଦୁନିଆ ଆଶ୍ଚର୍ଯ୍ୟ ହେଲା । ଏପରିକି ବୈଜ୍ଞାନିକମାନେ ମଧ୍ଯ ତାଜୁବ ହୋଇଯାଇଥିଲେ । ଏକ କ୍ୟାମ୍ପ ଫାୟାରରେ ଯୋଗ ଦେଇଥିବା ଅବସରରେ ସେ ପୃଥିବୀର ନୁହେଁ ବରଂ ଅନ୍ୟ ଗ୍ରହରୁ ଆସିଛି ବୋଲି ବାପା ମାଆଙ୍କୁ କହିଥିଲେ ।
ମୁଁ ଏକଲା ନୁହେଁ ମୋ ଭଳି ଅନେକ ପିଲା ପୃଥିବିରେ ଅଛନ୍ତି । ମଙ୍ଗଳରେ ୩୫ ବର୍ଷ ପରେ ଲୋକ ଆଉ ବଢ଼ନ୍ତି ନାହିଁ କଥା ଶୁଣିବା ପରେ ବାପାମା ମଧ୍ଯ ଆଶ୍ଚର୍ଯ୍ଯ ହୋଇଯାଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।