News18 Odia Digital
ଋଷିଆ ୟୁକ୍ରେନ ଯୁଦ୍ଧ ଆଜିକୁ ପୁରିଲା ୪ମାସ।ଏବେ ମଧ୍ୟ ଘମାଘୋଟ ଯୁଦ୍ଧ ଜାରି । ଦିନ ଯେତେ ଗଡ଼ୁଛି ଯୁଦ୍ଧ ଆହୁରି ଭୟାନକ ରୂପ ନେଉଛି। ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନର ଅଧିକାଂଶ ଅଞ୍ଚଳ ଧ୍ୱଂସ ହୋଇସାରିଛି । ଏମିତିକି ଶାନ୍ତି ପାଇଁ ଅନେକ ଥର କଥାବାର୍ତ୍ତା ହୋଇଥିଲେ ହେଁ କୌଣସି ଦିଗ ବାହାରୁ ନାହିଁ । ବର୍ତ୍ତମାନ ଯୁଦ୍ଧ ସ୍ଥିତି କଣ ଅଛି, ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି କି, ତମାମ ଖବର ଜାଣନ୍ତୁ....
୧୨୧ ଦିନରେ ଋଷ ୟୁକ୍ରେନ ମହାସମର। ଯୁଦ୍ଧକୁ ପୁରିଲା ୪ ମାସ। ଫେଲ ମାରୁଛି ଶାନ୍ତି ଆଲୋଚନା । ଦିନକୁ ଦିନ ତିବ୍ର ହେବାରେ ଲାଗିଛି ଋଷ ୟୁକ୍ରେନ ଯୁଦ୍ଧ । ଆଜିକୁ ୪ ମାସ ପୁରଣ ହେଉଥିବା ବେଳେ ଏବେବି ଅନେକ ସହରରେ ୧୦୦ରୁ ଅଧିକ ସ୍ଥାନରେ ଯୁଦ୍ଧ ଜାରି ରହିଛି । ଘମାଘୋଟ ଯୁଦ୍ଧ ପରେ ବି ଆଶାନୁରୂପ ସଫଳତା ମିଳିନଥିବା ବେଳେ ଏବେ ରାଜଧାନୀ କିବ୍ କୁ ଛାଡି ଡୋନବାସକୁ ଟାର୍ଗେଟ କରିଛି ଋଷ୍ । ଯାହାଦ୍ୱାରା ଏବେ ଲିଥୁଆନିଆ, ସ୍ୱିଡେନ ଫିନଲ୍ୟାଣ୍ଡ, ପୋଲାଣ୍ଡ ଉପରେ ଆକ୍ରମଣ ଆଶଙ୍କା ବଢ଼ିଛି।
୨୪ ଫେବୃଆରୀ ୨୦୨୨ରେ ଯେତେବେଳେ ଋଷ୍ ରାଷ୍ଟ୍ରପତି ପୁଟିନ ଆନୁଷ୍ଠାନିକ ଭାବରେ ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା କଲେ ସେତେବେଳକୁ ଋଷର ବାୟୁସେନା ୟୁକ୍ରେନର ୧୦୦ରୁ ଅଧିକ ସାମରିକ ବେସ୍ ଉପରେ ବୋମା ପକାଇ ସାରିଥିଲେ । ସେହି ସମୟରେ ପୁଟିନ୍ ଯୁଦ୍ଧ ଘୋଷଣା କରି କହିଥିଲେ କି ଯେତେବେଳେ ୟୁକ୍ରେନ ସୈନିକ ଅସ୍ତ୍ର ତ୍ୟାଗ କରିବେ ସେତେବେଳେ ଏହି ଯୁଦ୍ଧ ଥମିବ । ଯୁଦ୍ଧ ଘୋଷଣା ପରେ କିଛି ସମୟ ପାଇଁ ବିଶ୍ୱବାସୀ ଭାବିଥିଲେ କି ଯୁଦ୍ଧ ତ ବାସ କିଛି ଘଣ୍ଟାର କଥା , ବହୁଶୀଘ୍ର ୟୁକ୍ରେନ ଆତ୍ମ ସମର୍ପଣ କରିବ । ଶକ୍ତିଶାଳୀ ଋଷ ଆଗରେ କେତେ ଦିନ ତିଷ୍ଠି ପାରିବ ୟୁକ୍ରେନ । କିନ୍ତୁ ତାହା ଘଟିଲା ନାହିଁ ଦୁନିଆକୁ ଚକିତ କରି ୟୁକ୍ରେନ ରାଷ୍ଟପତି ଜେଲେନସ୍କି ରଣକ୍ଷେତ୍ର ଛାଡିଲେ ନାହିଁ, ସୈନିକମାନଙ୍କ ସହ ସାଧାରଣ ଲୋକଙ୍କୁ ନେଇ ଯୁଦ୍ଧର ସାମ୍ନା କଲେ। ସେହି ଦିନକୁ ଆଜି ଚାରି ମାସ। ସହରର ସହରଗୁଡ଼ିକ ଧ୍ୱଂସ ହୋଇଯାଇଛି, ୮ ନିୟୁତ ଲୋକ ଦେଶ ଛାଡି ପଳାଇଛନ୍ତି । ତଥାପି ବି ୟୁକ୍ରେନ ଆତ୍ମସମର୍ପଣ କରି ନାହିଁ। ଆଜି ୧୦୦ ରୁ ଅଧିକ ସ୍ଥାନରେ ୟୁକ୍ରେନ ସୈନ୍ୟ ଏବଂ ସାରା ବିଶ୍ୱରୁ ସାଧାରଣ ନାଗରିକ ଏବଂ ସ୍ୱେଚ୍ଛାସେବୀ ଯୋଦ୍ଧାମାନେ ରୁଷୀୟ ସେନା ସହିତ ଜୋରଦାର ମୁକାବିଲା କରୁଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।