News18 Odia Digital
ମୁମ୍ବାଇ: ଆମେରିକାର ସେମିକଣ୍ଡକ୍ଟର କମ୍ପାନୀ ଇଣ୍ଟେଲ୍ କର୍ପୋରେସନ୍ (Intel Corp.) ଜିଓ ପ୍ଲାଟଫର୍ମ୍ସରେ (Jio Platforms) ଅଂଶଧନ କିଣିବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ରେ (Reliance Industries Limited, RIL) ସେୟାର ମୂଲ୍ୟ ଆଜି ଏକ ପ୍ରତିଶତରୁ ଅଧିକ ବଢ଼ିଛି ।
ଇଣ୍ଟେଲ କର୍ପୋରେସନର ନିବେଶ ବାହୁ ଇଣ୍ଟେଲ କ୍ୟାପିଟାଲ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ଡିଜିଟାଲ୍ ଶାଖା ଜିଓ ପ୍ଲାଟଫର୍ମରେ ୦.୩୯ ପ୍ରତିଶତ ଅଂଶଧନ ବଦଳରେ ୧,୮୯୪.୫୦ କୋଟି ଟଙ୍କା ବିନିଯୋଗ କରିବ ବୋଲି ଘୋଷଣା କରିଛି ।
ଏହି କମ୍ପାନୀ କାରବାର ପରେ ଜିଓ ପ୍ଲାଟଫର୍ମ୍ସର ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଓ ଏଣ୍ଟରପ୍ରାଇଜ୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ହୋଇଛି ବୋଲି କମ୍ପାନୀ କହିଛି ।
ଇଣ୍ଟେଲ ସହିତ ହୋଇଥିବା ଚୁକ୍ତି ୧୧ ସପ୍ତାହ ମଧ୍ୟରେ ଜିଓ ପ୍ଲାଟଫର୍ମ୍ସରେ ୧୨ତମ ପୁଞ୍ଜି ବିନିଯୋଗ । ଏହି ଚୁକ୍ତି ପରେ ଜିଓ ପ୍ଲାଟଫର୍ମ୍ସରେ ବିକ୍ରି ହୋଇଥିବା ସମୁଦାୟ ଅଂଶଧନ ୨୫.୦୯ ପ୍ରତିଶତକୁ ବୃଦ୍ଧି ପାଇଛି ।
ଫେସବୁକ ସମେତ ବିଶ୍ୱର କେତେକ ଅଗ୍ରଣୀ ଟେକନୋଲୋଜି ନିବେଶକମାନଙ୍କ ଠାରୁ RIL ବର୍ତ୍ତମାନ ପର୍ଯ୍ୟନ୍ତ ୧,୧୭,୫୮୮.୪୫ କୋଟି ଟଙ୍କା ସଂଗ୍ରହ କରିସାରିଛି । ଏପ୍ରିଲ ୨୨ରେ ଫେସବୁକ୍ ଜିଓ ପ୍ଲାଟଫର୍ମ୍ସରେ ୯.୯୯ ପ୍ରତିଶତ ଅଂଶଧନ ୪୩,୫୭୪ କୋଟି ଟଙ୍କାରେ କିଣିଥିଲା ।
କରୋନା ଭାଇରସ୍ ମହାମାରୀ କାରଣରୁ ସାଧାରଣ ସଭା ସମ୍ଭବ ହୋଉ ନ ଥିବାରୁ ରିଲାଏନ୍ସ ଜୁଲାଇ ୧୫ରେ ଏହାର ପ୍ରଥମ ଭର୍ଚୁଆଲ୍ ବାର୍ଷିକ ସାଧାରଣ ବୈଠକ ଆୟୋଜନ କରିବ ବୋଲି ଜଣେଇଛି ।
ଆଜି ସକାଳ ୯ଟା ୧୮ରେ BSEରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାରର ଦାମ୍ ୧୫.୫୫ ଟଙ୍କା ବା ୦.୮୮ ପ୍ରତିଶତ ବଢ଼ି ୧,୭୭୬.୧୦ ଟଙ୍କା ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।