News 18 Odia Digital
Cyclone Mandous Alert: ଭାରତ ପାଣିପାଗ ବିଭାଗ (ଆଇଏମଡି) ତାମିଲନାଡୁର ତିନୋଟି ଜିଲ୍ଲା ପାଇଁ ବାତ୍ୟା 'ମାଣ୍ଡୁସ୍' ନେଇ ରେଡ୍ ଆଲର୍ଟ ଜାରି କରିଛି । ବାତ୍ୟା 'ମାଣ୍ଡୁସ୍' ରାଜ୍ୟ ନିକଟତର ହେଉଛି । ତାମିଲନାଡୁର ଚେଙ୍ଗଲପାଟ୍ଟୁ, କାଞ୍ଚିପୁରମ୍ ଏବଂ ଭିଲୁପୁରମ୍ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହାପୂର୍ବରୁ କୁଡାଲୋର, ମାୟିଲାଡୁଥୁରାଇ, ନାଗାପାଟ୍ଟିନାମ, ତିରୁଭୌର, ଥାନଜାଭୁର ଓ ପୁଡୁକୋଟାଇ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା । ଆଇଏମଡି ୯ ଓ ୧୦ ଡିସେମ୍ବରରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଧୀରେ ଧୀରେ ଏକ ସାଇକ୍ଲୋନିକ୍ ଷ୍ଟ୍ରମରେ ପରିଣତ ହୋଇ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ସମ୍ଭାବନା ଅଧିକ ରହିଛି । ଆଇଏମଡିର ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ଅବପାତ ଯୋଗୁଁ ତାମିଲନାଡୁ, ପୁଡୁଚେରୀ ଏବଂ କରାଇକାଲ ଅଞ୍ଚଳରେ ଡିସେମ୍ବର ୮ ରୁ ୧୦ ମଧ୍ୟରେ ପ୍ରବଳ ବର୍ଷା ହେବ।
ତାମିଲନାଡୁ ସରକାର କହିଛନ୍ତି, ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବଳର ପ୍ରାୟ ୪୦୦ କର୍ମଚାରୀଙ୍କୁ ନେଇ ୧୨ ଟି ଟିମ୍ ନାଗପାଟ୍ଟିନମ୍ ଏବଂ ଥାନଜାଭୁର, ଚେନ୍ନାଇ, ଏହାର ତିନୋଟି ପଡୋଶୀ ଜିଲ୍ଲା ଏବଂ କୁଡାଲୋର ସମେତ ୧୦ ଟି ଜିଲ୍ଲାରେ ନିୟୋଜିତ ହୋଇଛନ୍ତି ।
ପାଣିପାଗ ବିଭାଗ ଏହା ମଧ୍ୟ କହିଛି ଯେ, ଡିସେମ୍ବର ୮ ରୁ ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ଶ୍ରୀଲଙ୍କା ଉପକୂଳରେ ଘଣ୍ଟା ପ୍ରତି ୪୦- ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ୯ ଡିସେମ୍ବରରୁ ୧୦ ଡିସେମ୍ବର ମଧ୍ୟରେ ପବନର ତୀବ୍ରତା ଘଣ୍ଟା ପ୍ରତି ୯୦ କିଲୋମିଟର ହୋଇପାରେ । ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ପି ସେଣ୍ଟାମାରାଇକନନ୍ କହିଛନ୍ତି, ଡିସେମ୍ବର ୯ ଓ ୧୦ରେ ପବନ ଓ ବର୍ଷା ପ୍ରବଳ ହେବାର ସମ୍ଭାବନା ଥିବାରୁ ଏହି ବାତ୍ୟା ରାଜ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।