ୟେସ୍‌ ବ୍ୟାଙ୍କ୍‌ ସଙ୍କଟ: ୩ ଦିନିଆ ରିମାଣ୍ଡରେ ରାଣା କପୁର; ତାଙ୍କ ୩ ଝିଅଙ୍କ ଭୂମିକା ଉପରେ ନଜର

ଏହି ସ୍କାମରେ ରାଣାଙ୍କ ତିନି ଝିଅ ବି ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ସେମାନେ ଏକ ନକଲି କମ୍ପାନୀ ଚଳାଇ ଆସୁଥିବା ଜଣା ପଡ଼ିଛି । ଏହି ତିନି ଝିଅ – ରାକ୍ଷୀ କପୁର ଟଣ୍ଡନ, ରୋଶନି କପୁର ଏବଂ ରାଧା କପୁର – ଙ୍କୁ ବି ଇଡି ପଚରାଉଚରା କରିଛି ।

ୟେସ୍‌ ବ୍ୟାଙ୍କ୍‌ ସଙ୍କଟ: ୩ ଦିନିଆ ରିମାଣ୍ଡରେ ରାଣା କପୁର; ତାଙ୍କ ୩ ଝିଅଙ୍କ ଭୂମିକା ଉପରେ ନଜର
ନିଜ ଦୁଇ ଝିଅଙ୍କ ସହ ରାଣା କପୁର (ଫାଇଲ୍ ଫଟୋ)
  • News18 Odia
  • Last Updated: March 9, 2020, 12:57 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ/ମୁମ୍ବାଇ: ୟେସ୍ ବ୍ୟାଙ୍କରେ ଉଜାଗର ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ ଗିରଫ ହୋଇଥିବା ଏହି ବ୍ୟାଙ୍କର ପ୍ରତିଷ୍ଠାତା ଓ ପୂର୍ବତନ ସି.ଇ.ଓ. (CEO) ରାଣା କପୁରଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଧିକ ଖୋଳତାଡ଼ କରିବା ଆରମ୍ଭ କରିଛି । ଏହି ଅନିୟମିତତା ପଛରେ କପୁରଙ୍କ ତିନି ଝିଅଙ୍କ ଭୂମିକାକୁ ନେଇ ବି ଚାଲିଛି ତନାଘନା ।

ରାଣା କପୁରଙ୍କୁ ଗିରଫ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ୨୦ ଘଣ୍ଟାର ମାରାଥନ ପଚରାଉଚରା କରିଥିଲା । ତାଙ୍କ ସମୁଦ୍ର ମହଲ ବାସଭବନରେ ଇଡିର ଯାଞ୍ଚ ଜାରି ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୟେସ୍ ବ୍ୟାଙ୍କର ମୁମ୍ବାଇ ସମେତ ଅନ୍ୟ ତିନୋଟି ସ୍ଥାନରେ ଚଢାଉ କରିଛି ।

କପୁରଙ୍କ ତିନି ଝିଅଙ୍କ ଭୂମିକାକୁ ନେଇ ବି ଜାରି ରହିଛି ଖୋଳତାଡ଼ । ସେମାନେ ଅର୍ବନ ଭେଞ୍ଜର୍ସ ନାଁରେ ଏକ ନକଲି କଂପାନୀ ଚଳାଇ ଆସୁଥିବା ଜଣା ପଡ଼ିଛି । ଏହି ତିନି ଝିଅ – ରାକ୍ଷୀ କପୁର ଟଣ୍ଡନ, ରୋଶନି କପୁର ଏବଂ ରାଧା କପୁର – ଙ୍କୁ ବି ଇଡି ପଚରାଉଚରା କରିଛି । ରାଧା କପୁର ଓ ରୋଶନୀ ଅର୍ବାନ ଭେଞ୍ଚର୍ସର ନିର୍ଦ୍ଦେଶକ ଅଛନ୍ତି । ରାଣା କପୁରଙ୍କ ପରିବାର ମାଲିକାନାରେ ଥିବା କମ୍ପାନୀଙ୍କ ମଧ୍ୟରେ ତିନିଟି ବଡ଼ ବଡ଼ ଟ୍ରାଞ୍ଜେକସନ ହୋଇଥିବା ଇଡି ନଜରକୁ ଆସିଛି ଓ ସେଥି ନେଇ ଯାଞ୍ଚ ଚାଲିଛି । ଇଡି ଆଉ ୫,୦୦୦ କୋଟିର ଲେଣଦେଣ ମାମଲାରେ ବି ଯାଞ୍ଚ ଆରମ୍ଭ କରି ଦେଇଛି ।

ଦେଶର ଚତୁର୍ଥ ବଡ଼ ପ୍ରାଇଭେଟ ବ୍ୟାଙ୍କ ଭାବେ ପରିଚିତ ୟେସ୍‌ ବ୍ୟାଙ୍କରୁ ପାଖାପାଖି ୬୦୦ କୋଟି ଟଙ୍କା ନେଇଛନ୍ତି ଏହି ଦୁର୍ନୀତି ସହ ଜଡ଼ିତ ଲୋକେ । ବଡ଼ କଥା ହେଉଛି ୟେସ୍ ବ୍ୟାଙ୍କ DHFLକୁ ୩,୭୫୦ କୋଟି ଟଙ୍କାର ଋଣ ପ୍ରଦାନ କରିଥିଲା । ଆଉ DHFL ଦ୍ବାରା ନିୟନ୍ତ୍ରିତ ଆର. କେ. ଡବ୍ଲୁ ଡେଭଲପର୍ସକୁ ୭୫୦ କୋଟି ଟଙ୍କାର ଋଣ ଦିଆଯାଇଥିଲା । ଦୁଇଟି ଯାକ କଂପାନୀ ଋଣ ପରିଶୋଧ କରିବାରେ ବିଫଳ ହୋଇଥିବା ବେଳେ ୟେସ୍ ବ୍ୟାଙ୍କ ଏମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ରାଣା କପୁର ଓ ତାଙ୍କର ତିନି ଝିଅ କାର୍ଯ୍ୟାନୁଷ୍ଠାନ ନ ନେବାକୁ ବିପୁଳ ଟଙ୍କା ନେଇଥିବା ଇଡି ଅନୁମାନ କରୁଛି ।

ରାଣା କପୁରଙ୍କ ଝିଅ ରାଧା କପୁର ଖନ୍ନା


ରାଣା କପୁର ୟେସ୍ ବ୍ୟାଙ୍କର ସିଇଓ ଥିବା ସମୟରେ  ବ୍ୟାଙ୍କ L ଆଣ୍ଡ FS, ଜେଟ୍ ଏୟାରୱେଜ, କକ୍ସ ଆଣ୍ଡ୍  କିଙ୍ଗସ୍, ସିଜି ପାୱାର, ଦିୱାନ ହାଉସିଂ, କୈଫେ କଫି ଡେକୁ ଋଣ ପ୍ରଦାନ କରିଥିଲା । ଏହି କଂପାନୀଗୁଡ଼ିର ଆର୍ଥିକ ଲେଣଦେଣ ରେକର୍ଡ ଆଦୌ ଭଲ ନ ଥିଲା । ଏହି ସବୁ କମ୍ପାନୀର NPA ରେକର୍ଡ ସ୍ତରରେ ପହଞ୍ଚି ସାରିଥିବା ସତ୍ତ୍ୱେ ସେମାନଙ୍କୁ ଋଣ ଦେଇଥିଲା ୟେସ୍‌ ବ୍ୟାଙ୍କ୍‌ । କୁହାଯାଉଛି ଯେ  ନିଜର ବ୍ୟକ୍ତିଗତ ସମ୍ପର୍କ ପାଇଁ ରାଣା କପୁର ଏହି ସବୁ କମ୍ପାନୀଗୁଡ଼ିକୁ ଋଣ ପ୍ରଦାନ କରିଥିଲେ । ଆଉ ଏହି କାରଣ ପାଇଁ ରିଜର୍ଭ ବ୍ୟାଙ୍କ ୨୦୧୯ ଜାନୁଆରୀରେ ରାଣା କପୁରଙ୍କୁ ତାଙ୍କ ପଦରୁ ହଟାଇ ଦେଇଥିଲା ।

ଏବେ ୟେସ୍‌ ବ୍ୟାଙ୍କର ସଙ୍କଟଜନିତ ସ୍ଥିତି ସମ୍ଭାଳିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୟେସ୍ ବ୍ୟାଙ୍କର ପରିଚାଳନା ଦାୟିତ୍ବ ନିଜ ହାତକୁ ନେଇଛି । ଏସବିଆଇର ପୂର୍ବତନ ସିଏଫଓ ପ୍ରଶାନ୍ତ କୁମାର ଏହାର ଦୈନନ୍ଦିନ କାମ ବୁଝିବେ । ବ୍ୟାଙ୍କରେ ଟଙ୍କା ରଖିଥିବା ଗ୍ରାହକ ଟେନସନରେ ଥିବା ବେଳେ ରାଣା କପୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ ହୋଇଛି । ଆଉ ଦୁର୍ନୀତିରେ ରାଣା କପୁରଙ୍କ ପରିବାର ଲିଙ୍କ ବି ସାମନାକୁ ଆସିଛି । ସେପଟେ ବ୍ୟାଙ୍କର ସ୍ଥିତି ସମ୍ପର୍କରେ ଅବଗତ ଥାଇ ବି ୨୦୧୯ରେ ଆରବିଆଇ କାହିଁକି ଚୁପ୍ ରହିଥିଲା, ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।
First published: March 9, 2020, 12:57 AM IST