NEWS 18 ODIA DIGITAL
ନୂଆଦିଲ୍ଲୀ : ରାମପୁର ଲୋକସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି ଅପେକ୍ଷା ଆଜମ୍ ଖାନଙ୍କର ଅଧିକ ବିଶ୍ୱସନୀୟତା ଥିଲା । କୁହାଯାଉଥିଲା କି ଆସୀମ ରଜା ତ କେବଳ ଏକ ଚେହେରା, ବାସ୍ତବରେ ଆଜମ ଖାନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଆଜମ ଖାନ ନିଜେ ନିର୍ବାଚନ ପ୍ରଚାରର ଦାୟିତ୍ୱ ଗ୍ରହଣ କରିଥିଲେ । ଏମିତିକି ଏସପିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ମଧ୍ୟ ପ୍ରଚାରକୁ ଆସିନଥିଲେ । ନିର୍ବାଚନ ପ୍ରଚାର ସମୟରେ ଆଜାମ ଖାନ ରାମପୁରବାସୀଙ୍କୁ ଏକଥା ମଧ୍ୟ କହିଥିଲେ ଯେ ମୋ ମୁହଁରେ କାଳି ଯେମିତି ବୋଲିବନି ।
ରାମପୁର ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଓ ବିଧାୟକ ଆଜମ୍ ଖାନଙ୍କୁ ବଡ଼ ଝଟକା ଲାଗିଛି । ବିଜେପି ଆଜମ ଖାନଙ୍କ ମଜବୁତ୍ ଗଡ଼କୁ ଭାଙ୍ଗି ବଡ଼ ବିଜୟ ହାସଲ କରିଛି । ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଦି ସମାଜବାଦୀ ପାର୍ଟିର ଅସୀମ ରଜାଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ୨୦୧୪ ପରେ ବିଜେପି ପୁଣି ଥରେ ରାମପୁର ଲୋକସଭା ଆସନ ହାସଲ କରିଛି । ୨୦୧୯ରେ, ରାମପୁରର ଲୋକମାନେ ଏସପିର ଆଜମ ଖାନଙ୍କୁ ଏହି ଆସନ ପାଇଁ ସାଂସଦ ଭାବରେ ପଠାଇଥିଲେ । କିନ୍ତୁ ବିଧାୟକ ହେବା ପରେ ସେ ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଏହା ପରେ ୨୩ ଜୁନ୍ ରେ ଉପ-ନିର୍ବାଚନ ପାଇଁ ଭୋଟିଂ ଅନୁଷ୍ଠିତ ହୋଇଥିଲା ।
ରାମପୁରରେ ବିଜେପିର ବିଜୟ ନେଇ ଅନେକ ଚର୍ଚ୍ଚା ଆଲୋଚନା ହେଉଛି । ବିଜେପି ମୁଖପାତ୍ର ହରିଶ ଶ୍ରୀବାସ୍ତବ କହିଛନ୍ତି ଯେ ଏହି ବିଜୟ ପ୍ରମାଣ କରୁଛି ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟର ୮୦ ଟି ଆସନ ହାତେଇବାକୁ ଯାଉଛି । ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ମୁଖପାତ୍ର ଭୁବନ ଯୋଶୀ ଏହି ପରାଜୟକୁ ବିଏସପି ଉପରେ ଦାୟୀ କରିଛନ୍ତି । ସେ କହିଛନ୍ତି ଏହି ଫଳାଫଳ ପ୍ରମାଣ କରୁଛି ବିଏସପି ବିଜେପି ସହ ମିଶିଛି ଏବଂ ସେ ଏନଡିଏ ରେ ମିଶିଯିବା ଉଚିତ୍ । ବିଏସପି ରାମପୁରରେ ପ୍ରାର୍ଥୀ ଦେଇନଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।