News 18 Odia Digital
ଭୁବନେଶ୍ୱର: ସାଂସଦ ପଦ ଯିବା ପରେ ସଂସଦରେ ରାହୁଲ ଗାନ୍ଧି (Rahul gandhi) । କଂଗ୍ରେସ ସଂସଦୀୟ ଦଳ ବୈଠକରେ ସାମିଲ୍ ହେଲେ ରାହୁଲ । ଦଳୀୟ ସାଂସଦ ଓ ବିରୋଧୀ ନେତାଙ୍କ ସହ ଅନେକ ପ୍ରସଙ୍ଗରେ କଲେ ଆଲୋଚନା । ଆଦାନୀ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ସରକାର କେବେ ଜେପିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଏପଟେ ରାହୁଲଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରାହୁଲ ତାଙ୍କ ଅହଂକାର ପାଇଁ ଆଜି ଦଣ୍ଡ ପାଇଛନ୍ତି, ଆଇନ୍ ସମସ୍ତଙ୍କ ପାଇଁ ସମାନ ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ । ଯାହାର ଜବାବ ରଖିଛି କଂଗ୍ରେସ ।
ମାନହାନୀ ମାମଲାରେ ସଦସ୍ୟତା ରଦ୍ଦ ହେବା ପରେ, ରାହୁଲ ଗାନ୍ଧି ଏବେ ପୂର୍ବତନ ସାଂସଦ । ତେବେ ପଦ ରଦ୍ଦ ହେବା ପରେ ଏହା ଥିଲା ରାହୁଲଙ୍କ ପ୍ରଥମ ପାର୍ଲାମେଣ୍ଟ ଗସ୍ତ । ପୂର୍ବଥର ଭଳି କଳା ପ୍ୟାଣ୍ଟ ଓ ଧଳା ଟିସାର୍ଟରେ ନଜର ଆସିଥିଲେ ସେ । ପାର୍ଲାମେଣ୍ଟକୁ ପାଛୋଟି ନେଇଥିଲେ କଂଗ୍ରେସ ସାଂସଦ । କଂଗ୍ରେସ ସଂସଦୀୟ ଦଳ ବୈଠକରେ ସାମିଲ୍ ହୋଇଥିଲେ ରାହୁଲ । ଏହି ଅବସରରେ ସାଂସଦଙ୍କ ସହ ଅନେକ ପ୍ରସଙ୍ଗରେ କରିଥିଲେ ଆଲୋଚନା । ବିଶେଷକରି ଆଦାନୀ ପ୍ରସଙ୍ଗ ଓ ବିରୋଧୀ ଏକତା ଉପରେ ଚର୍ଚ୍ଚା ହୋଇଥିବା ଅନୁମାନ କରାଯାଉଛି । ସେହିଭଳି କିଛି ବିରୋଧୀ ନେତାଙ୍କ ସହ ମଧ୍ୟ ରାହୁଲଙ୍କର ଆଲୋଚନା ହୋଇଛି । ଉଦ୍ଧବ ଠାକରେଙ୍କ ଶିବସେନା ସାଂସଦ ସଞ୍ଜୟ ରାଉତ (sanjay raut)ଙ୍କ ସହ ହୋଇଛି ଆଲୋଚନା । ଏହି ଅବସରରେ ଉପସ୍ଥିତ ଥିଲେ ସୋନିଆ ଗାନ୍ଧି (sonia gandhi) । ସାବରକର ପ୍ରସଙ୍ଗରେ ଲାଗି ରହିଥିବା ବିବାଦର ସମାଧାନ ହୋଇଥିବା କହିଛନ୍ତି ସଞ୍ଜୟ ରାଉତ । ଏଥିସହ ବିରୋଧୀ ଏକତା ଏବଂ କିଭଳି ଗଣତନ୍ତ୍ର ଉପରେ ହେଉଥିବା ଆକ୍ରମଣରୁ ଦେଶକୁ ରକ୍ଷା କରାଯିବ, ତାହା ଉପରେ ଜୋର୍ ଦିଆଯାଉଥିବା ସଞ୍ଜୟ ରାଉତ କହିଛନ୍ତି ।
ଏପଟେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଜାରି ରଖିଛନ୍ତି ରଣନୀତି । ସୋନିଆ ଗାନ୍ଧି, କଂଗ୍ରେସ ସାଂସଦଙ୍କ ବୈଠକ ନେଇଥିବା ବେଳେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ବରେ ବସିଥିଲା ବିରୋଧୀ ଦଳର ବୈଠକ । ଏଥିରେ ସାମିଲ୍ ହୋଇଥିଲା ଉଦ୍ଧବ ଠାକରେଙ୍କ ଶିବସେନା । ଆଦାନୀ ପ୍ରସଙ୍ଗ ଓ ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦକୁ ନେଇ ସରକାରଙ୍କୁ ସମାଲୋଚନା ଜାରି ରଖିଛି କଂଗ୍ରେସ । ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, ରାହୁଲ ଯେଉଁ ପ୍ରଶ୍ନ ପଚାରିଥିଲେ ତାହାର ଏ ପର୍ଯ୍ୟନ୍ତ ଉତ୍ତର ମିଳିଲା ନାହିଁ । ମୁଖ୍ୟ ପ୍ରସଙ୍ଗ ଏଡ଼ାଇବାକୁ ବିଜେପି, ସବୁବେଳେ ଉଦ୍ୟମ କରୁଥିବା କହିଛି କଂଗ୍ରେସ । ସେହିଭଳି ଟିଏମସି ସାଂସଦମାନେ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିବା ସହ ପ୍ରତିବାଦ କରିଥିଲେ । ସରକାର, ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଥିବା କହିଛି ଟିଏମସି । ଏପଟେ ବିଜେପି କହିଛି, ୧୦୦ ଛେଳି, ୧୦୦ ମୂଷା ଆସିଲେ ବି ଗୋଟିଏ ସିଂହର ମୁକାବିଲା କରିବା ଅସମ୍ଭବ ।
ବିଜେପି ଲଗାତାର ଭାବେ ରାହୁଲ ଗାନ୍ଧି ଓ କଂଗ୍ରେସକୁ ସମାଲୋଚନା କରୁଥିବା ବେଳେ ଏଥର ପ୍ରେସମିଟ୍ କରି କାଉଁଟର୍ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରାହୁଲ ଗାନ୍ଧି ସମ୍ବିଧାନ ଉପରେ ନୁହଁନ୍ତି, ବାବା ସାହେବଙ୍କ ସମ୍ବିଧାନରେ ଆଇନ୍ ସମସ୍ତଙ୍କ ପାଇଁ ସମାନ । ରାହୁଲ ବାରମ୍ବାର ଦେଶକୁ ଅପମାନିତ କରୁଛନ୍ତି । ଓବିସି ସମାଜକୁ ଅପମାନ କରିଥିବାରୁ କୋର୍ଟ ତାଙ୍କୁ ଜେଲ୍ ଦଣ୍ଡ ଦେଇଛନ୍ତି । ରାହୁଲ ଏହାକୁ ଗ୍ରହଣ କରିବା ଜରୁରୀ ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ । ଅହଙ୍କାର ପାଇଁ ରାହୁଲ ସଦସ୍ୟତା ପଦ ହରାଇଥିବା କହିଛନ୍ତି ସେ । ଯାହାର ଜବାବ ରଖିଛି କଂଗ୍ରେସ ।
ବୁଧବାର ପାର୍ଲାମେଣ୍ଟ ଆରମ୍ଭ ହେବା ମାତ୍ରେ ଲୋକସଭାରେ ହୋହଲ୍ଲା ଏବଂ ନାରାବାଜି କରିଥିଲେ କଂଗ୍ରେସ ସାଂସଦ । କଳା ପୋଷାକ ପିନ୍ଧି ବାଚସ୍ପତିଙ୍କ ନିକଟକୁ ମାଡ଼ିଯାଇ ପ୍ରତିବାଦ କରିଥିଲେ । କିଛି ସମୟ ପରେ ସ୍ବାଭାବିକ ହୋଇଥିଲା ଗୃହକାର୍ଯ୍ୟ । ସେପଟେ ଏପ୍ରିଲ୍ ୩ ତାରିଖ ପର୍ଯ୍ୟନ୍ତ ମୁଲତବି ହୋଇଛି ରାଜ୍ୟସଭା । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ, ବିରୋଧୀ ଆଣିବାକୁ ଯାଉଥିବା ଅବିଶ୍ବାସ ପ୍ରସ୍ତାବ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ରାହୁଲଙ୍କ ସଦସ୍ୟତା ରଦ୍ଦ ପରେ ବିରୋଧୀ ଅଯଥା ବାଚସ୍ପତିଙ୍କୁ ସମାଲୋଚନା କରୁଥିବା କହିଛନ୍ତି ସେ ।
ଆଦାନୀ ପ୍ରସଙ୍ଗ ଓ ରାହୁଲଙ୍କ ସଦସ୍ୟତା ରଦ୍ଦ, ମୁଦ୍ଦାକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ଯୋଜନା କରିଛି କଂଗ୍ରେସ । ଏଥିପାଇଁ ଜିଲ୍ଲା, ବ୍ଲକ ଓ ମଣ୍ଡଳସ୍ତରରେ ତ୍ରିସ୍ତରୀୟ ଜୟ ଭାରତ ସତ୍ୟାଗ୍ରହ ଆୟୋଜନ କରିବ କଂଗ୍ରେସ ।
ଏହି ଖବର ପଢ଼ନ୍ତୁ -
Rising india: ଗ୍ୟାଜେଟ ଇଣ୍ଡଷ୍ଟ୍ରିରେ ଭାରତୀୟ ବ୍ରାଣ୍ଡ୍ ସଫଳ ହୋଇଛି: ଅମନ ଗୁପ୍ତାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।