ଆଶ୍ଚର୍ଯ୍ଯ: ୨୫ କିଲୋମିଟର ବସ ଚଳାଇ ଯାତ୍ରୀଙ୍କୁ ରକ୍ଷା କଲେ ୪୨ ବର୍ଷୀୟା ମହିଳା ଯୋଗିତା

ପୁଣେ ରାସ୍ତାରେ ଖୁବ କ୍ଷିପ୍ର ଗତିରେ ଚାଲୁଥିବା ଏକ ମିନି ବସର ଡ୍ରାଇଭର ହଠାତ ବେହୋସ ହୋଇଗଲେ । ଏହି ସମୟରେ ଯାତ୍ରୀମାନଙ୍କ ମଧ୍ୟରେ ବସିଥିବା ଜଣେ ମହିଳା ଯେଉଁ କାମ କରିଥିଲେ ତାହା ବେଶ ଆଶ୍ଟର୍ଯ୍ଯଜନକ ଥିଲା।

ବସ ଚଲାଇ ଯାତ୍ରୀଙ୍କୁ ରକ୍ଷା କଲେ ଯୋଗିତା (ପ୍ରତୀକାତ୍ମକ ଛବି)

ବସ ଚଲାଇ ଯାତ୍ରୀଙ୍କୁ ରକ୍ଷା କଲେ ଯୋଗିତା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପୁଣେ: ପୁଣେ ରାସ୍ତାରେ ଖୁବ କ୍ଷିପ୍ର ଗତିରେ ଚାଲୁଥିଲା ଏକ ମିନି ବସ୍‌। ଏହି ସମୟରେ ଡ୍ରାଇଭର ହଠାତ୍ ବେହୋସ ହୋଇଗଲେ। ବସ୍‌ରେ ଥିବା ସବୁ ଯାତ୍ରୀ ଭୟଭୀତ ହୋଇପଡ଼ିଲେ। କିନ୍ତୁ ଏହି ଯାତ୍ରୀମାନଙ୍କ ମଧ୍ୟରେ ବସିଥିବା ଜଣେ ମହିଳା ଯେଉଁ କାମ କରିଥିଲେ ତାହା ବେଶ ଆଶ୍ଟର୍ଯ୍ଯଜନକ ଥିଲା। ତାଙ୍କର ସାହସିକତା ଯୋଗୁଁ ବସ୍‌ରେ ଥିବା ଯାତ୍ରୀଙ୍କ ଜୀବନକୁ ରକ୍ଷା ହୋଇଥିଲା।

ପୁଣେର ୱାଗୋଲିର ୪୨ ବର୍ଷୀୟା ମହିଳା ଯୋଗିତା ସାତଭ ଏହି ବସ୍‌ରେ ଯାତ୍ରା କରୁଥିଲେ। ଡ୍ରାଇଭର ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିବା ପରେ ସେ ସଙ୍ଗେ ସଙ୍ଗେ ତାଙ୍କ ଆସନରୁ ଯାଇ ବସ୍‌ର ଷ୍ଟିଅରିଂକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ତାଙ୍କ ଜୀବନରେ ପ୍ରଥମ ଥର ହାତରେ ବସ ଷ୍ଟିଅରିଂ ଧରିଥିଲେ ।

ଯୋଗିତା ପ୍ରାୟ ୨୫ କିଲୋମିଟର ପର୍ଯ୍ୟନ୍ତ ଏହି ମିନି ବସ୍‌ଟିକୁ ଚଲାଇଥିଲେ। ସେ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ପହଞ୍ଚେଇଥିଲେ, ତାଙ୍କ ଜୀବନ ରକ୍ଷା କରିଥିଲେ। ଜାନୁଆରୀ ୭ରେ ଏହି ଘଟଣା ଘଟିଥିଲା। ୱାଗୋଲିର କୋଡିଏ ଜଣ ଲୋକ ପିକ୍‌ନିକ୍ କରିବାକୁ ମୋରାଚି ଚିଞ୍ଚୋଲି ଯାଇଥିଲେ। ସେଠାରେ ଗୋଟିଏ ଦିନ ବିତାଇବା ପରେ ସେମାନେ ପରଦିନ ସନ୍ଧ୍ୟା ପାଞ୍ଚଟାରେ ଫେରୁଥିଲେ। କିନ୍ତୁ କିଛି ବାଟ ଯିବା ପରେ ହଠାତ୍ ବସ୍ ଡ୍ରାଇଭର ଅସହଜ ଅନୁଭବ କଲେ।

ଏହା ଦେଖି ବସ୍‌ରେ ଥିବା ଲୋକମାନେ ଚିତ୍କାର କରିବାକୁ ଲାଗିଲେ। ଏହି ଘଟଣାକୁ ସ୍ମରଣ କରି ଯୋଗିତା କୁହନ୍ତି ଯେ “ମୁଁ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ପଚାରିଲି ଯେ ଅସୁବିଧା କ’ଣ? ଡ୍ରାଇଭର ମୋତେ କେବଳ କହିଲେ ଯେ ମୁଁ ଅସହଜ ଅନୁଭବ କରୁଛି। ତା’ପରେ ମୁଁ କହିଲି ଯେ ଯଦି ସେ ବସ୍ ଚଲାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ମୁଁ ଗାଡି ଚଳାଇବି। ଏହି ପରେ ବସ୍ ଡ୍ରାଇଭର ବେହୋସ ହୋଇଗଲେ।

ତେଣୁ ମୁଁ ଅନ୍ୟ ଯାତ୍ରୀମାନଙ୍କୁ କହିଲି ଯେ ମୁଁ ବସ୍ ଚଲାଇବି କାରଣ ମୁଁ କାର୍ ଚଲେଇବା ଜାଣେ। ପିକ୍‌ନିକ୍ କରିବାକୁ ଯାଇଥିବା ଅନ୍ୟ ଜଣେ ମହିଳା କହିଛନ୍ତି ଯେ ଆମେ ଜାଣିଥିଲୁ ଯେ ଯୋଗୀତା ବସ୍ ଚଳାଇ ପାରିବେ। ଯେତେବେଳେ ସେ ନିଜେ ବସ୍ ଚଲାଇବାକୁ କହିଥିଲେ, ଆମେ ସମସ୍ତେ ତୁରନ୍ତ ରାଜି ହୋଇଥିଲୁ।
Published by:Soumya Das
First published: