News 18 Odia Digital
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର (app) ପଦୋନ୍ନତି । ୨୦୧୨ରେ ଆନ୍ନା ହଜାରେଙ୍କ ଅନଶନସ୍ଥଳ ଜନ୍ତର ମନ୍ତରରୁ ଜନ୍ମଲାଭ କରିଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆପ୍, ଏବେ ଜାତୀୟ ରାଜନୈତିକ ଦଳର ମାନ୍ୟତା ପାଇଁଛି । ନିର୍ବାଚନ କମିଶନ ଏହି ମାନ୍ୟତା ଦେଇଛନ୍ତି ।
ଦିଲ୍ଲୀ ଓ ପଞ୍ଜାବରେ ଏବେ ଆମ୍ ଆଦମୀ ପାର୍ଟିର ସରକାର (govt) ରହିଛି । ତେବେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ- TMC, ଶରଦ ପାୱାରଙ୍କ ନାସନାଲିଷ୍ଟ କଂଗ୍ରେସ- NCP ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-CPIର ଜାତୀୟ ମାନ୍ୟତା ହଟିଛି । ଏହି ତିନି ଦଳ ଏବେ ପୁଣି ସେମାନଙ୍କ ପୂର୍ବ ପରିଚୟ ତଥା ଆଞ୍ଚଳିକ ଦଳର ମାନ୍ୟତା ଫେରି ପାଇଛନ୍ତି । ଜାତୀୟ ମାନ୍ୟତା ହଟିଥିବା ବେଳେ ଏହି ୩ ଦଳ, ଜାତୀୟ ରାଜଧାନୀ ଦିଲ୍ଲୀରେ ପାଇଥିବା ସ୍ବତନ୍ତ୍ର ଅଫିସ୍ (special office) ମଧ୍ୟ ହରାଇଛନ୍ତି । ଆଉ ଗୋଟେ ବଡ଼ ସମସ୍ୟା ହେଉଛି, ଏହି ୩ ଦଳ ସେମାନଙ୍କ ମୂଳ ଚିହ୍ନରେ ଅନ୍ୟ ରାଜ୍ୟରେ ନିର୍ବାଚନ ଲଢ଼ିପାରିବେ ନାହିଁ । ଅର୍ଥାତ ଘାସଫୁଲ ଚିହ୍ନରେ ତୃମଣୂଳ କଂଗ୍ରେସ ପଶ୍ଚିମବଙ୍ଗ ବ୍ୟତୀୟ ଅନ୍ୟ କୌଣସି ରାଜ୍ୟରେ ଲଢ଼ିପାରିବ ନାହିଁ ।
ସେହିଭଳି ଟେବୁଲ୍ ଘଡ଼ି ଚିହ୍ନରେ ମହାରାଷ୍ଟ୍ର ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ନିର୍ବାଚନ ଲଢ଼ି ପାରିବନି NCP । ଯଦି ଲଢ଼ିବାକୁ ଚାହିଁବେ, ତେବେ ଅନ୍ୟ ଏକ ପୃଥକ ଚିହ୍ନରେ ଲଢ଼ିବେ । କୌଣସି ରାଜନୈତିକ ଦଳ ଜାତୀୟ ମାନ୍ୟତା ପାଇବାକୁ ହେଲେ ୪ କିମ୍ବା ତାଠାରୁ ଅଧିକ ରାଜ୍ୟରେ, ଲୋକସଭା ନିର୍ବାଚନରେ ୨ ପ୍ରତିଶତ ଭୋଟ ପାଇଥିବା ଦରକାର । ଏହି ଆଧାରରେ ନିର୍ବାଚନ କମିଶନ ନେଇଛନ୍ତି ନିଷ୍ପତ୍ତି ।
ବିଜେପି ଓ କଂଗ୍ରେସକୁ ମିଶାଇଲେ ବର୍ତ୍ତମାନ ଭାରତରେ ୬ଟି ଜାତୀୟ ରାଜନୈତିକ ଦଳ ରହିଛି । ଅନ୍ୟ ଦଳଗୁଡ଼ିକ ହେଲା- ନବାଗତ ଆମ୍ ଆଦମୀ ପାର୍ଟି ସହ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି- BSP, ନାସନାଲ୍ ପିପୁଲ୍ସ ପାର୍ଟି- NPP ଏବଂ ସିପିଏମ୍ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।