ପ୍ରିୟଙ୍କା ଗାନ୍ଧୀ: ‘‘ଲକ୍ଷ୍ନୌରେ ପୋଲିସ କର୍ମୀମାନେ ମୋ’ ଗଳା ଚ଼ିପିଲେ, ମୋତେ ଧକ୍କା ଦେଲେ’’

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଗିରଫ ହୋଇଥିବା ଜଣେ ଅବସରପ୍ରାପ୍ତ IPS ଅଧିକାରୀଙ୍କ ଘରକୁ ଯିବା ବେଳେ ପୋଲିସ ଦ୍ୱାରା ଅତି ଅଭଦ୍ର ବ୍ୟବହାର ପାଇଥିବା ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ଉତ୍ତର ପ୍ରଦେଶ ପୋଲିସ୍ କହିଛି ସେମିତି କିଛି ହେଇନି ।

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ମୌରେ ପ୍ରଦର୍ଶନ କରୁଛନ୍ତି । (ପିଟିଆଇ ଫଟୋ)

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ମୌରେ ପ୍ରଦର୍ଶନ କରୁଛନ୍ତି । (ପିଟିଆଇ ଫଟୋ)

  • Share this:
ନୂଆ ଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଲକ୍ଷ୍ନୌରେ ପୋଲିସ କର୍ମୀମାନେ ତାଙ୍କ ସହ ଅଭଦ୍ର ବ୍ୟବହାର କରିବା ସହ ତାଙ୍କ ଗଳାକୁ ଜାବୁଡ଼ି ଧରିଥିଲେ ଓ ତାଙ୍କୁ ଧକ୍କା ଦେଇଥିଲେ । ହେଲେ ଉତ୍ତର ପ୍ରଦେଶ ପୋଲିସ୍‌ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ସେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଏସ୍‌.ଆର. ଦାରାପୁରୀଙ୍କ ଘରକୁ ଯିବା ସମୟରେ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ଏହି ଅଭିଯୋଗ ପରେ ଶନିବାର ସନ୍ଧ୍ୟାରେ ଲକ୍ଷ୍ନୌରେ ଉଚ୍ଚ ନାଟକ ଦେଖିବାକୁ ମିଳିଥିଲା । ଦାରାପୁରୀଙ୍କୁ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ କରିଥିବା କାରଣରୁ ନିକଟରେ ଗିରଫ କରାଯାଇଥିଲା ।

‘‘ସେମାନଙ୍କର ମୋତେ ଅଟକାଇବାର ଅଧିକାର ନାହିଁ । ଯଦି ମୋତେ ଗିରଫ କରିବାକୁ ଚ଼ାହୁଁଛନ୍ତି ତାହେଲେ ଗିରଫ କରିପାରନ୍ତି,’’ ପ୍ରିୟଙ୍କା ଦାରାପୁରୀଙ୍କୁ ତାଙ୍କ ସେକ୍ଟର ୧୮ସ୍ଥିତ ଇନ୍ଦିରା ନଗର ବାସଭବନରେ ଭେଟିବା ପରେ କହିଥିଲେ ।

ଏହା ସହ ଦେଶର ଓ ଉତ୍ତର ପ୍ରଦେଶର ବିଜେପି ସରକାର ‘‘କାପୁରୁଷଙ୍କ ଭଳି ଆଚରଣ’’ କରୁଥିବା ଅଭିଯୋଗ କରିଥିଲେ ପିୟଙ୍କା । ମାତ୍ର ତାଙ୍କ ଅଭିଯୋଗକୁ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ଖଣ୍ଡନ କରାଯିବା ସହ ଏହା ସମ୍ପୂର୍ଣ୍ଣଭାବେ ମିଥ୍ୟା ବୋଲି କୁହାଯାଇଛି ।

ଘଟଣା ସମ୍ପର୍କରେ ବର୍ଣ୍ଣନା କରି ପ୍ରିୟଙ୍କା କହିଥିଲେ: ‘‘ଆମେ ରାସ୍ତାରେ ଯାଉଥିବା ସମୟରେ ପୋଲିସ ଗାଡ଼ି ଆସି ହଠାତ ଆମକୁ ଅଟକାଇଥିଲା । ଏହାର କାରଣ ପଚାରିବାରୁ ଆମକୁ ଆଗକୁ ଯିବାକୁ ଅନୁମତି ଦିଆଯାଇ ନ ଥିଲା । ଏହା ପରେ ମୁଁ ଗାଡ଼ିରୁ ଓହ୍ଲାଇ ଚାଲିବା ଆରମ୍ଭ କରିବାରୁ ମୋତେ ମହିଳା ପୋଲିସକର୍ମୀ ଘେରିଯାଇ ମୋ’ ଗଳାକୁ ଧରିବା ସହ ଧକ୍କା ଦେବାରୁ ମୁଁ ତଳେ ପଡ଼ିଯାଇଥିଲି । ମୋତେ ଜୋର ଜବରଦସ୍ତ ଅଟକାଯାଇଥିଲା’’ ।

‘‘ମୁଁ ସେହି ସମସ୍ତ ନାଗରିକମାନଙ୍କ ସହ ଛିଡ଼ା ହେବି ଯେଉଁମାନେ ପୋଲିସ ଉତ୍ପୀଡ଼ନର ଶିକାର ହେଉଛନ୍ତି ଏବଂ ଏହା ହିଁ ମୋ’ର ସତ୍ୟାଗ୍ରହ,’’ କହିଛନ୍ତି ପ୍ରିୟଙ୍କା ।

ତେବେ ଲକ୍ଷ୍ନୌର ବରିଷ୍ଠ ପୋଲିସ ଅଧିକାରୀ କଳାନିଧି ନୈଥିନ କହିଛନ୍ତି: ‘‘ଏହି ଘଟଣାରେ ସେହି ଅଞ୍ଚଳର ପ୍ରଭାରୀ ଅର୍ଚ୍ଚନା ସିଂ ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କୁ ରିପୋର୍ଟ ଦେଇଛନ୍ତି, ଯେଉଁଥିରେ ପ୍ରିୟଙ୍କାଙ୍କ ଗାଡ଼ି ନିର୍ଦ୍ଦିଷ୍ଟ ରାସ୍ତାରେ ନ ଯାଇ ଅନ୍ୟ ଏକ ରାସ୍ତାରେ ଯାଉଥିବା ଉଲ୍ଲେଖ କରାଯାଇଛି । ସୋସିଆଲ ମିଡିଆରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଉଛି ତାହା ସମ୍ପୂର୍ଣ୍ଣଭାବେ ଭ୍ରମାତ୍ମକ ବୋଲି ସିଂ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି’’ ।

ସେଠାରେ ମୁତୟନ ଥିବା ଲକ୍ଷ୍ମୌର ମର୍ଡନ କଣ୍ଟ୍ରୋଲ ରୁମର ସର୍କଲ ଅଫିସର ଅର୍ଚ୍ଚନା ପ୍ରିୟଙ୍କାଙ୍କୁ ପୋଲିସ ଗଳା ଧକ୍କା ମାରିବା ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ।

‘‘ପ୍ରିୟଙ୍କାଙ୍କ ଗାଡ଼ିକୁ ଲୋହିଆ କ୍ରସିଂଠାରେ ଅଟକା ଯିବାରୁ ସେ ପ୍ରତିବାଦ କରିବା ସହ କାହିଁକି ତାଙ୍କୁ ଅଟକାଯାଇଛି ବୋଲି ପ୍ରଶ୍ନ କରିଥିଲେ । ଏହା ପରେ ଚାଲିଚାଲି ଯିବା ଆରମ୍ଭ କରିଥିଲେ । ପୋଲିସ ତାଙ୍କୁ ଏକ କିଲୋମିଟର ପର୍ଯ୍ୟନ୍ତ ପିଛା କରିବାରୁ ସେ ପୁନର୍ବାର ଗାଡ଼ିରେ ବସିଥିଲେ । ପରେ ପୋଲିସ ତାଙ୍କୁ ମୁନସିପୁଲିଆ ଅଞ୍ଚଳରେ ଅଟକାଇବାରୁ ସେ ପୁଣି ଚାଲିବା ଆରମ୍ଭ କରି ଇନ୍ଦିରା ନଗର ସେକ୍ଟର ୧୮ ଆଡ଼କୁ ମୁହାଁଇଥିଲେ । ସେଠାରୁ ୩ରୁ ୪ କିମି ଚାଲିବାପରେ ପୋଲିସ ଏବଂ ପାର୍ଟି କର୍ମୀମାନଙ୍କୁ ସ୍ଲିପ୍ ବାଣ୍ଟିଥିଲେ,’’ ୟୁପି ପୋଲିସର ମୁଖପାତ୍ର ଅଶୋକ ସିଂ କହିଛନ୍ତି ।

ଏହି ଘଟଣାରେ କଂଗ୍ରେସ ନେତ୍ରୀ ସୁସ୍ମିତା ଦେବ ନୂଆ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀ ଜଣେ ଅଭିଜ୍ଞ ରାଜନେତା ଭାବେ ଶାନ୍ତି ଭଙ୍ଗ ନ କରି ପ୍ରଦର୍ଶନ କରୁଥିଲେ । ‘‘ଉତ୍ତର ପ୍ରଦେଶରେ ସମ୍ପୂର୍ଣ୍ଣ ଭାବେ ଗୁଣ୍ଡା ରାଜ ଚ଼ାଲିଛି, ତେଣୁ ସେଠାରେ ରାଷ୍ଟ୍ରପତି ଶାସନ ଜାରି କରିଦେବା ଦରକାର,’’ ସେ ଦାବି କରିଛନ୍ତି ।

ପୂର୍ବରୁ କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସରେ ବିଜେପି ସରକାରଙ୍କୁ ବ୍ରିଟିଶରଙ୍କ ସହ ତୁଳନା କରି ଦେଶ ବର୍ତ୍ତମାନ ସଙ୍କଟରେ ଥିବା କହିଥିଲେ ପ୍ରିୟଙ୍କା ।
Published by:Anand Shankar Thankur Das
First published: