ପୁଟିନଙ୍କ ସହ ଫୋନରେ କଥା ହେଲେ PM ମୋଦି
News18 Odia Digital
PM Modi speaks with Vladimir Putin: ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନିକ୍ ବାର୍ତ୍ତାଳାପ କରିଛନ୍ତି।
ଏହି ବାର୍ତ୍ତାଳାପରେ ଉଭୟ ନେତା ବାଣିଜ୍ୟ ସହ ଜଡିତ ଅନେକ ବିଶ୍ବ ସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ ରୁଷ ରାଷ୍ଟ୍ରପତିଙ୍କୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଛାଡ଼ି କୂଟନୈତିକ ତଥା କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି।
ଭାରତ-ଋଷ ଚୁକ୍ତି ସମୀକ୍ଷା
ଡିସେମ୍ବର ୨୦୨୧ରେ ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ଓ ଚୁକ୍ତିନାମା ମଧ୍ୟ ଏହି ବାର୍ତ୍ତାଳାପ ସମୟରେ ସମୀକ୍ଷା କରାଯାଇଛି। ବିଶେଷକରି ବାଣିଜ୍ୟ, କୃଷି, ଖାଦ୍ୟ ଓ ଫାର୍ମା କ୍ଷେତ୍ରରେ ନିଜ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଆନ୍ତର୍ଜାତୀୟ ଶକ୍ତି ଓ ଖାଦ୍ୟ ବଜାର ଭଳି ପ୍ରସଙ୍ଗ ସହିତ ଦୁଇ ନେତାଙ୍କ ମଧ୍ୟରେ ଅନ୍ୟାନ୍ୟ ଅନେକ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ପିଏମଓ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଟେଲିଫୋନିକ୍ ବାର୍ତ୍ତାଳାପରେ ଦୁଇ ନେତା ଡିସେମ୍ବର ୨୦୨୧ରେ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ସମୟରେ ନିଆଯାଇଥିବା ନିଷ୍ପତ୍ତିର ସମୀକ୍ଷା କରିଛନ୍ତି।
ବିଶେଷ କରି କୃଷିଜାତ ଦ୍ରବ୍ୟ, ସାର ଓ ଫାର୍ମା ଉତ୍ପାଦରେ ଦ୍ୱିପାକ୍ଷିକ ବାଣିଜ୍ୟକୁ କିପରି ଉତ୍ସାହିତ କରାଯାଇପାରିବ ସେ ସମ୍ବନ୍ଧରେ ସେମାନେ ପାରସ୍ପରିକ ମତ ମଧ୍ୟ ବାଣ୍ଟିଥିଲେ। ଆନ୍ତର୍ଜାତୀୟ ଶକ୍ତି ଓ ଖାଦ୍ୟ ବଜାରର ସ୍ଥିତି ସମେତ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁଟିନ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।
ୟୁକ୍ରେନ ସଙ୍କଟ ଉପରେ ମଧ୍ୟ ଆଲୋଚନା ହୋଇଥିଲା
ୟୁକ୍ରେନ ସଙ୍କଟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଭାରତର ପୁରୁଣା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ଓ ଏହାକୁ ସଂଳାପ ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି। ଏହାପୂର୍ବରୁ ଅନେକ ଫୋରମ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି। ନିରନ୍ତର କଥାବାର୍ତ୍ତା ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ଭାରତ ଜିଦ୍ ଧରିଛି ଓ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।
ମାର୍ଚ୍ଚ ପ୍ରାରମ୍ଭରେ ଋଷର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଏକ ଫୋନ ଆଲୋଚନା କରିଥିଲେ। ଏହି ବାର୍ତ୍ତାଳାପରେ ପିଏମ ମୋଦି ପୁଟିନଙ୍କୁ ଜେଲେନସ୍କିଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଦ୍ବାରା ଏହି ଯୁଦ୍ଧ ବନ୍ଦ ହୋଇପାରିବ।
ଏହା ସହିତ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଦୁଇ ନେତାଙ୍କ ମଧ୍ୟରେ ବାର୍ତ୍ତାଳାପ ମଧ୍ୟ ହୋଇଥିଲା। ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସୁମି ସମେତ ୟୁକ୍ରେନର କିଛି ଅଂଶରେ ଅସ୍ତ୍ରବିରତି ଉଲ୍ଲଂଘନ ଓ ମାନବ କରିଡର ସୃଷ୍ଟି କରିଥିବାରୁ ପୁଟିନଙ୍କୁ ପ୍ରଶଂସା କରିଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।