ସଦଗୁରୁଙ୍କ ଭିଡିଓ ଦେଖନ୍ତୁ: ସିଏଏକୁ ନେଇ ଭ୍ରମ ଦୂର କରିବାକୁ ସଦଗୁରୁଙ୍କ ଭିଡିଓ ଟ୍ୱିଟ୍ କଲେ ମୋଦି

ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ଚ଼ାଲିଥିବା ବିତର୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଧ୍ୟାତ୍ମିକ ଗୁରୁ ସଦ୍ଗୁରୁଙ୍କ ସିଏଏ ବିଷୟରେ ଏକ ଭିଡିଓ୍ ଶେୟାର କରି ଲୋକଙ୍କୁ ତାହା ଦେଖିବା ପାଇଁ ନିବେଦନ କରିଛନ୍ତି । ସିଏଏର ସମର୍ଥନରେ ମୋଦି ଏକ କ୍ୟାମ୍ପେନ୍ ବି ଆରମ୍ଭ କରିଛନ୍ତି ।

ଆଧ୍ୟାତ୍ମିକ ଗୁରୁ ସଦଗୁରୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଧ୍ୟାତ୍ମିକ ଗୁରୁ ସଦଗୁରୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

  • Share this:
ନୂଆ ଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ଚାଲିଥିବା ବିରୋଧ ପ୍ରଦର୍ଶନ ଏବଂ ବିତର୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଆଧ୍ୟାତ୍ମିକ ଗୁରୁ ସଦଗୁରୁଙ୍କର ଏକ ଭିଡିଓ ଟ୍ୱିଟ୍‌ କରି ଲୋକଙ୍କୁ ସେ ଭିଡିଓ ଦେଖିବାକୁ ଅନୁରୋଧ କରିଛନ୍ତି ।

’’ସିଏଏର ବିଭିନ୍ନ ଦିଗ ଉପରେ ସାବଲୀଳଭାବେ ବୁଝେଇ କୁହାଯାଇଥିବା ଆଖ୍ୟାନର ଏଇ ଭିଡିଓ ନିଶ୍ଚୟ । ସଦ୍‌ଗୁରୁଙ୍କ ଅନ୍ୟାନ୍ୟ ଭିଡିଓ ବି ଦେଖନ୍ତୁ,’’ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ । ସେହି ଟ୍ୱିଟ୍‌ରେ ସେ ସଦ୍‌ଗୁରୁଙ୍କ ଭିଡିଓଟି ମଧ୍ୟ ସଂଲଗ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି: ‘‘ଏଇ ଭିଡିଓରେ ସଦ୍‌ଗୁରୁ ଐତିହାସିକ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି ଓ ଆମ ଭ୍ରାତୃତ୍ୱର ସଂସ୍କୃତିକୁ ସୁନ୍ଦରଭାବେ ଉପସ୍ଥାପିତ କରିଛନ୍ତି । ଭିଡିଓରେ ସେ ସିଏଏକୁ ନେଇ ନିହିତ ସ୍ବାର୍ଥ ଗୋଷ୍ଠିମାନଙ୍କ ଦୁଷ୍ପ୍ରଚ଼ାର ସମ୍ପର୍କରେ ମଧ୍ୟ କହିଛନ୍ତି’’ ।

ଭିଡିଓଟିକୁ ଦେଖି ଲୋକେ ନାଗରିକତା ଆଇନ ଉପରେ ଥିବା ଭ୍ରମ ଦୂର କରି ପାରିବେ ବୋଲି ପ୍ରଧାନମନ୍ତ୍ରୀ  ଆଶା ବ୍ୟକ୍ତ କରିଛନ୍ତି ।

ଏହାଛଡ଼ା ପ୍ରଧାନମନ୍ତ୍ରୀ ‘ଇଣ୍ଡିଆ ସପୋର୍ଟ ସିଏଏ’ ନାଁରେ ଏକ କ୍ୟାମ୍ପେନ ମଧ୍ୟ ଆରମ୍ଭ କରିଛନ୍ତି । ‘‘ସିଏଏ ପ୍ରତାରିତ ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିଥାଏ । ଏଥିରେ କାହାର ନାଗରିକତା ଯିବ ନାହିଁ’’ ବୋଲି ସେ ଲେଖିଛନ୍ତି ।

ମୋଦି ଟ୍ୱିଟ୍‌ ପୋଷ୍ଟ କରିବାର ମାତ୍ର ଅଢ଼େଇ ଘଣ୍ଟା ମଧ୍ୟରେ ଏହା ୩୪,୦୦୦ ରୁ ଅଧିକ ଲାଇକ୍‌ ଓ ୧୪,୦୦୦ ରୁ ଅଧିକ ରିଟ୍ୱିଟ୍‌ ହୋଇଛି ।

ବିରୋଧୀଙ୍କୁ ଆକ୍ଷେପ କରିଥିଲେ ମୋଦି

ବିଗତ ଦିନରେ ପ୍ରଧାନମନ୍ତ୍ରୀ ମୋଦି ନୂଆ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ସଭାକୁ ସମ୍ବୋଧନ କରିବା ଅବସରରେ ନାଗରିକତା ସଂଶୋଧନ ଆଇନ ୨୦୧୯ ପାସ୍‌ ହେବା ପରେ କେତେକ ରାଜନୈତିକ ଦଳ ଦେଶରେ ଭ୍ରମ ସୃଷ୍ଟି କରୁଥିବା କଥା କହିଥିଲେ ।

ବିରୋଧୀମାନଙ୍କୁ ଆକ୍ଷେପ କରି ସେ କହିଥିଲେ: ‘‘ସେମାନେ ଦେଶର ନାଗରିକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ସେମାନଙ୍କୁ ଉତ୍ତେଜିତ କରୁଛନ୍ତି । ସିଏଏ ଗରିବଙ୍କ ପାଇଁ ଘାତକ ବୋଲି କହୁଛନ୍ତି । ଏଭଳି ମିଥ୍ୟା କହିବା ପୂର୍ବରୁ ପାକିସ୍ଥାନରୁ ଯେଉଁ ପୀଡ଼ିତ ମାନେ ଆସୁଛନ୍ତି ସେମାନଙ୍କ ମଧ୍ୟରେ ଅନେକ ଦଳିତ ଅଛନ୍ତି ବୋଲି ସେମାନେ ଜାଣି ରଖିବା ଉଚ଼ିତ’’ ।

ମୋଦି କହିଛନ୍ତି ଯେ ସିଏଏରେ କାହାରି ନାଗରିକତା ଯିବନି, ବରଂ ଲୋକଙ୍କୁ ନାଗରିକତା ଦିଆଯିବ ।

 
Published by:Anand Shankar Thankur Das
First published: