କାରଗିଲ ବିଜୟ ଦିବସରେ ବୀର ଯବାନଙ୍କୁ ମନେ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ News18 Odia Digital
Kargil Vijay Diwas: ପ୍ରତିବର୍ଷ ଜୁଲାଇ ୨୬ରେ କାରଗିଲ ବିଜୟ ଦିବସ ଭାବରେ ପାଳନ କରାଯାଏ। ୧୯୯୯ରେ, ପାକିସ୍ତାନୀ ଅନୁପ୍ରବେଶକାରୀ ଆତଙ୍କବାଦୀ ଓ ପାକିସ୍ତାନର ସୈନିକମାନେ ଗୁପ୍ତରେ କାରଗିଲ ପାହାଡ଼ରେ ପ୍ରବେଶ କରିଥିଲେ।
ଏହି ଅନୁପ୍ରବେଶ ବିରୋଧରେ ଭାରତୀୟ ସେନା 'ଅପରେସନ୍ ବିଜୟ' ଆରମ୍ଭ କରି ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ହତ୍ୟା କରିଥିଲା। ଏହି ଯୁଦ୍ଧକୁ ୨୩ ବର୍ଷ ବିତିଗଲାଣି। ଏହି ବର୍ଷ ପୂରା ଦେଶ କାରଗିଲ ବିଜୟ ଦିବସର ୨୩ତମ ବର୍ଷ ପାଳନ କରୁଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ସହିଦମାନଙ୍କୁ ମନେ ପକାଇ ସେମାନଙ୍କ ବିଷୟରେ ଟ୍ୱିଟ୍ କରିଛନ୍ତି।
ରାଷ୍ଟ୍ରପତି କ’ଣ ଲେଖିଛନ୍ତି?
ଦ୍ରqପଦୀ ମୁର୍ମୁ ଏକ ଟ୍ବିଟରେ ଲେଖିଛନ୍ତି, ‘କାରଗିଲ ବିଜୟ ଦିବସ ଆମର ସଶସ୍ତ୍ର ବାହିନୀର ଅସାଧାରଣ ବୀରତ୍ୱ, ନିଷ୍ଠାର ପ୍ରତୀକ। ମୁଁ ସମସ୍ତ ସାହସୀ ସୈନିକଙ୍କୁ ପ୍ରଣାମ କରୁଛି, ଯେଉଁମାନେ ଭାରତର ସୁରକ୍ଷା ପାଇଁ ନିଜ ଜୀବନ ଦେଇଛନ୍ତି। ସମସ୍ତ ଦେଶବାସୀ ତାଙ୍କ ଓ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ସର୍ବଦା ଋଣୀ ରହିବେ। ଜୟ ହିନ୍ଦ।’’
ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କର ପ୍ରଥମ ଟ୍ୱିଟ। ସେ ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋମବାର ଶପଥ ଗ୍ରହଣ କରିଥିଲେ। ଯଶବନ୍ତ ସିହ୍ନାଙ୍କୁ ପରାସ୍ତ କରି ଦ୍ରୌପଦୀ ମୁର୍ମୁ ଦେଶର ନୂଆ ରାଷ୍ଟ୍ରପତି ହୋଇଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବରୁ କାରଗିଲ ବିଜୟ ଦିବସ ଅବସରରେ ଦେଶକୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଏହି ଦିନ ଦେଶର ସଶସ୍ତ୍ର ବାହିନୀର ସାହସର ପ୍ରତୀକ। ସେ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ମଧ୍ୟ ମନେ ପକାଇ ସ୍ବାଧୀନ ଭାରତର ନାଗରିକଙ୍କ ସହ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ଆଶା ପୂରଣ କରିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
କୋଭିଡ ମହାମାରୀ ସମୟରେ ଦେଶର ପ୍ରୟାସକୁ ପ୍ରଶଂସା କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଲୋକଙ୍କୁ ୨୦୦ କୋଟି ଟିକା ଦେବା ଏକ ବଡ଼ ସଫଳତା। ଏହି ସମଗ୍ର ଯୁଦ୍ଧରେ ଦେଶର ଲୋକ ଦେଖାଇଥିବା ଧୌର୍ଯ୍ୟ, ସାହସ ଓ ସହଯୋଗ ଏକ ସମାଜ ଭାବରେ ଭାରତର ବଢୁଥିବା ଶକ୍ତି ଓ ସମ୍ବେଦନଶୀଳତାର ପ୍ରତୀକ।
Published by: Lipina Das
First published: July 26, 2022, 08:57 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।