ପିଏମଜେଡିୱାଇରେ ଆର୍ଥିକ ସମାବେଶୀକରଣ ଜାତୀୟ ମିଶନ କାର୍ଯ୍ୟକାରିତାର ଆଠବର୍ଷର ସଫଳ ପୂର୍ତ୍ତି

୨୦୧୫ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୧୪.୭୨ କୋଟି ଥିବାବେଳେ ୨୦୨୨ ଅଗଷ୍ଟ ୧୦ ସୁଦ୍ଧା ଏହା ତିନିଗୁଣ ବୃଦ୍ଧି ପାଇ ୪୬.୨୫କୋଟିରେ ପହଞ୍ଚିଛି ।

ପିଏମଜେଡିୱାଇରେ ଆର୍ଥିକ ସମାବେଶୀକରଣ ଜାତୀୟ ମିଶନ କାର୍ଯ୍ୟକାରିତାର ଆଠବର୍ଷର ସଫଳ ପୂର୍ତ୍ତି

ପିଏମଜେଡିୱାଇରେ ଆର୍ଥିକ ସମାବେଶୀକରଣ ଜାତୀୟ ମିଶନ କାର୍ଯ୍ୟକାରିତାର ଆଠବର୍ଷର ସଫଳ ପୂର୍ତ୍ତି

  • Share this:
News 18 Odia Digital

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍‌ଜେଡିୱାଇ)-ଆର୍ଥିକ ସମାବେଶୀକରଣ ପାଇଁ ଉଦ୍ଦିଷ୍ଟ ଜାତୀୟ ମିଶନ କାର୍ଯ୍ୟକାରିତାର ଆଠବର୍ଷର ସଫଳ ପୂର୍ତ୍ତି । ଯୋଜନା ଆରମ୍ଭରୁ ଏ ପର୍ଯ୍ୟନ୍ତ ୪୬.୨୫ କୋଟିରୁ ଅଧିକ ହିତାଧିକାରୀ ପିଏମ୍‌ଜେଡିୱାଇ ଅଧୀନରେ ଖାତା ଖୋଲିଛନ୍ତି ଏବଂ ସେମାନଙ୍କ ଜମା ଟଙ୍କାର ମୋଟ ପରିମାଣ ୧, ୭୩, ୯୫୪ କୋଟି । ପିଏମ୍‌ଜେଡିୱାଇର ଅଷ୍ଟମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଓ କର୍ପୋରଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏନେଇ ବାର୍ତ୍ତଦେଇ କହିଛନ୍ତି ଯେ “ଆର୍ଥିକ ସମାବେଶୀକରଣ ସମାବେଶୀ ଅଭିବୃଦ୍ଧି ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ସମାଜରେ ବଂଚିତ ବର୍ଗଙ୍କ ସାମଗ୍ରିକ ଅର୍ଥନୀତିକ ବିକାଶକୁ ସୁନିଶ୍ଚିତ କରିଛି । ଏହି ଯୋଜନାରେ ୪୬କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା ସହିତ ଏଥିରେ ୧. ୭୪ଲକ୍ଷ କୋଟି ଟଙ୍କା ଜମା ରହିଛି । ଏହି ଯୋଜନାର ସଂପ୍ରସାରଣ ଦେଶର ଗ୍ରାମ ଓ ଅର୍ଦ୍ଧସହରାଞ୍ଚଳକୁ ବ୍ୟାପିଛି ଏବଂ ସେଠାକାର ୬୭% ଜନତାଙ୍କୁ ଏହା ଲାଭ ମିଳିଛି । ଏହାଛଡା ଜନଧନ ଯୋଜନାର ଖାତାଧାରୀଙ୍କ ମଧ୍ୟରେ ୫୬% ମହିଳା ଅଛନ୍ତି । ଏହା ବ୍ୟତୀତ ୨୦୧୮ ପରେ ପିଏମ୍‌ଜେଡିୱାଇରେ କେତେକ ପରିବର୍ତ୍ତନ କରାଯାଇ ଦେଶର ନୂଆ ଆର୍ଥିକ ସମାବେଶୀକରଣ ପ୍ରକ୍ରିୟାକୁ ଏହାର ଅନୁରୂପ କରାଯାଇଛି । ଆଗରୁ ଏହି ଯୋଜନାର ପ୍ରତ୍ୟେକ ପରିବାର ପାଇଁ ଜନଧନ ଯୋଜନାର ଆକାଉଣ୍ଟ ବ୍ୟବସ୍ଥା ଥିଲା । ଏବେ ତାହାକୁ ସବୁ ପରିବାରର ପ୍ରାପ୍ତ ବୟସ୍କଙ୍କ ପାଇଁ କରାଯାଇଛି । ଏହା ଫଳରେ ଡିବିଟି ବ୍ୟବସ୍ଥାର ଲାଭ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ପାଇପାରୁଛନ୍ତି ଏବଂ ଯୋଜନାର ପରିସର ବ୍ୟାପକ ହୋଇଛି ।

ଗରିବ ଜନତା ସେମାନଙ୍କର ସ୍ୱଳ୍ପ ସଞ୍ଚୟକୁ କିପରି ଅନୁଷ୍ଠାନିକ ଆର୍ଥିକ ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରିପାରିବେ ତାହା ଏହି ଯୋଜନାର ଲକ୍ଷ୍ୟ । ୨୦୧୪ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲା ଉପରୁ ତାଙ୍କର ଭାଷଣ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍‌ଜେଡିୱାଇ ସମ୍ପର୍କରେ ଘୋଷଣା କରିଥିଲେ । ଏହା ପରେ ସେଇବର୍ଷ ଅଗଷ୍ଟ ୨୮ତାରିଖରେ ଯୋଜନାର ପ୍ରବର୍ତ୍ତନ ବା କାର୍ଯ୍ୟକାରିତା ଆରମ୍ଭ ହେଲା । ସେ ଦିନ ପ୍ରଧାନମନ୍ତ୍ରୀ ଏହାକୁ ବିଭିନ୍ନ ଶୃଙ୍ଖଳରୁ ଗରିବଙ୍କ ମୁକ୍ତିର ଏକ ଉତ୍ସବ ଭାବେ ବର୍ଣ୍ଣନା କରିଥିଲେ ।

ପିଏମ୍‌ଜେଡିୟୁର ପ୍ରମୁଖ ବିଷୟଗୁଡିକ ହେଲା, ବ୍ୟାଙ୍କ ନ ଥିବା ଅଞ୍ଚଳରେ ହିତାଧିକାରୀଙ୍କୁ ଅନୁଷ୍ଠାନିକ ବ୍ୟାଙ୍କ ସେବା ଯୋଗାଇବା, ଅସୁରକ୍ଷିତଙ୍କୁ ସୁରକ୍ଷିତ କରିବା ଏବଂ ଅର୍ଥହୀନଙ୍କୁ ଅର୍ଥ ଯୋଗାଇବା । ଏହା ଦ୍ୱାରା ଏକ ବହୁପାକ୍ଷିକ ସହଯୋଗ ବ୍ୟବସ୍ଥା ଗଢି ଉଠିଛି । ନୂଆ ଟେକ୍‌ନୋଲୋଜିର ପ୍ରୟୋଗ ଦ୍ୱାରା ସେବାରୁ ବଞ୍ôଚତ ଓ ସ୍ୱଳ୍ପ ସେବା ଯାଉଥିବା ବର୍ଗର ଲୋକଙ୍କୁ ଆର୍ଥିକ ସମାବେଶୀ ପ୍ରକ୍ରିୟାରେ ସାମିଲ କରିବା କାର୍ଯ୍ୟ ସହଜ ତଥା ସୁନିଶ୍ଚିତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ପିଏମ୍‌ଜେଡିୱାଇ ପ୍ରବର୍ତ୍ତନର ଆଠବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ୍ କହିଛନ୍ତି, “ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍‌ଜେଡିୱାଇ) ଆର୍ଥିକ ସମାବେଶିତା କ୍ଷେତ୍ରରେ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ପଦକ୍ଷେପ । ଏହାର ପ୍ରଭାବ ବେଶ୍ ସୁଦୂର ପ୍ରସାରୀ ।

ଶ୍ରୀ କରାଡ ଆହୁରି କହିଛନ୍ତି ଯେ ପିଏମ୍‌ଜେଡିୱାଇର ଅଷ୍ଟମ ବର୍ଷ ପୂର୍ତ୍ତି ଅବସରରେ ଏହି ଯୋଜନାର ଗୁରୁତ୍ୱ ବେଶ୍ ଭଲଭାବେ ବୁଝି ହେଉଛି । ଏହା ସରକାରଙ୍କ ଜନକୈନ୍ଦ୍ରିକ ଆର୍ଥିକ ପ୍ରୟାସର ମୂଳଦୁଆ ହୋଇ ସମ୍ପୃକ୍ତ ହିତାଧିକାରୀଙ୍କ ଉପକାରରେ ଲାଗୁଛି । ଡିବିଟି, କୋଭିଡ ଆର୍ଥିକ ସହାୟତା, ପିଏମ୍‌-କିଷାନ, ମନରେଗାର ବର୍ଦ୍ଧିତ ମଜୁରୀ, ଜୀବନ ଓ ସ୍ୱାସ୍ଥ୍ୟ ବୀମା ଆଦି ପ୍ରତ୍ୟେକ ସରକାରୀ ଯୋଜନାର ଲାଭ ପ୍ରଦାନରେ ହିତାଧିକାରୀଙ୍କର ମୂଳ ଆବଶ୍ୟକତା ହେଲା ନିଜର ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା । ସେହି ଆବଶ୍ୟକତାକୁ ପିଏମ୍‌ଜେଡିୱାଇ ପ୍ରାୟତଃ ସମ୍ପୂର୍ଣ୍ଣ କରିଛି ।

୨୦୧୫ ମାର୍ଚ୍ଚରେ ପିଏମ୍‌ଜେଡିୱାଇ ଆକାଉଣ୍ଟ ସଂଖ୍ୟା ୧୪.୭୨କୋଟି ଥିବାବେଳେ ୨୦୨୨ ଅଗଷ୍ଟ ୧୦ ସୁଦ୍ଧା ଏହା ତିନିଗୁଣ ବୃଦ୍ଧି ପାଇ ୪୬.୨୫କୋଟିରେ ପହଞ୍ଚିଛି । ୫୬% ଜନଧନ ଖାତାଧାରୀ ମହିଳା ଏବଂ ୬୭% ଜନ ଧନ ଆକାଉଣ୍ଟ ଗ୍ରାମ ଓ ଅର୍ଦ୍ଧ ସହରାଞ୍ଚଳରେ ରହିଛି । ୩୧.୯୪କୋଟି ରୂପେ କାର୍ଡ ଜନ ଧନ ଆକାଉଣ୍ଟଧାରୀଙ୍କୁ ପ୍ରଦାନ କରାଯାଇଛି । ପ୍ରାୟ ୫. ୪ କୋଟି ପିଏମ୍‌ଜେଡିୱାଇ ଆକାଉଣ୍ଟଧାରୀ ୨୦୨୨ ଜୁନ୍ ସୁଦ୍ଧା ସରକାରଙ୍କ ବିଭିନ୍ନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ବ୍ୟବସ୍ଥା ବା ଡିବିଟି ମାଧ୍ୟମରେ ସିଧାସଳଖ ଟଙ୍କା ପାଇଛନ୍ତି ।
Published by:Soubhagya Mishra
First published: