ମଧ୍ୟ ପ୍ରଦେଶରେ ରାଜନୈତିକ ସଙ୍କଟ: କଂଗ୍ରେସ ଛାଡ଼ିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, BJPରେ ମିଶିବେ; ୨୦ MLA ଇସ୍ତଫା ଦେଲେ

କଂଗ୍ରେସରୁ ଇସ୍ତଫା ଦେବା ପୂର୍ବରୁ ସିନ୍ଧିଆ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ସେ ଅମିତ ଶାହାଙ୍କ ଗାଡ଼ିରେ ହିଁ ତାଙ୍କ ସହ ପ୍ରଧାନ ମନ୍ତ୍ରୀଙ୍କ ଆବାସକୁ ଯାଇଥିଲେ ଓ ସେହି ଗାଡ଼ିରେ ସେଠାରୁ ଫେରିଥିଲେ । ସିନ୍ଧିଆଙ୍କୁ ସମର୍ଥନ କରୁଥିବା ୧୯ ଜଣ କଂଗ୍ରେସ ବିଧାୟକ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପଠେଇଛନ୍ତି ।

ମଧ୍ୟ ପ୍ରଦେଶରେ ରାଜନୈତିକ ସଙ୍କଟ: କଂଗ୍ରେସ ଛାଡ଼ିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, BJPରେ ମିଶିବେ; ୨୦ MLA ଇସ୍ତଫା ଦେଲେ
ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ (ଡାହାଣ) ମୁଖ୍ୟ ମନ୍ତ୍ରୀ କମଲ ନାଥ
  • News18 Odia
  • Last Updated: March 10, 2020, 3:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୋପାଳ/ନୂଆ ଦିଲ୍ଲୀ: ମଧ୍ୟ ପ୍ରଦେଶରେ କମଳ ନାଥଙ୍କ କଂଗ୍ରେସ ସରକାରର ସ୍ଥିରତାକୁ ନେଇ ରାଜନୀତି ସରଗରମ ହୋଇଉଠିଛି । କିଛି ଦିନ ଧରି ଅସନ୍ତୁଷ୍ଟ ରହିବା ପରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ତାଙ୍କୁ ସମର୍ଥନ କରୁଥିବା ୧୯ ଜଣ କଂଗ୍ରେସ ବିଧାୟକ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପଠେଇଛନ୍ତି । ସିନ୍ଧିଆ ଆଜି ସନ୍ଧ୍ୟାରେ ବିଜେପିରେ ଯୋଗ ଦେବାର ପ୍ରବଳ ସମ୍ଭାବନା ଅଛି ।

ଇସ୍ତଫା ପୂର୍ବରୁ ସିନ୍ଧିଆ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ସେଠାରେ ତାଙ୍କ ସହ ସାମିଲ ଥିଲେ ଗୃହ ମନ୍ତ୍ରୀ ଅମିତ ଶାହ । ସିନ୍ଧିଆ ଅମିତ ଶାହାଙ୍କ ଗାଡ଼ିରେ ହିଁ ତାଙ୍କ ସହ ପ୍ରଧାନ ମନ୍ତ୍ରୀଙ୍କ ଆବାସକୁ ଯାଇଥିଲେ ଓ ସେହି ଗାଡ଼ିରେ ସେଠାରୁ ଫେରିଥିଲେ । ଏହି ସାକ୍ଷାତ ଆଲୋଚ଼ନା ପରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଥିଲେ ସିନ୍ଧିଆ । ଯେଉଁ ଇସ୍ତଫା ପତ୍ର ସେ ପଠାଇଛନ୍ତି ସେଥିରେ ଗତ କାଲିର ତାରିଖ ଲେଖା ରହିଛି । ଅର୍ଥାତ ଗତ କାଲି ଠୁ ହିଁ ଇସ୍ତଫା ପତ୍ର ପ୍ରସ୍ତୁତ କରିସାରିଥିଲେ ସେ ।

ନିଜ ବାପା ସ୍ୱର୍ଗତ ମାଧବରାଓ ସିନ୍ଧିଆଙ୍କ ଜନ୍ମ ଦିନରେ ହିଁ ଜ୍ୟୋତିରାଦିତ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ସହ ତାଙ୍କୁ ଦଳରୁ ବହିଷ୍କୃତ କରିଛି କଂଗ୍ରେସ । ତାଙ୍କୁ ବିଜେପି ତତ୍କାଳ ରାଜ୍ୟ ସଭାକୁ ପଠେଇ ପାରେ ବୋଲି ଚ଼ର୍ଚ୍ଚା ହୋଉଛି ।

ମଧ୍ୟ ପ୍ରଦେଶର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପର ଠାରୁ ଅସନ୍ତୁଷ୍ଟ ଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଦଳ ତାଙ୍କୁ ଉପେକ୍ଷା କରୁଥିବା ନେଇ ଚର୍ଚ୍ଚା ହେଉଥିଲା । କିଛି ମାସ ପୂର୍ବରୁ ନିଜ ଟ୍ବିଟର ଏକାଉଣ୍ଟରୁ ସେ ଯେତେବେଳେ ସେ କଂଗ୍ରେସ ଶବ୍ଦ ହଟାଇଥିଲେ, ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅବଶ୍ୟ ସେତେବେଳେ ସେ ଏହାକୁ ଏଡ଼ାଇ ଯାଇଥିଲେ ।

ସିନ୍ଧିଆଙ୍କ ଇସ୍ତଫା ସହ କମଲନାଥ ସରକାରଙ୍କ ସଙ୍କଟ ବଢ଼ିଯାଇଛି । ସିନ୍ଧିଆଙ୍କୁ ସମର୍ଥନ କରୁଥିବା ୧୯ ଜଣ କଂଗ୍ରେସ ବିଧାୟକ ରାଜ୍ୟପାଳଙ୍କ ପାଖକୁ ନିଜ ନିଜ ଇସ୍ତଫା ପତ୍ର ପଠେଇଦେଇଛନ୍ତି । ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନ୍ତ୍ରୀ ପଦ ହେଇ ସ୍ଥିତି ସୁଧାରିବାକୁ ଉଦ୍ୟମ ଜାରି ରଖିଛନ୍ତି ମୁଖ୍ୟ ମନ୍ତ୍ରୀ କମଳନାଥ ଓ କଂଗ୍ରେସର ଉଚ୍ଚ କର୍ତ୍ତୃକକ୍ଷ । ତେବେ ସିନ୍ଧିଆଙ୍କ ଗୋଷ୍ଠୀର କେତେକ ବିଧାୟକଙ୍କ ମୋବାଇଲ ସ୍ବିଚ୍‌ ଅଫ୍‌ ରହିବା ପରଠୁ ସୃଷ୍ଟି ହୋଇଛି ସଙ୍କଟ । ସଂଧ୍ୟା ୭ଟାରେ କ୍ୟାବିନେଟର ଜରୁରୀକାଳୀନ ବୈଠକ ଡକାଯାଇଛି ।

‘‘କିଛି ମାଫିଆ ଓ ସେମାନଙ୍କ ସାଥୀମାନେ ମିଶି ଆମ ସରକାରକୁ କମଜୋର କରିବାକୁ ପ୍ରୟାସ କରୁଛନ୍ତି । ଯେଉଁମାନେ ସରକାର ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି ସେମାନଙ୍କୁ ସଫଳ ହେବାକୁ ଦିଆଯିବନି । ମଧ୍ୟପ୍ରଦେଶର ଜନତା ହିଁ ମା’ ସାହସ,’’ କହିଛନ୍ତି କମଲନାଥ ।

ପରିବର୍ତ୍ତିତ ପରିସ୍ଥିତିରେ ମଧ୍ୟ ପ୍ରଦେଶର ମୁଖ୍ୟ ବିରୋଧୀ ଦଳ ବିଜେପିରେ ମଧ୍ୟ ଆରମ୍ଭ ହୋଇଛି ହଲଚଲ । ଆଜି ସଂଧ୍ୟାରେ ବିଜେପି ବିଧାୟକ ଦଳର ବୈଠକ ଦଳର ରାଜ୍ୟ କାର୍ଯ୍ୟାଳୟରେ ଡକାଯାଇଛି । ଖବର ଅନୁଯାୟୀ ଏହି ବୈଠକରେ ପୂର୍ବ ମୁଖ୍ୟ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ବିଜେପି ବିଧାୟକ ଦଳର ନେତା ବଛା ଯାଇପାରେ ।

ଲୋକ ସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଜ୍ୟୋତିରାଦିତ୍ୟଙ୍କ ଇସ୍ତଫାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ‘‘ଜ୍ୟୋତିରାଦିତ୍ୟ ବହୁ ବର୍ଷ ହେଲା କଂଗ୍ରେସରେ ଥିଲେ । ସେ କାହିଁକି ଏଭଳି ନିଷ୍ପତ୍ତି ନେଲେ ତା’ ଉପରେ ତର୍ଜମା କରାଯିବାର ଆବଶ୍ୟକତା ରହିଛି,’’ କହିଛନ୍ତି ଚୌଧୁରୀ ।
First published: March 10, 2020, 3:43 PM IST