ଶୁକ୍ରବାର ‘ନୋ ମନି ଫର ଟେରର’ରେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ ପିଏମ
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୧୮ ତାରିଖ ପୂର୍ବାହ୍ନ ୯ଟା ୩୦ମିନିଟରେ ନୂଆଦିଲ୍ଲୀ ସ୍ଥିତ ହୋଟେଲ ତାଜ ପାଲେସଠାରେ ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ତୃତୀୟ ମନ୍ତ୍ରିସ୍ତରୀୟ ସମ୍ମିଳନୀ ‘ନୋ ମନି ଫର ଟେରର’ ରେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ ।
ନଭେମ୍ବର ୧୮ ଓ ୧୯ରେ ଆୟୋଜିତ ହେଉଥିବା ଏହି ଦୁଇଦିନିଆ ସମ୍ମିଳନୀ ବିଭିନ୍ନ ଅଂଶଗ୍ରହଣକାରୀ ଦେଶ ଏବଂ ସଂଗଠନକୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ମଞ୍ଚ ଯୋଗାଇବ । ବିଶେଷ କରି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସମସ୍ୟାର ମୁକାବିଲା ପାଇଁ ବର୍ତ୍ତମାନର ଅର୍ନ୍ତଜାତୀୟ ବ୍ୟବସ୍ଥା ଉପରେ ବିଚାରବିମର୍ଶ କରିବା ଏବଂ ଅନ୍ୟାନ୍ୟ ସମସ୍ୟାର ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ସମ୍ମିଳନୀରେ ଆଲୋଚନା ହେବ । ପୂର୍ବରୁ ୨୦୧୮ ଏପ୍ରିଲରେ ପ୍ୟାରିସ୍ ଏବଂ ୨୦୧୯ ନଭେମ୍ବରରେ ମେଲବୋର୍ଣ୍ଣଠାରେ ଏହି ସମ୍ମିଳନୀର ପ୍ରଥମ ଦୁଇଟି ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଏଥିରେ ହୋଇଥିବା ଆଲୋଚନାକୁ ଆଗକୁ ବଢ଼ାଇବା ଓ ପରବର୍ତ୍ତୀ ପଦକ୍ଷେପ ପାଇଁ ଯୋଜନା ପ୍ରସ୍ତୁତ କରିବା ସମେତ ଆତଙ୍କବାଦୀମାନଙ୍କୁ ମିଳୁଥିବା ଆର୍ଥିକ ସହାୟତାକୁ ବନ୍ଦ କରିବା ନେଇ ବୈଶ୍ୱିକ ସହଯୋଗ ଉପରେ ବିଚାରବିମର୍ଶ କରାଯିବ । ଏହି ସମ୍ମିଳନୀରେ ବିଭିନ୍ନ ଦେଶର ମନ୍ତ୍ରୀ, ବହୁରାଷ୍ଟ୍ରୀୟ ସଂଗଠନର ସଦସ୍ୟ ଓ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସଙ୍କ ସମେତ ୪୫୦ ଦେଶର ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ ।
ସମ୍ମିଳନୀରେ ମୁଖ୍ୟତଃ ଚାରିଟି ଅଧିବେଶନ ଜରିଆରେ ଆଲୋଚନା ହେବ । ସେଗୁଡିକ ମଧ୍ୟରେ ରହିଛି ‘ଆତଙ୍କବାଦ ଏବଂ ଆତଙ୍କବାଦକୁ ପାଣ୍ଠି ଯୋଗାଣର ବୈଶ୍ୱିକ ସ୍ଥିତି, ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପାଇଁ ଆନୁଷ୍ଠାନିକ ଓ ଅଣ ଆନୁଷ୍ଠାନିକ ପଦ୍ଧତିର ଉପଯୋଗ, ନୂଆ ବୈଷୟିକ ଜ୍ଞାନ ଓ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ସମସ୍ୟାର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।