News18 Odia Digital
PM Modi Japan Visit: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାର ଆଜି ଅନୁଷ୍ଠିତ ହେବ। ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବିଶ୍ୱ ନେତାମାନେ ଜାପାନରେ ପହଞ୍ଚିଛନ୍ତି। ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓରେ ପହଞ୍ଚିଛନ୍ତି। ଏଠାରୁ ପ୍ରଧାନମନ୍ତ୍ରୀ ମୋଦି ଅକାସାକା ପ୍ୟାଲେସକୁ ଯିବେ, ଯେଉଁଠାରେ ଅଭିବାଦନ ଗ୍ରହଣ କରାଯିବ।
ଟୋକିଓ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଥିଲେ, 'ମୁଁ ଆଜି ରାତିରେ ଟୋକିଓ ଗସ୍ତରେ ଆସିଛି, ସମସ୍ତ ଭାରତୀୟଙ୍କ ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ମୁଁ ପ୍ରଧାନମନ୍ତ୍ରୀ କିଶିଦା ଓ ଶ୍ରୀମତୀ ଆବେଙ୍କୁ ମୋର ସମବେଦନା ଜଣାଉଛି। ହୃଦୟରୁ ସମବେଦନା।’’
ସେପଟେ ବୈଦେଶିକ ସଚିବ କହିଥିଲେ ଯେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଓ ସିଞ୍ଜୋ ଆବେଙ୍କ ପତ୍ନୀଙ୍କୁ ମଧ୍ୟ ଭେଟିବେ। ସମାଧିସ୍ଥଳରେ ୨୦ରୁ ଅଧିକ ରାଜ୍ୟ ମୁଖ୍ୟଙ୍କ ସମେତ ୧୦୦ ରୁ ଅଧିକ ଦେଶର ପ୍ରତିନିଧୀ ଯୋଗଦେବେ ବୋଲି ଆଶା କରାଯାଉଛି।
ପ୍ରକାଶ ଥାଉକି ଜୁଲାଇ ୮ରେ, ନାରା ସହରରେ ଏକ ଅଭିଯାନ କାର୍ଯ୍ୟକ୍ରମ ସମୟରେ ସିଞ୍ଜୋ ଆବେଙ୍କୁ ଆକ୍ରମଣ କରାଯାଇଥିଲା। ଗୁଳି ମାଡ଼ ହେବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଶେଷରେ ସେ ମୃତ୍ୟୁ ବରଣ କରିଥିଲେ।
ଆବେଙ୍କ ହତ୍ୟା ପରେ ଭାରତରେ ଜାତୀୟ ଶୋକର ଦିନ ଘୋଷଣା କରାଯାଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ‘‘ଆବେଙ୍କ ଦେହାନ୍ତରେ ଜାପାନ ଓ ବିଶ୍ୱ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତାଙ୍କୁ ହରାଇଛନ୍ତି ଓ ମୁଁ ମୋର ପ୍ରିୟ ବନ୍ଧୁଙ୍କୁ ହରାଇଛି।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।