News18 Odia Digital
ନିର୍ବାଚନ ରାଜନୀତିରେ ବିଜେପିର ନୂଆ ପ୍ରୟୋଗ । ବରିଷ୍ଠଙ୍କୁ ବିଶ୍ରାମ ଏବଂ ଯୁବ ବର୍ଗଙ୍କୁ ସୁଯୋଗ । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ଗୁଜାରାଟ (Gujrat) ଫର୍ମୁଲାକୁ ନେଇ ଚର୍ଚ୍ଚା । ଗୁଜରାଟ ମଡେଲରେ କର୍ଣ୍ଣାଟକରେ ଟିକେଟ ବଣ୍ଟନ ହୋଇଛି । ପ୍ରଥମ ଥର ପାଇଁ ଦକ୍ଷିଣ ଭାରତରେ ନୂଆ ରଣନୀତି ପ୍ରୟୋଗ କରିଛି ଭାରତୀୟ ଜନତା ପାର୍ଟି (BJP) । ଏହି ନୂଆ ଫର୍ମୁଲାରେ ପ୍ରଧାନମନ୍ତ୍ରୀ ମୋଦି (PM Modi)ଙ୍କ ହୋମ ଟର୍ଫ ଗୁଜରାଟରେ, ବିଜେପିକୁ ମିଳିଛି ବମ୍ପର ବିଜୟ । ଯାହାକୁ ଏବେ କର୍ଣ୍ଣାଟକରେ ପ୍ରୟୋଗ କରିଛି ଦଳ । ୨୦୨୪ ଗ୍ରାଣ୍ଡ ଫିନାଲେ ପୂର୍ବରୁ, କେମିତି ରହିବ ବିଜେପିର କର୍ଣ୍ଣାଟକ ଏକ୍ସପେରିମେଣ୍ଟ ? କର୍ଣ୍ଣାଟକରେ କାମ କରିବ ତ ଗୁଜରାଟ ଫର୍ମୂଲା ?
ଗୁଜରାଟ ପରେ କର୍ଣ୍ଣାଟକ । ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିର ବମ୍ପର ବିଜୟ ପରେ, କର୍ଣ୍ଣାଟକରେ ପ୍ରୟୋଗ ହୋଇଛି ସମାନ ଫର୍ମୁଲା । ବରିଷ୍ଠ ଏବଂ ବୟସ୍କଙ୍କ ସ୍ଥାନରେ ଯୁବବର୍ଗ ଏବଂ ନବାଗତଙ୍କୁ କର୍ଣ୍ଣାଟକରେ ଅଧିକ ଗୁରୁତ୍ବ ଦେଇଛି ବିଜେପି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭେଟେରାନଙ୍କ ଟିକେଟ୍ କାଣ୍ଟ ଛାଟ ଏବଂ ସେମାନଙ୍କ ସ୍ଥାନରେ ନୂଆ ପିଢ଼ିଙ୍କୁ ମୈଦାନକୁ ଉତ୍ତାରିବାରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି । କର୍ଣ୍ଣାଟକର ୨୨୪ଟି ଯାକ ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି । କଟିଛି ୨୩ ଜଣ ବିଧାୟକଙ୍କ ଟିକେଟ । ମୈଦାନକୁ ଓହ୍ଲାଇଛନ୍ତି ୭୩ ନୂଆ ମୁହଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ ବିଜେପି ନେତା ୟେଦିୟୁରପ୍ପା ଏବଂ କେ.ଏସ୍. ଇଶ୍ବରପ୍ପା ନିର୍ବାଚନରୁ ଓହରି ଯାଇଛନ୍ତି । ୟେଦିୟୁରପ୍ପାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ ଟିକେଟ ମିଳିଥିବା ବେଳେ, ପୁଅ ପାଇଁ ଲବି କରି ନିରାଶ ହୋଇଛନ୍ତି କେ. ଏସ୍. ଇଶ୍ବରପ୍ପା । ତେବେ କେତେକ କ୍ଷେତ୍ରରେ ପରିବାର ସଦସ୍ୟଙ୍କ ପାଇଁ ଟିକେଟ କରାଇବାରେ ସଫଳ ହୋଇଛନ୍ତି ବିଜେପିର କିଛି ଛାମୁଆ ନେତା ।
ଗୁଜରାଟରେ ୪୨ ଜଣ ବିଧାୟକଙ୍କ ଟିକେଟ କାଟିଥିଲା ବିଜେପି । କର୍ଣ୍ଣାଟକରେ ୨୩ ଜଣ ସିଟିଂ ଏମଏଲଙ୍କୁ ବାଦ୍ ଦିଆଯାଇଛି । ଗୁଜରାଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଏକାଧିକ ମନ୍ତ୍ରୀଙ୍କୁ ବସାଇ ଦେଇଥିଲା ପାର୍ଟି । କର୍ଣ୍ଣାଟକରେ ମଧ୍ୟ ବିଜେପି ସମାନ ଫର୍ମୁଲା ପ୍ରୟୋଗ କରିଛି । ତେବେ କେତେକ ନିର୍ବାଚନ ମଣ୍ଡଳୀରେ, ଗୁଜରାଟ ମଡେଲର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ଦଳ ବଦଳ ଆଶଙ୍କା ଏଡ଼ାଇବାକୁ କିଛି ନେତାଙ୍କ ପୁଅ, ଝିଅ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ ଛିଡ଼ା କରାଯାଇଛି ।
ପଢ଼ନ୍ତୁ ଏହି ଖବର .
୨୦୨୪ ନିର୍ବାଚନରେ ସଫଳତା ପାଇଁ ପାଇଁ ବିଜେଡିର ବଡ଼ ପ୍ଲାନ୍, ମିଳିଗଲା ସଙ୍କେତ ! ଇଶ୍ବରପ୍ପାଙ୍କ ଭଳି କିଛି ୱଫାଦର ନେତା, ଦଳୀୟ ନିଷ୍ପତ୍ତିକୁ ମୁଣ୍ଡପାତି ଗ୍ରହଣ କରି ନେଇଥିବା ବେଳେ, ଆଉ କିଛି ବିଦ୍ରୋହୀ ପାଲଟିଛନ୍ତି । ବାଗି ନେତାଙ୍କ ତାଲିକାର ଆଗରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବାଦି । ବିଜେପିର ଦୁଇ ଲିଙ୍ଗାୟତ ଫେସ୍ କୁହାଯାଉଥିବା ସେଟ୍ଟାର ଏବଂ ଲକ୍ଷ୍ମଣ କଂଗ୍ରେସ କ୍ୟାମ୍ପକୁ ଡେଇଁଛନ୍ତି । ଏହାସହ ୬ରୁ ଅଧିକ ଏମଏଲଏ ଏବଂ ଏମଏଲସି ଟିକେଟ ନପାଇ, ଦଳ ବଦଳ କରିଛନ୍ତି । ଆଉ କିଛି ବିଦ୍ରୋହୀ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ନାମାଙ୍କନ ମଧ୍ଯ ଭରିଛନ୍ତି ।
କର୍ଣ୍ଣାଟକରେ ଗୁଜରାଟ ଫର୍ମୁଲା କାମ କରିବ କି ନାହିଁ, ତାହା ତ ମେ’ ୧୩ ରେଜଲ୍ଟ ଡେରେ ସ୍ପଷ୍ଟ ହେବ । ତେବେ ଟିକେଟ କାଣ୍ଟଛାଟ୍ ନିଷ୍ପତ୍ତି, କର୍ଣ୍ଣାଟକ ବିଜେପି ସଂଗଠନକୁ ଦୋହଲାଇ ଦେବାର ଆଶଙ୍କା, ସଂପୂର୍ଣ୍ଣ ଭାବେ ଅସ୍ବୀକାର କରିହେବ ନାହିଁ । କାରଣ ସେଟ୍ଟାର ଏବଂ ଲକ୍ଷ୍ମଣଙ୍କ ଭଳି ହେବିୱେଟଙ୍କ ଏକଜିଟ୍, କେବଳ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରେ ନୁହେଁ, ବରଂ ଆଖ ପାଖ ଆସନରେ ମଧ୍ଯ ଭୋଟକୁ ଏପଟ ସେପଟ କରିପାରେ । ଏହାଦ୍ବାରା ପ୍ରଭାବିତ ହୋଇପାରେ କିଛି ଆସନର ରେଜଲ୍ଟ । ବଦଳି ପାରେ ଚୂଡ଼ାନ୍ତ ରେଜଲ୍ଟ ଟାଲି ।
ଏଥର କର୍ଣ୍ଣାଟକରେ ନୂଆ ଢାଞ୍ଚାରେ ପ୍ରାର୍ଥୀ ଚୟନ କରିଛି ବିଜେପି । ବୁଥସ୍ତରରୁ ରାଜ୍ୟସ୍ତର ପର୍ଯ୍ଯନ୍ତ ୪ ଥାକିଆ ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ସମ୍ପର୍କରେ ନିଆଯାଇଥିଲା ଫିଡ୍ ବ୍ୟାକ୍ । ଦଳୀୟ ପର୍ଯ୍ଯବେକ୍ଷକଙ୍କ ଭୋଟିଂ ଏବଂ ରାଜ୍ୟ ଓ ଜାତୀୟସ୍ତରୀୟ କମିଟିର ଆଲୋଚନା-ପର୍ଯ୍ଯାଲୋଚନା ପରେ ଚୂଡ଼ାନ୍ତ ହୋଇଥିଲା ପ୍ରାର୍ଥୀ ତାଲିକା । ୪୦ ପ୍ରତିଶତ ବିଧାୟକଙ୍କ ଟିକେଟ କଟିବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ମାତ୍ର ବିଭିନ୍ନ କାରଣକୁ ଦୃଷ୍ଟିରେ ଶେଷ ମୁହୂର୍ତ୍ତରେ କୋହଳ ନୀତି ଅବଲମ୍ବନ କରିଥିଲା ଦଳ । କେଉଁଠି ପରିବାର ରାଜନୀତି ଭାରି ପଡ଼ିଥିଲା... ତ ଆଉ କେଉଁଠି ବିଦ୍ରୋହ ଆଶଙ୍କା । ପୁଣି କେଉଁଠି ଜାତି ଗଣିତକୁ ସଂପୂର୍ଣ୍ଣ ଅଣଦେଖା କରିବା ଭଳି ବଡ଼ ରିସ୍କ ନେବାକୁ ପଛାଇଥିଲେ ହାଇକମାଣ୍ଡ । ନୂଆ ଫର୍ମୁଲାରେ ମୈଦାନକୁ ଓହ୍ଲାଇଥିବା ବିଜେପି, କର୍ଣ୍ଣାଟକ ବିଜୟ ନେଇ ଆଶାବାଦୀ ଥିବା ବେଳେ ‘୪୦ ପ୍ରତିଶତ ପିସି ସରକାର’ ପତନରେ କଂଗ୍ରେସର ୪ ସୂତ୍ରୀ ଗ୍ୟାରେଣ୍ଟି ଯଥେଷ୍ଟ ହେବ ବୋଲି ଦାବି କରୁଛନ୍ତି ବିରୋଧୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ମଳ ଛବିକୁ ନେଇ କର୍ଣ୍ଣାଟକ ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ବିଜେପି । ମୋଦି ମ୍ୟାଜିକ୍ ଗୁଜରାଟରେ ଯେପରି ସଫଳ ହୋଇଥିଲା, କର୍ଣ୍ଣାଟକରେ ମଧ୍ଯ ସେହିପରି କାମ କରିବ ବୋଲି ବିଶ୍ବାସ ରଖିଛି ଦଳ । ତେବେ ଗୁଜରାଟ ଏବଂ କର୍ଣ୍ଣାଟକରେ ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ଭିନ୍ନ । ଗୁଜରାଟରେ ଦଳ ମତ ନିର୍ବିଶେଷରେ ମୋଦିଙ୍କ ଲୋକପ୍ରିୟତା ଶୀର୍ଷ ଛୁଇଁ ଥିବା ବେଳେ, କର୍ଣ୍ଣାଟକରେ ନେତୃତ୍ବ କିମ୍ବା ଦଳ ତୁଳନାରେ, ଜାତି ଭୋଟ୍ ବ୍ୟାଙ୍କର ପ୍ରଭାବ ଅଧିକ । ଲିଙ୍ଗାୟତ ହୁଅନ୍ତୁ କିମ୍ବା ଭୋକାଲିଗା କିମ୍ବା ସଂଖ୍ୟାଲଘୁ ସଂପ୍ରଦାୟ । ଏହି ଆଧାରରେ ହିଁ ନିର୍ଣ୍ଣୟ ହୁଏ ଜନମତ । ତେଣୁ କର୍ଣ୍ଣାଟକରେ କି ଫଳାଫଳ ଦେବ ଗୁଜରାଟ ଏକ୍ସପେରିମେଣ୍ଟ, ତାହା ଏବେଠୁ ଆକଳନ କରିବା କଷ୍ଟକର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।