News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଗୁଜୁରାଟ ଗସ୍ତରେ ଆସିବେ ଓ ସେଠାରେ ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଗାନ୍ଧିନଗର, ବନାସକାଣ୍ଠା, ଜାମନଗର ଓ ଦାହୋଦରେ କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଅଦାନୋମ ଘେବ୍ରେଏସ୍ ମଧ୍ୟ ସୋମବାର ଠାରୁ ଗୁଜୁରାଟକୁ ତିନି ଦିନିଆ ଗସ୍ତ ଆରମ୍ଭ କରିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କିଛି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ସୋମବାର ଠାରୁ ଗୁଜୁରାଟକୁ ତିନି ଦିନିଆ ଗସ୍ତରେ WHO ସାଧାରଣ ସମ୍ପାଦକରାଜକୋଟ ଜିଲ୍ଲା ମାଜିଷ୍ଟ୍ରେଟ ଅରୁଣ ମହେଶ ବାବୁ ରବିବାର ଦିନ କହିଥିଲେ ଯେ ଘେବ୍ରେଏସ୍ ଏପ୍ରିଲ ୧୮ରେ ରାଜକୋଟରେ ପହଞ୍ଚି ସେଠାରେ ରାତି ରହିବେ। ମଙ୍ଗଳବାର ଦିନ ଜାମନଗରରେ WHO- ଗ୍ଲୋବାଲ ସେଣ୍ଟର ଫର ପାରମ୍ପାରିକ ମେଡିସିନ୍ (ଜିସିଟିଏମ୍) ର ମୂଳଦୁଆ ପକାଇବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ WHOର ସାଧାରଣ ସମ୍ପାଦକ ଯୋଗଦେବେ।
ବୁଧବାର ଦିନ ଘେବ୍ରେଏସ୍ ଗାନ୍ଧିନଗରରେ ରହିବେ, ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦି ଗ୍ଲୋବାଲ ଆୟୁଷ ନିବେଶ ଓ ଅଭିନବ ସମ୍ମିଳନୀର ଉଦଘାଟନ କରିବେ ବୋଲି ଅଧିକାରୀମାନେ କହିଛନ୍ତି। ଏଥି ସହ ରାଜକୋଟ ମେୟର ପ୍ରଦୀପ ଦେବ କହିଛନ୍ତି ଯେ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ମଧ୍ୟ ସୋମବାର ରାଜକୋଟରେ ପହଞ୍ଚିବେ। ଜଗନ୍ନାଥଙ୍କ ସମ୍ମାନାର୍ଥେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସେ କହିଛନ୍ତି।
ମରିସସ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଶନିବାର କହିଥିଲା, ‘‘ପ୍ରବିନ୍ଦ କୁମାରଙ୍କ ୮ ଦିନିଆ ଗସ୍ତରେ ନୂଆ ଦିଲ୍ଲୀରେ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଆଲୋଚନାରେ ସେ ଯୋଗ ହେବେ। ଏହା ବ୍ୟତୀତ ଗୁଜରାଟ ଓ ବାରଣାସୀ ମଧ୍ୟ ଗସ୍ତ କରିବେ। ଏପ୍ରିଲ ୧୭ ରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରବିନ୍ଦଙ୍କ ଗସ୍ତ ସମୟରେ ତାଙ୍କ ପତ୍ନୀ କବିତା ଜଗନ୍ନାଥ ଓ ଉଚ୍ଚସ୍ତରୀୟ ପ୍ରତିନିଧି ମଧ୍ୟ ସାଥିରେ ଉପସ୍ଥିତ ରହିବେ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଥିଲେ ଯେ ଏପ୍ରିଲ ୧୯ରେ 'WHO ଗ୍ଲୋବାଲ ସେଣ୍ଟର ଫର ପାରମ୍ପାରିକ ମେଡିସିନ୍'ର ମୂଳଦୁଆ ପକାଯିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଏଥିସହ ସେ କହିଛନ୍ତି ଯେ ବିଶ୍ବର ସୁସ୍ଥତାକୁ ଆଗକୁ ବଢ଼ାଇବା ପାଇଁ ପାରମ୍ପାରିକ ଔଷଧ ପ୍ରଣାଳୀ ବ୍ୟବହାର କରିବାକୁ ଏହି କେନ୍ଦ୍ର ଉଦ୍ୟମକୁ ଦୃଢ଼ କରିବ।
ଏକ ଟ୍ବିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ସୋମବାର ଠାରୁ ଗୁଜୁରାଟ ଗସ୍ତ କରିବେ ଓ ଏହି ସମୟରେ ସେ ବନାସକାଣ୍ଠା, ଜାମନଗର ଓ ଦାହୋଦରେ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମଗୁଡିକ ବିଭିନ୍ନ କ୍ଷେତ୍ର ସହ ଜଡିତ ହେବ ଓ ଲୋକଙ୍କ ପାଇଁ 'ଜୀବନର ସହଜତା' ପ୍ରୋତ୍ସାହନ ଦେବ ବୋଲି ମୋଦି କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।