News 18 Odia Digital
ନୂଆଦିଲ୍ଲୀ; ନୂଆଦିଲ୍ଲୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି ମରାଯାଇଥିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ସେ ଆବେଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସେ ଏକ ଟୁଇଟ୍ରେ କହିଛନ୍ତି ଯେ ମୋର ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଶୁଣି ମୁଁ ଦୁଃଖିତ । ମୋର ସମବେଦନା ଓ ପ୍ରାର୍ଥନା ତାଙ୍କ ସହିତ ଓ ତାଙ୍କ ପରିବାର ଓ ଜାପାନର ଲୋକମାନଙ୍କ ସହିତ ଅଛି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କୁ ଶୁକ୍ରବାର ଦିନ ଦେଶର ପଶ୍ଚିମ ଭାଗରେ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ଗୁଳି କରାଯାଇଥିଲା । ଗୁରୁତର ଆହତ ହୋଇଥିବା ଆବେଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ସେହି ସମୟରେ ସେ ନିଶ୍ୱାସ ବନ୍ଦ ହୋଇଯିବା ସହ ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥିଲା ।
ଏଥି ସହ ଶୁକ୍ରବାର ଦିନ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ ଘଟଣାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। ଆବେ ଭାରତ-ଜାପାନ ସମ୍ପର୍କକୁ ନିବିଡ଼ କରିବାର ସୁତ୍ରଧର ଅଟନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି । ତାଙ୍କ ପରିବାର ସହିତ ମୋର ସମବେଦନା ରହିଛି । ସ୍ଥାନୀୟ ଅଗ୍ନିଶମ ବିଭାଗର ଅଧିକାରୀ ମାକୋଟୋ ମୋରିମୋଟୋ କହିଛନ୍ତି ଯେ ଆବେଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କର ହୃଦ ସ୍ପନ୍ଦନ ଅଟକି ଯାଇଥିଲା । ତାଙ୍କୁ ସେଠାରୁ ସଙ୍ଗେ ସଙ୍ଗେ ପ୍ରାଦେଶିକ ଡାକ୍ତରଖାନା ନିଆଯାଇଥିଲା ।
ମୁଖ୍ୟ କ୍ୟାବିନେଟ ମନ୍ତ୍ରୀ ହିରୋକାଜୁ ମାସ୍ତୁନୋ ଗଣମାଧ୍ୟମକୁ କହିଛନ୍ତି ଯେ ନାରାରେ ଘଟଣାସ୍ଥଳରୁ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ମାସ୍ତୁନୋ କହିଛନ୍ତି ଯେ, ଏପରି ବର୍ବର କାଣ୍ଡ ଜମାବି କ୍ଷମା ଯୋଗ୍ୟ ନୁହେଁ । କାରଣ ଯାହା ହେଉନା କାହିଁକି, ଆମେ ଏହାକୁ ଦୃଢ଼ ନିନ୍ଦା କରୁଛୁ । ସରକାରୀ ପ୍ରସାରକ NHK ଏହି ଘଟଣାର ଏକ ଫୁଟେଜ ପ୍ରସାରଣ କରିଛି । ଯେଉଁଥିରେ ୬୭ ବର୍ଷିୟ ଆବେ ରାସ୍ତାରେ ପଡ଼ିଥିବାର ଏବଂ ଅନେକ ସୁରକ୍ଷାକର୍ମୀ ତାଙ୍କ ଆଡକୁ ଦୌଡୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପଶ୍ଚିମ ନାରାର ଏକ ମୁଖ୍ୟ ରେଳ ଷ୍ଟେସନ ବାହାରେ ଭାଷଣ ଦେବା ଆରମ୍ଭ କରିବା ପରେ ଆବେଙ୍କୁ କିଛି ମିନିଟ୍ ପରେ ଗୁଳି କରାଯାଇଥିଲା ।
ଜାପାନ ସଂସଦର ଉପର ସଦନ ପାଇଁ ମତଦାନ ରବିବାର ଅନୁଷ୍ଠିତ ହେବ । ଯେତେବେଳେ ଆବେ ଭାଷଣ ଦେଉଥିଲେ, ଲୋକମାନେ ଗୁଳି ଶବ୍ଦ ଶୁଣିଲେ । ଗୁଳି ବାଜିବା ପରେ ଆବେ ଛାତିରେ ହାତ ରଖି ତଳେ ପଡ଼ିଯାଇଥିଲେ । ତାଙ୍କ ସାର୍ଟ ରକ୍ତରେ ଭିଜି ଯାଇଥିଲା । ଦୁନିଆର ସବୁଠାରୁ ସୁରକ୍ଷିତ ଦେଶ ଭାବରେ ଜଣାଶୁଣା ଜାପାନରେ ଏହି ଆକ୍ରମଣ ଆଶ୍ଚର୍ଯ୍ୟଜନକ । ଜାପାନରେ ବନ୍ଧୁକ ନିୟନ୍ତ୍ରଣ ନେଇ ଶକ୍ତ ନିୟମ ରହିଛି । ଆବେ ୨୦୨୦ ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ କହିଥିଲେ ଯେ ତାଙ୍କର ଏକ ପୁରୁଣା ରୋଗ ପୁନର୍ବାର ଦେଖାଦେଇଛି । ସେ ସେତେବେଳେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ତାଙ୍କର ଅନେକ ଲକ୍ଷ୍ୟ ଅଧୁରା ଥିବାରୁ ଏହା ତାଙ୍କ ପାଇଁ ଅସନ୍ତୋଷଜନକ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।