UP ଏନକାଉଣ୍ଟରର ଦିନକ ଆଗରୁ ଦାଖଲ ପିଟିସନରେ ଅନୁମାନ ହୋଇଥିଲା ଯେ ଦୁବେକୁ ମାରିଦେବ ପୋଲିସ୍‌

PIL in SC predicted Vikas Dubey encounter death | ଗ୍ୟାଙ୍ଗଷ୍ଟର୍‌ ବିକାଶ ଦୁବେର ହେଫାଜତ ପାଇବା ପରେ ତାକୁ ଏହି ମାମଲାର ଅନ୍ୟ ଚାରି ଅଭିଯୁକ୍ତଙ୍କ ପରି ଉତ୍ତର ପ୍ରଦେଶ ପୋଲିସ୍ ହତ୍ୟା କରିବାର ବହୁତ ସମ୍ଭାବନା ଅଛି ବୋଲି କହି ସୁପ୍ରିମ କୋର୍ଟରେ ଏକ PIL ଦାୟର ହୋଇଥିଲା । ଅନୁମାନ ସତ ହେଲା ।

ସୁପ୍ରିମ୍ କୋର୍ଟ; (ଡାହାଣ) ବିକାଶ ଦୁବେ

ସୁପ୍ରିମ୍ କୋର୍ଟ; (ଡାହାଣ) ବିକାଶ ଦୁବେ

  • Share this:
News18 Odia Digital

ନୂଆ ଦିଲ୍ଲୀ: ସୁପ୍ରିମ କୋର୍ଟରେ ଗତ କାଲି ଦାଖଲ ହୋଇଥିବା ଏକ ପିଟିସନରେ ଯେଉଁ କଥା ଅନୁମାନ କରାଯାଇଥିଲା ଠିକ୍‌ ସେୟା ହିଁ ଘଟିଗଲା ଆଜି ସକାଳେ । ମଧ୍ୟ ପ୍ରଦେଶ ଉଜ୍ଜୈନରୁ ଗିରଫ ହୋଇଥିବା ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ‘‘ଫେକ୍‌ ଏନକାଉଣ୍ଟର’’ କରି ମାରିଦେବାର ସମ୍ଭାବନା ଯଥେଷ୍ଟ ରହିଛି ବୋଲି ନିଜ ଆବେଦନରେ କହିଥିଲେ ଆଇନଜୀବୀ ଘନଶ୍ୟାମ ଉପାଧ୍ୟାୟ ।

‘‘ବିକାଶ ଦୁବେର ହେଫାଜତ ମିଳିଯିବା ପରେ ତାକୁ ଏହି ମାମଲାର ଅନ୍ୟ ଅଭିଯୁକ୍ତଙ୍କ ପରି ଉତ୍ତର ପ୍ରଦେଶ ପୋଲିସ୍‌ ଦ୍ୱାରା ହତ୍ୟା କରାଯିବାର ବହୁତ ସମ୍ଭାବନା ଅଛି,’’ ଗୁରୁବାର ସନ୍ଧ୍ୟାରେ ଦାଖଲ ହୋଇଥିବା ଏହି ପିଟିସନରେ ଉଲ୍ଲେଖ କରାଯାଇଥିଲା । (Vikas Dubey encounter)

ଉପାଧ୍ୟାୟ ଏହି ପିଟିସନରେ କହିଥିଲେ ଯେ ଏହି ଏନକାଉଣ୍ଟରକୁ ଠିକ୍‌ ସେହି କାହାଣୀର ରୂପ ଦିଆଯାଇପାରେ ଯେମିତି ଜୁଲାଇ ୨ର ଘଟଣା ପରେ ତା’ର ଅନ୍ୟ ଚାରି ଜଣ ସହଯୋଗୀଙ୍କୁ ମାରିବା ପରେ ଦିଆଯାଇଥିଲା ।

ଦୁବେଙ୍କ ପ୍ରତି ତାଙ୍କର କୌଣସି ସହାନୁଭୂତି ନାହିଁ ବୋଲି ସ୍ପଷ୍ଟ କରି ମୁମ୍ବାଇର ଏହି ଓକିଲ ନିଜ ପିଟିସନରେ କହିଥିଲେ ଯେ ଅଫଜଲ ଗୁରୁ ଓ ଅଜମଲ କସାବ ଭଳି ଅପରାଧୀଙ୍କ ମାମଲାରେ ନିରପେକ୍ଷ ଶୁଣାଣି ହୋଇଥିବା ବେଳେ ‘‘ନିଜକୁ ଆଇନ୍‌ ବୋଲି ଭାବୁଥିବା ଉତ୍ତର ପ୍ରଦେଶ ପୋଲିସ ଦୁବେକୁ ହତ୍ୟା କରିପାରେ ।’’

ଏନକାଉଣ୍ଟର ପୂର୍ବରୁ ହୋଇଥିବା ଦୁର୍ଘଟଣା ସ୍ଥଳର ଦୃଶ୍ୟ; (ଡାହାଣ) ପୋଲିସ ବିକାଶକୁ ଗିରଫ କରି ଆଣୁଥିବା ସମୟର ଦୃଶ୍ୟ


ବାସ୍ତବରେ ୟୁପି ପୋଲିସ୍‌ ପାଇଁ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ‘‘ଭସ୍ମାସୁର’’ ପ୍ରମାଣିତ ହୋଇଛି ବୋଲି ବି ଉପାଧ୍ୟାୟ ନିଜ ଜନ ସ୍ୱାର୍ଥ ମାମଲା (PIL) ଆବେଦନରେ କହିଥିଲେ ।

ଦୁବେ ବିରୋଧରେ ୬୦ଟି ଆପରାଧିକ ମାମଲା ଥିଲା ସତ୍ତ୍ୱେ ସେ ଜାମିନରେ ବାହରିବାରେ ସଫଳ ହୋଇଥିଲା କାରଣ ପୋଲିସ୍‌ ଅଧିକାରୀମାନେ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ତୁଲାଇ ନ ଥିଲେ ଓ ସମସ୍ତେ ଦୁର୍ନୀତିରେ ବୁଡ଼ି ରହିଥିଲେ ବୋଲି ଅଭିଯୋଗ କରିଛନ୍ତି ମୁମ୍ବାଇର ଏହି ଓକିଲ ।

ପୋଲିସ୍‌ ଦ୍ୱାରା ଦୁବେର ସହଯୋଗୀମାନଙ୍କ ହତ୍ୟା ଓ ସରକାରଙ୍କ ଦ୍ୱାରା ତା’ ଘର ତଥା ବ୍ୟାବସାୟିକ ସମ୍ପତ୍ତି ଭଙ୍ଗାଯିବା ଘଟଣା ସମେତ ଦୁବେର ପୋଲିସ୍‌କର୍ମୀ ଓ ରାଜନେତାଙ୍କ ସହ ଥିବା ସମ୍ପର୍କର କୋର୍ଟ ତତ୍ତ୍ୱାବଧାନରେ ସିବିଆଇ ଦ୍ୱାରା ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରିଥିଲେ ଉପାଧ୍ୟାୟ ।

ଏହା ବି ପଢ଼ନ୍ତୁ: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ: ମଥାରେ ଶକ୍ତ ଆଘାତ ଲାଗିଥିଲା; ହତ୍ୟା ମାମଲା ରୁଜୁ କଲା ପୋଲିସ

ଉତ୍ତର ପ୍ରଦେଶ ପୋଲିସ ଦ୍ୱାରା ହୋଇଥିବା ବେଆଇନ୍‌ ଓ ନ୍ୟାୟ-ବହିର୍ଭୁତ ହତ୍ୟାଗୁଡ଼ିକୁ ରୋକିବା ପାଇଁ ସୁପ୍ରିମ କୋର୍ଟ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌ ବୋଲି ବି ଉକ୍ତ ପିଟିସନରେ ଦାବି ହୋଇଥିଲା ।
Published by:Anand Shankar Thankur Das
First published: