News18 Odia Digital
ନୂଆ ଦିଲ୍ଲୀ : ପେଗାସସ ରିପୋର୍ଟକୁ ନେଇ ଦେଶରେ ବିବାଦ ଲାଗି ରହିଥିବା ବେଳେ ଘଟଣାର ଦାବି କରିଛି ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ। ଏଥି ପାଇଁ ଗିଲ୍ଡ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାକୁ ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ ସୁପ୍ରିମ କୋର୍ଟରେ ନିବେଦନ କରିଛି।
ଏଥିସହ ସୁପ୍ରିମ କୋର୍ଟ ସ୍ପାଇୱେୟାର ପେଗାସସର ବିସ୍ତୃତ କଣ୍ଟ୍ରାକ୍ଟ ଓ ଏହାର ଟାର୍ଗେଟରେ ଥିବା ଲୋକଙ୍କ ବିଷୟରେ ତଥ୍ୟ ଦେବାକୁ ସୁପ୍ରିମ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅନୁରୋଧ କରାଯାଇଛି। ସୁପ୍ରିମ କୋର୍ଟ ପେଗାସସ୍ ସଂକ୍ରାନ୍ତରେ ଦାଖଲ ହୋଇଥିବା ସମସ୍ତ ଆବେଦନର ଶୁଣାଣି ଗୁରୁବାର କରିବେ ବୋଲି କହିଛନ୍ତି।
ଗତ ସପ୍ତାହରେ ବରିଷ୍ଠ ସାମ୍ବାଦିକ ଏନ.ଭି ରାମ ଓ ଶଶି କୁମାର ପେଗାସସ ଗୁପ୍ତଚର ବିବାଦ ସମ୍ପର୍କରେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନରେ ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଥିଲା। ସୁପ୍ରିମ କୋର୍ଟ ଏହି ଆବେଦନକୁ ଗ୍ରହଣ କରି ଏହାର ଶୁଣାଣି ପାଇଁ ଅଗଷ୍ଟ ୫ ତାରିଖ ଦେଇଛନ୍ତି। ପେଗାସସ ଗୁପ୍ତଚର ମାମଲା ସମ୍ପର୍କରେ ସୁପ୍ରିମ କୋର୍ଟରେ ଏ ପର୍ଯ୍ୟନ୍ତ ଚାରିଟି ଆବେଦନ କରାଯାଇଛି। କୋର୍ଟରେ ଦାଖଲ ହୋଇଥିବା ପିଟିସନରେ ଏକ ନିରପେକ୍ଷ ତଦନ୍ତ ଦାବି କରାଯାଇଛି।
ପେଗାସସ ହେଉଛି ଏକ ଇସ୍ରାଏଲ୍ ସଫ୍ଟୱେର ଯାହା ମାଧ୍ୟମରେ ସାରା ବିଶ୍ୱରୁ ଅନେକ ସାମ୍ବାଦିକ, ରାଜନେତା ଓ ବଡ଼ ଶିଳ୍ପପତିଙ୍କୁ ଟାର୍ଗେଟ କରାଯାଇଥିଲା। ଭାରତରେ ମଧ୍ୟ ପ୍ରାୟ ଚାଳିଶ ଜଣ ସାମ୍ବାଦିକ ଓ ବହୁ ବଡ଼ ନେତାଙ୍କ ଗୁପ୍ତଚର ମାମଲା ସାମ୍ନାକୁ ଆସିଛି।
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏହି ରିପୋର୍ଟ ସାର୍ବଜନୀନ ହେବାରୁ ଏହାକୁ ନେଇ ହଙ୍ଗାମା ଦେଖିବାକୁ ମିଳିଛି। ବିରୋଧୀ ଘଟଣାର ତଦନ୍ତ ଦାବି କରିବା ସହ ସଂସଦରେ ପୂରା ଘଟଣା ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି। ହେଲେ ସରକାର ଏହାକୁ ଏକ ଗୁରୁତ୍ୱହୀନ ପ୍ରସଙ୍ଗ କହି ଆଲୋଚନାକୁ ଏଡ଼ାଇ ଚାଲିଛନ୍ତି।
ପେଗାସସ୍ର ଟାର୍ଗେଟ ଲିଷ୍ଟରେ ଥିବା ୪ ଜଣ ସାମ୍ବାଦିକ ମଧ୍ୟ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହାର ବ୍ୟବହାରକୁ ବେଆଇନ ଓ ଅସାମ୍ବିଧାନିକ ଘୋଷଣା କରିବାକୁ ନିବେଦନ କରିଛନ୍ତି। ଏସବୁ ଆବେଦନର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହେବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।