ନିର୍ଭୟା କାଣ୍ଡର ଚାରି ଦୋଷୀଙ୍କୁ ଫାଶୀ ଦେଲେ ପୱନ ଜହ୍ଲାଦ: ‘ଜହ୍ଲାଦ’ ଶବ୍ଦ ଆସିଲା କେମିତି?

ନିର୍ଭୟା ମାମଲାର ଚାରି ଦୋଷୀଙ୍କୁ ଫାଶୀ ଦେଇଥିବା ପୱନ୍ ଜହ୍ଲାଦ ଜଣେ ବୃତ୍ତିଗତ ହ୍ୟାଙ୍ଗମ୍ୟାନ୍ (ଫାଶୀ ଦେଉଥିବା ବ୍ୟକ୍ତି) । ଜହ୍ଲାଦ ଶବ୍ଦ ନିର୍ଦୟ ଲୋକ ଲାଗେ, ହେଲେ ପୱନ ନିଜ କର୍ତ୍ତବ୍ୟ ପାଳନ କରିଥିବା ଅନ୍ୟ ଯେ କୌଣସି ସାଧାରଣ ବ୍ୟକ୍ତିଙ୍କ ପରି ଜଣେ ନାଗରିକ ।

ନିର୍ଭୟା କାଣ୍ଡର ଚାରି ଦୋଷୀଙ୍କୁ ଫାଶୀ ଦେଲେ ପୱନ ଜହ୍ଲାଦ: ‘ଜହ୍ଲାଦ’ ଶବ୍ଦ ଆସିଲା କେମିତି?
ଦିଲ୍ଲୀର ବାସିନ୍ଦା ପୱନ ଜଲ୍ଲାଦ, ଯିଏ ନିର୍ଭୟା ମାମଲାର ଚାରି ଦୋଷୀଙ୍କୁ ଫାଶୀ ଦେଲେ ।
  • News18 Odia
  • Last Updated: March 20, 2020, 10:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟାକୁ ଶେଷରେ ନ୍ୟାୟ ମିଳିଲା । ନ୍ୟାୟର ଏହି ସମଗ୍ର ପ୍ରକ୍ରିୟାରେ ପୱନ୍ ଜହ୍ଲାଦ ବି ଲଗାତର ଚର୍ଚ୍ଚାରେ ଥିଲେ । ଜହ୍ଲାଦ ଶବ୍ଦଟି ଅତି କଠିନ ହୃଦୟର ଲୋକ ବା ନିର୍ଦୟ ଲୋକ ପାଇଁ ବ୍ୟବହୃତ ହୁଏ । କାହାକୁ ଜହ୍ଲାଦ ବୋଲି ଡାକିଦେଲେ ସେ କ୍ରୋଧିତ ହୋଇପାରନ୍ତି, କିନ୍ତୁ ନିର୍ଭୟା ମାମଲାର ଚାରି ଦୋଷୀଙ୍କ ପାଇଁ ପୱନ୍ ଜହ୍ଲାଦ ହ୍ୟାଙ୍ଗମ୍ୟାନ୍ (ଫାଶୀ ଦେଉଥିବା ବ୍ୟକ୍ତି) ରୂପେ ନିଜ କର୍ତ୍ତବ୍ୟ ପାଳନ କରି ଅନ୍ୟ ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ପରି ଚର୍ଚ୍ଚାକୁ ଆସିଛନ୍ତି ।

ଏହି ‘ଜହ୍ଲାଦ’ ବା ‘ଜଲ୍ଲାଦ’ ଶବ୍ଦଟି କେଉଁଠୁ ଆସିଲା? ହ୍ୟାଙ୍ଗମ୍ୟାନକୁ କାହିଁକି ଜହ୍ଲାଦ ବୋଲି କୁହାଗଲା? ପୂର୍ବ ସମୟରେ ଦାଷୀମାନଙ୍କର ମୁଣ୍ଡ କାଟି ସେମାନଙ୍କୁ ଦଣ୍ଡିତ କରାଯାଇଥିଲା । ସେତେବେଳେ ଏହି କାମ କରୁଥିବା ବ୍ୟକ୍ତିକୁ ବଧିକ କୁହାଯାଉଥିଲା । ବଧ ଶବ୍ଦର ଅର୍ଥ ହତ୍ୟା କରିବା । କିନ୍ତୁ ଆଧୁନିକ ସମୟରେ ଫାଶୀ ଦେଉଥିବା ବ୍ୟକ୍ତିକୁ ବଧିକ ନ କହି ଜହ୍ଲାଦ କୁହାଗଲା ।

ଜହ୍ଲାଦ ଶବ୍ଦ, ଯାହାର ଅର୍ଥ ହ୍ୟାଙ୍ଗମ୍ୟାନ୍, ଏହା ‘ଜଲ୍ଦା’ ଶବ୍ଦରୁ ଉତ୍ପନ୍ନ ହୋଇଛି ବୋଲି ବିଶ୍ୱାସ କରାଯାଏ । ଜଲ୍ଦା ଶବ୍ଦ ଆରବୀ ଶବ୍ଦ ‘ଜିଲ୍ଦ’ରୁ ଆସିଛି, ଆଉ ‘ଜିଲ୍ଦ’ ମାନେ ବହିର ମଲାଟ । ବହିର ସୁରକ୍ଷା ପାଇଁ ତା’ ଉପରେ ଆମେ ଯାଉଁ ମଲାଟ ଲଗାଉଁ, ତାକୁ ଜିଲ୍ଦ କହନ୍ତି । ପୂର୍ବ ସମୟରେ ବହିର ମଲାଟ ପଶୁର ଚମଡ଼ାରେ ତିଆରି ହେଉଥିଲା, ପରେ ଏହା କାଗଜ ବା କାର୍ଡ଼ବୋର୍ଡ଼ରେ ତିଆରି ହେବାକୁ ଲାଗିଲା । କିନ୍ତୁ ଜିଲ୍ଦ ଶବ୍ଦର ଅର୍ଥ ମନୁଷ୍ୟ ଶରୀର ଉପରେ ଥିବା ଚର୍ମ ବା ଚମଡ଼ା ପାଇଁ ବି ବ୍ୟବହାର ହେଲା, ଆଉ ପୂର୍ବ ସମୟରେ ଯେଉଁ ବ୍ୟକ୍ତି ଚାବୁକରେ ପିଟି ଦୋଷୀର ଦେହରୁ ଚମଡ଼ା ବାହାର କରିଦେଉଥିଲା ତାକୁ ବୁଝାଇଲା ।

ଇସ୍ଲାମ୍‌ ଧର୍ମର ପବିତ୍ର ଧାର୍ମିକ ପୁସ୍ତକ କୁରାନର ସୁର-ଇ-ନୁରୀର ଚତୁର୍ଥ ପଦରେ ‘ଜଲ୍ଦହ’ ଶବ୍ଦର ପ୍ରୟୋଗ କରି କୁହାଯାଇଛି ଯେ ‘‘ଯେଉଁମାନେ ପାକ୍ ଅର୍ଥାତ୍ ସମ୍ମାନନୀୟା ମହିଳାମାନଙ୍କ ବିରୁଦ୍ଧରେ ବ୍ୟଭିଚାର ବା ଅସଦାଚରଣର ଅଭିଯୋଗ ଆଣନ୍ତି ମାତ୍ର ତା’ର ପ୍ରମାଣ ପାଇଁ ଚାରି ଜଣ ସାକ୍ଷୀ ଆଣିବାରେ ଅସମର୍ଥ ହୁଅନ୍ତି, ସେମାନଙ୍କୁ ୮୦ ଚାବୁକ ମାଡ଼ି ଦିଆଯାଉ । ଆଉ କେବେ ସେମାନଙ୍କର ସାକ୍ଷ୍ୟ ଗ୍ରହଣ କରା ନ ଯାଉ । ଏମାନେ ଖରାପ ଲୋକ ।’’

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ପରି ଭାବରେ ଲିଖିତ ସାହିତ୍ୟରେ ଜଲ୍ଦା ଶବ୍ଦର ବ୍ୟବହାର କରାଯାଇଛି । ଜଲ୍ଦାହ ଶବ୍ଦର ଅର୍ଥ ୮୦ ଚାବୁକ ମାଡ଼ରୁ ନିଆଯାଇଛି । ପଣ୍ଡିତମାନେ ବିଶ୍ୱାସ କରନ୍ତି ଯେ ଏହି ଶବ୍ଦରୁ ଜଲ୍ଲାଦ ବା ଜହ୍ଲାଦ ଶବ୍ଦର ଉତ୍ପତ୍ତି ହୋଇଛି ।

ଜଲ୍ଲାଦ ଶବ୍ଦ କୋର୍ଟରେ ଆରବୀ, ପାର୍ସୀ ଓ ଉର୍ଦ୍ଦୁ ଭାଷାରେ ବ୍ୟବହାର କରାଯାଇଅସୁଛି । ଆଧୁନିକ ଦଣ୍ଡ ବିଧାନରେ ଆରବୀ, ପାର୍ସୀ ଓ ଉର୍ଦ୍ଦୁ ଭାଷାର ପ୍ରଭାବ ପଡିଛି । ଆଜି ମଧ୍ୟ ଅନେକ ଶବ୍ଦ କୋର୍ଟରେ ବ୍ୟବହୃତ ହେଉଛି ଯାହା ମୂଳତଃ ଆରବୀ, ପାର୍ସୀ ଓ ଉର୍ଦ୍ଦୁ । ଜହ୍ଲାଦ ଶବ୍ଦ ବି ଏମିତି ଶବ୍ଦରୁ ଗୋଟିଏ । ଏହି କାରଣରୁ ଏହା ଅତି କଠୋର ଲୋକଙ୍କ ପାଇଁ ବ୍ୟବହୃତ ହୁଏ । ଏହା ଏକ ଭିନ୍ନ କଥା ଯେ ନିର୍ଭୟାର ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବାରେ ପୱନ ଜହ୍ଲାଦଙ୍କ ନାମ ସାମନାକୁ ଆସିଛି । ହେଲେ ସେ ଜଣେ ନିର୍ଯାତକ ନୁହଁନ୍ତି । ସେ ଅନ୍ୟ ଯେ କୌଣସି ବ୍ୟକ୍ତିଙ୍କ ପରି ଜଣେ ସମ୍ମାନନୀୟ ବ୍ୟକ୍ତି ଯିଏ ନିଜ କର୍ତ୍ତବ୍ୟ ପାଳନ କରିଛନ୍ତି ।
First published: March 20, 2020, 10:17 PM IST
corona virus btn
corona virus btn
Loading